YouTube
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ରେତ ଜଳସେଚନ ପ୍ରକଳ୍ପର ୩ଟି ବିସ୍ଥାପିତ କଲୋନିର ପାରିପାର୍ଶ୍ବିକ ରାସ୍ତା ନିର୍ମାଣ ଓ ମରାମତି ଏବଂ ରେତ ଡ୍ୟାମରେ ସୁରକ୍ଷାକର୍ମୀ ମୁତୟନ ସମେତ ୪ ଦଫା ଦାବିପତ୍ର କଳାହାଣ୍ଡି ଜିଲ୍ଲାପାଳଙ୍କୁ ଗ୍ରାମବାସୀମାନେ ପ୍ରଦାନ କରିଛନ୍ତି। ଅଭିଯୋଗ ଅନୁସାରେ, ରେତ ଜଳସେଚନ ପ୍ରକଳ୍ପର ବିସ୍ଥାପିତ ପରିବାର ଓ ବଡ଼ବାତୁଆ ଗ୍ରାମର ଅଧିବାସୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସରକାରଙ୍କ ତରଫରୁ କୋଷାଡୁଙ୍ଗରିଠାରେ ୧୧ଟି ପରିବାରଙ୍କୁ ଯୋଗାଇ ଦିଆଯାଇଥିବା ଘରଡିହ ଡଙ୍ଗର ଅଟେ। ଏଠାରେ ଘର ତିଆରି କରିବା କଷ୍ଟସାଧ୍ୟ। କର୍ତ୍ତୃପକ୍ଷଙ୍କ ଦ୍ବାରା ଡଙ୍ଗରକୁ ସମତୁଳ କରାଗଲେ ଘର ନିର୍ମାଣ ହୋଇପାରିବ।
ତେଣୁ କର୍ତ୍ତୃପକ୍ଷ ତୁରନ୍ତ ଏଦିଗରେ ପଦକ୍ଷେପ ନେବା ଆବଶ୍ୟକତା ରହିଛି। କିର୍କାପଟା ଓ ବାତୁଆ ଗ୍ରାମରେ ୨ଟି ବିସ୍ଥାପିତ ବସ୍ତି ସ୍ଥାପନ କରାଯାଇଛି। ପ୍ରତି ବସ୍ତିରେ ୧୫ଟି ପରିବାରଠାରୁ ଅଧିକ ବିସ୍ଥାପିତ ପରିବାର ରହୁଛନ୍ତି। ସରକାରଙ୍କ ୨୦୦୬ ମସିହା ବିସ୍ଥାପନ ନୀତି ଅନୁସାରେ ବିଜୁଳି, ପାନୀୟ ଜଳ ଓ ରାସ୍ତା ଯୋଗାଇ ଦେବାକୁ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି। କିନ୍ତୁ ଏନେଇ ସମସ୍ତେ ନିରବଦ୍ରଷ୍ଟା ସାଜିଛନ୍ତି। ଗୁଣ୍ଡ୍ରିଠାରୁ ବଡ଼ବାତୁଆ ଗ୍ରାମକୁ ପାରିପାର୍ଶ୍ବିକ ରାସ୍ତା ଅଧାରୁ ଅଟକି ଯାଇଛି। କର୍ତ୍ତୃପକ୍ଷ ବିଭିନ୍ନ ସମସ୍ୟାର ଆଳ ଦେଖାଇ କାମକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କରି ନାହାଁନ୍ତି। ସାନକାର୍ଲି ଗ୍ରାମର ରାଜାମୁଣ୍ଡା ଓ ଗାଁ ନିକଟରେ ୨ଟି ପୋଲ ନିର୍ମାଣର ଆବଶ୍ୟକତା ରହିଛି। ପ୍ରକଳ୍ପର ବିଭିନ୍ନ କାମରେ କୁଶଳୀ ଓ ଅଣକୁଶଳୀ ଶ୍ରମିକ ଭାବରେ ପ୍ରଥମେ ବିସ୍ଥାପିତ ବ୍ୟକ୍ତିଙ୍କୁ କର୍ମନିୟୋଜନ କରାଯିବ ନିମନ୍ତେ ଦାବି କରାଯାଇଛି। ଏହି ଦାବି ନେଇ ରେତ ବିସ୍ଥାପିତ ପରିବାର ଓ ବଡ଼ବାତୁଆ ଗ୍ରାମର ଅଧିବାସୀମାନେ ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଓ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଦାବିପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ଏନେଇ ପଦକ୍ଷେପ ନନେଲେ ଗ୍ରାମବାସୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
Follow Us