City waterlogging for roads: ରାସ୍ତା ପାଇଁ ସହର ଜଳବନ୍ଦି: ରାସ୍ତା ସର୍ଭେ କଲେ ଜଳବନ୍ଦି ସମସ୍ୟା ସମାଧାନ ହେବ

ଅସରାଏ ବଡ଼ ବର୍ଷା ହେଲେ ସବୁ ସହର ଜଳବନ୍ଦି ହୋଇଯାଉଛି। ବର୍ଷା ଋତୁରେ ନଦୀରେ ବନ୍ୟା ଆସୁନି, କିନ୍ତୁ ସହରରେ କୃତ୍ରିମ ବନ୍ୟା ଆସୁଛି। ରାଜ୍ୟ ସରକାର ଜଳବନ୍ଦି ସମସ୍ୟା ପାଇଁ ଡ୍ରେନେଜ୍ ବ୍ୟବସ୍ଥା, ଜବରଦଖଲକୁ ଦାୟୀ କରୁଛନ୍ତି।

water lock

Photograph: (Shutterstock)

ବିଶ୍ବଜିତ ଦାଶ
ଭୁବନେଶ୍ବର: ଅସରାଏ ବଡ଼ ବର୍ଷା ହେଲେ ସବୁ ସହର ଜଳବନ୍ଦି ହୋଇଯାଉଛି। ବର୍ଷା ଋତୁରେ ନଦୀରେ ବନ୍ୟା ଆସୁନି, କିନ୍ତୁ ସହରରେ କୃତ୍ରିମ ବନ୍ୟା ଆସୁଛି। ରାଜ୍ୟ ସରକାର ଜଳବନ୍ଦି ସମସ୍ୟା ପାଇଁ ଡ୍ରେନେଜ୍ ବ୍ୟବସ୍ଥା, ଜବରଦଖଲକୁ ଦାୟୀ କରୁଛନ୍ତି। ଲୋକ ଡ୍ରେନ୍‌ରେ ଆବର୍ଜନା ପକାଇ ଜାମ୍ କରୁଛନ୍ତି, ଲୋକ ବେଆଇନ ଭାବେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରୁଥିବାରୁ ଜଳ ନିଷ୍କାସନ ବାଟ ବନ୍ଦ ହୋଇଯାଉଛି ବୋଲି କୁହାଯାଉଛି। ଲୋକଙ୍କ ଉପରେ ଦୋଷ ଲଦି ‌ବୁଝାଇ ନ ପାରିଲେ ପ୍ରକୃତି ଉପରେ ଦୋଷ ଦିଆଯାଉଛି। କୁହାଯାଉଛି, ଅଳ୍ପ ସମୟରେ ଅଧିକ ବର୍ଷା ହେବାରୁ ଡ୍ରେନ୍‌ରେ ଜଳ ନିଷ୍କାସନ ହୋଇପାରିଲାନି। କିନ୍ତୁ ରାସ୍ତାର ଡିଜାଇନ୍‌ଜନିତ ତ୍ରୁଟି ଯୋଗୁ ଏବେ ସବୁ ସହରାଞ୍ଚଳ ଜଳବନ୍ଦି ହେଉଛି ତାହା ମାନିବାକୁ ଯନ୍ତ୍ରୀ ନାରାଜ। ଏପରିକି ଆଜି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ଜାତୀୟ ରାଜପଥ କଡ଼ରେ ଯେଉଁ ଡ୍ରେନ୍ ହେଉଛି ସେଥିରେ ପାଣି ଯାଉନି। ଆମକୁ ଜଳବାୟୁ ଉପଯୋଗୀ ରାସ୍ତା ନିର୍ମାଣ କରିବାକୁ ହେବ। ରାସ୍ତା ଏମିତି ହେବା ଦରକାର ଯେପରି ସେହି ରାସ୍ତାର ପାଣି ପାଖ ଡ୍ରେନ୍‌ରେ ଯିବ।

ଉଦାହରଣ ସ୍ବରୂପ ରାଜଧାନୀ ଭୁବନେଶ୍ବରକୁ ନିଆଯାଉ। ଟପୋଗ୍ରାଫି ବା ସ୍ଥଳାକୃତି ବା ଭୂବିବରଣ ଦୃଷ୍ଟିରୁ  ଭୁବନେଶ୍ବରରେ କଦାପି ପାଣି ଜମିବା କଥା ନୁହେଁ। ଭୁବନେଶ୍ବର ତିନି ପାର୍ଶ୍ବରେ ନଦୀ ଥାଇ ବି ଏହାକୁ ରାଜଧାନୀ କରିବାର ଏହା ବଡ଼ କାରଣ ଥିଲା। ଏପରିକି ସହର ଭିତରର ପାଣି ଯେପରି ୧୦ଟି ପ୍ରାକୃତିକ ନାଳରେ ବହିଯିବ ସେହିଭଳି ଏହାର ଟପୋଗ୍ରାଫି ଥିଲା। କିନ୍ତୁ ରାସ୍ତାର ଉଚ୍ଚତା ଏତେ ବଢ଼ିଯାଇଛି ଯେ ପ୍ରାକୃତିକ ନାଳକୁ ସ୍ବତଃସ୍ଫୁର୍ତ୍ତ ଭାବେ ପାଣି ବହୁନି। ବିଭିନ୍ନ ଡ୍ରେନ୍‌ ଏହି ପ୍ରାକୃତିକ ନାଳକୁ ସଂଯୋଗ ହୋଇଥିଲେ ବି ଡ୍ରେନ୍‌ ନିର୍ମାଣ ବେଳେ ଏହାର ଜଳସ୍ତର (ୱାଟର ଲେଭେଲ୍) ଠିକ୍ ଭାବେ ନିଆଯାଇନଥିବାରୁ ନାଳରେ ପାଣି ପହଞ୍ଚିବା ପୂର୍ବରୁ ରାସ୍ତାକୁ ବୁଡ଼ାଇ ଦେଉଛି। ସବୁ ରାସ୍ତା କଡ଼ରେ ଡ୍ରେନ୍ ନିର୍ମାଣ ହୋଇଥିବାବେଳେ ରାସ୍ତାରେ କାହିଁକି ପାଣି ଜମିବ ସେ ପ୍ରଶ୍ନର ଉତ୍ତର ନା ବିଏମ୍‌ସି ଦେଉଛି ନା ପୂର୍ତ୍ତ ବିଭାଗ ଦେଇପାରୁଛି।

ସେହିପରି କଟକ ସହରର ଚାରି ପାର୍ଶ୍ବରେ ମହାନଦୀ ଓ କାଠଯୋଡ଼ି ଘେରି ରହିଥିବାବେଳେ ସହରର ପାଣି ନଦୀକୁ ବହି ଯାଉଥିଲା। କିନ୍ତୁ ଏଠାରେ ବି ନଦୀବନ୍ଧଠାରୁ କେଉଁଠି ବହୁ ଉପରେ ତ କେଉଁଠି ବହୁ ତଳେ ରାସ୍ତା  ନିର୍ମାଣ ହୋଇଥିବାରୁ ଜଳ ନିଷ୍କାସନ ସମସ୍ୟା ହେଉଛି। କେବଳ ଏହି ଦୁଇଟି ସହର ନୁହେଁ, ରାଜ୍ୟର ସବୁ ସହରର ଅବସ୍ଥା ଏୟା। ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ରାସ୍ତା ନିର୍ମାଣ ବେଳେ ‘ଜଳ ସ୍ତର’ ବା କେଉଁ ଦିଗକୁ ରାସ୍ତା ସାମାନ୍ୟ ଉଚ୍ଚା ରଖିଲେ ପାଣି ଜମିବନି ତାହାର ସର୍ଭେ କରାଯାଉନି। ରାତି ଅଧିଆ ରାସ୍ତାରେ ପିଚୁ ପଡ଼ୁଥିବାବେଳେ ରାତାରାତି ନୂଆ ରାସ୍ତା ନିର୍ମାଣ କରାଯାଉଛି। ତେଣୁ ରାସ୍ତାକଡ଼ରେ ଡ୍ରେନ୍‌ ଥିଲେ ବି ସେହି ରାସ୍ତାର ପାଣି ସେହି ଡ୍ରେନ୍‌ରେ ନଯାଇ ଅନ୍ୟ କୌଣସି ସ୍ଥାନରେ ଡ୍ରେନ୍‌ରେ ମିଶୁଛି। ନଚେତ୍ ରାସ୍ତା‌ର ଲେଭେଲ୍ ଠିକ୍ ନଥିବାରୁ ରାସ୍ତା ମଝିରେ ପାଣି ଜମି ରହୁଛି। 

ରାସ୍ତା ସର୍ଭେ କଲେ ଜଳବନ୍ଦି ସମସ୍ୟା ସମାଧାନ ହେବ
ରାସ୍ତା ଓ ଡ୍ରେନ୍‌ ନିର୍ମାଣ ବେଳେ ଜଳସ୍ତର ମପାଯାଉନି
ଖୋଳିକି ରାସ୍ତା ନିର୍ମାଣ କରିବାର ନିୟମକୁ କେହି ମାନୁନାହାନ୍ତି

ଯେଉଁ ସଂସ୍ଥା ରାସ୍ତା ନିର୍ମାଣ କରୁଛି, ସେହି ସଂସ୍ଥା ସେହି ରାସ୍ତା କଡ଼ରେ ଡ୍ରେନ୍ ନିର୍ମାଣ କରୁଛି। ତେଣୁ ରାସ୍ତା ଓ ଡ୍ରେନ୍‌ର ସ୍ତର ଠିକ୍ ରହିଲେ ଏହି ସମସ୍ୟା ହୁଅନ୍ତାନି। ଯାହାକୁ ପୂର୍ତ୍ତ ବିଭାଗର ଇଞ୍ଜିନିୟରମାନେ କି ଠିକାସଂସ୍ଥା ପାଳନ କରୁନାହାନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନୂଆ ରାସ୍ତା ନିର୍ମାଣ ହେଉ କି କୌଣସି ମରାମତି ହେଉ, ରାସ୍ତାକୁ ତାଡ଼ି ପିଚୁକୁ ବାହାର କରି ଆଉ ଥରେ କରିବାର ନିୟମ ଅଛି। କିନ୍ତୁ ପିଚୁ ଉପରେ ପିଚୁ ଢଳା, ପିଚୁ ରାସ୍ତା ଉପରେ କଙ୍କ୍ରିଟ ରାସ୍ତା ନିର୍ମାଣ ହେଉଥିବାରୁ ରାସ୍ତାର ଉଚ୍ଚତା ବଢ଼ିଯାଉଛି। ଯେଉଁଥିପାଇଁ ଏବେ ରାସ୍ତାଗୁଡ଼ିକ ଡ୍ରେନ୍‌ ଠାରୁ ଅଧଫୁଟ କିମ୍ବା ଫୁଟେ ଉଚ୍ଚରେ ରହିଲାଣି। ଯଦି ରାସ୍ତାକୁ ତାଡ଼ି ଆଉଥରେ ରାସ୍ତା ନିର୍ମାଣ କରାଯାଆନ୍ତା ତେବେ ଜଳବନ୍ଦି ସମସ୍ୟାକୁ ବହୁ ମାତ୍ରାରେ ଏଡ଼ାଇ ଦିଆଯାଇପାରନ୍ତା। ହେଲେ ଏହି ଦିଗକୁ ଧ୍ୟାନ ଦିଆଯାଉନଥିବାରୁ ଏବେ ରାଜଧାନୀ ସମେତ ସବୁ ସହରାଞ୍ଚଳରେ ୧୦/୧୫ବର୍ଷ ତଳେ ଯେଉଁ ଘର ନିର୍ମାଣ ହୋଇଥିଲା ତା’ଠାରୁ ରାସ୍ତାର ଉଚ୍ଚତା କେଉଁଠି ୩ଫୁଟ ତ କେଉଁଠି ୪ଫୁଟ। ରାସ୍ତା ପାଣି ରାସ୍ତାରେ ନଯାଇ ଏବେ ଘରେ ପଶୁଛି। ତେଣୁ ଜଳବନ୍ଦି ସମସ୍ୟାର ସମାଧାନ ପାଇଁ ସବୁ ରାସ୍ତାର ସର୍ଭେ କରିବା ସହ ରାସ୍ତା ପାଣି ପାଖ ଡ୍ରେନ୍‌କୁ କିପରି ବହିଯିବ ସେ ବ୍ୟବସ୍ଥା କରିବା ଦରକାର।

ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ବିଏମ୍‌ସି, ସିଏମ୍‌ସି ଭଳି ସମସ୍ତ ପୌର ସଂସ୍ଥା ସହରାଞ୍ଚଳର ଗଳିକନ୍ଦି ରାସ୍ତା ଓ ଡ୍ରେନ୍ ନିର୍ମାଣ କରୁଛନ୍ତି। କିନ୍ତୁ ସେମାନେ ଡ୍ରେନ୍‌ର ଲେଭେଲିଂ ଠିକ୍ ଭାବେ ନେଉନାହାନ୍ତି। ଫଳରେ ଡ୍ରେନ୍ କେଉଁଠି ଉଚ୍ଚା ରହୁଛି ତ କେଉଁଠି ନିଚ୍ଚା ରହୁଥିବାରୁ ଜଳ ନିଷ୍କାସନ ହୋଇପାରୁନି। ପ୍ରତିବର୍ଷ ବର୍ଷା ଦିନ ଆସିଲେ ଡ୍ରେନ୍ ସଫା କରିବାକୁ ନିର୍ଦ୍ଦେଶାବଳୀ ଜାରି ହେଉଛି କିନ୍ତୁ ଡ୍ରେନ୍ ଓ ରାସ୍ତା ନିର୍ମାଣ କିପରି ହେଲେ ଜଳବନ୍ଦି ହେବନି ସେନେଇ କିନ୍ତୁ ଗାଇଡଲାଇନ୍ ଜାରି ହୋଇପାରୁନି।

ଏନେଇ ସଡ଼କ ପରିବହନ ଓ ଜାତୀୟ ରାଜପଥର ପୂର୍ବତନ ଡାଇରେକ୍ଟର ଜେନେରାଲ (ରାସ୍ତା ଉନ୍ନତୀକରଣ) ତଥା ଆଇଆର୍‌ସି ପରାମର୍ଶ କମିଟି ସଦସ୍ୟ ଧର୍ମାନନ୍ଦ ଷଡ଼ଙ୍ଗୀ କହିଛନ୍ତି ଯେ ରାସ୍ତା ଡିଜାଇନ୍‌ରେ ତ୍ରୁଟି ଯୋଗୁ ଜଳବନ୍ଦି ସମସ୍ୟା ହେଉଛି ଏହାକୁ ଆମକୁ ମାନିବାକୁ ପଡ଼ିବ। ରାଜ୍ୟ ସରକାର ଏବଂ ରାସ୍ତା ନିର୍ମାଣକାରୀ ସଂସ୍ଥା ରାସ୍ତା ନିର୍ମାଣ ପାଇଁ ଆଇଆର୍‌ସିର ଥିବା ଗାଇଡଲାଇନ୍‌କୁ ମାନୁନାହାନ୍ତି। ନିୟମ କହୁଛି, ରାସ୍ତାକୁ ତାଡ଼ି ରାସ୍ତା ନିର୍ମାଣ/ମରାମତି ହେବ। ଏବେ ସେହି ସାମଗ୍ରୀରେ ରାସ୍ତା ନିର୍ମାଣ କରିବା ଭଳି ଜ୍ଞାନକୌଶଳ ଆସିଲାଣି। ଏହାକୁ କିପରି ସମସ୍ତେ ମାନିବେ ସେନେଇ ଆମେ ଆଲୋଚନା କରିବୁ। ରାସ୍ତା କଡ଼ ଡ୍ରେନ୍‌ଗୁଡ଼ିକୁ ବି ନିୟମିତ ବ୍ୟବଧାନରେ ସଫା କରିବା ଆବଶ୍ୟକ।
ରାସ୍ତା ନିର୍ମାଣ ବେଳେ କିପରି ଦୁର୍ଘଟଣା ହେବନି ସେନେଇ କେନ୍ଦ୍ର, ରାଜ୍ୟ ସରକାର ଓ ବିଭିନ୍ନ ସଂସ୍ଥା ସର୍ଭେ କରୁଛନ୍ତି। କିନ୍ତୁ ରାସ୍ତା ପାଇଁ ଯେଉଁ ଜଳବନ୍ଦି ସମସ୍ୟା ହେଉଛି ତାହା ଯେପରି ହେବନି ସେନେଇ କେହି ମୁଣ୍ଡ ଖେଳାଉ ନାହାନ୍ତି। ଭୁବନେଶ୍ବରରେ ଏବେ ଆଇଆର୍‌ସି ବା ଭାରତୀୟ ରୋଡ୍‌ କଂଗ୍ରେସ ଅଧିବେଶନ ବସିଥିବାବେଳେ ସାରା ଦେଶର ଜଳବନ୍ଦି ସମସ୍ୟା ଦୂର କରିବା ପାଇଁ ଏହା ଉପରେ ମାନସମନ୍ଥନ ହେବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe