ରାଜନୈତିକ ଦଳ ଓ ସଙ୍ଗଠନର ଦାବି ପ୍ରଭାବଶୂନ୍ୟ

Advertisment

ଆଗଉନି ରେଳ ସଂଯୋଗୀକରଣ ପ୍ରକଳ୍ପ, ସ୍ବତନ୍ତ୍ର ରେଳ ଡିଭିଜନକୁ ରେଳବାଇର ନାଁ

ଆଗଉନି ରେଳ ସଂଯୋଗୀକରଣ ପ୍ରକଳ୍ପ, ସ୍ବତନ୍ତ୍ର ରେଳ ଡିଭିଜନକୁ ରେଳବାଇର ନାଁ

ରାଜନୈତିକ ଦଳ ଓ ସଙ୍ଗଠନର ଦାବି ପ୍ରଭାବଶୂନ୍ୟ

Financial Times

ରାଉରକେଲା: ରେଳବାଇ ବିକାଶ କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲାକୁ ରେଳ ବିଭାଗ ବାରମ୍ବାର ଅବହେଳା କରି ଆସୁଛି। ରେଳବାଇ ଅବହେଳାରୁ ପ୍ରସ୍ତାବିତ ଓ ଚାଲିଥିବା ପ୍ରକଳ୍ପଗୁଡ଼ିକୁ କିପରି ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେଉ ନାର୍ହି। ଜିଲ୍ଲାର ରେଳ ବିକାଶକୁ ନେଇ ବର୍ଷ ବର୍ଷ ଧରି ଆନ୍ଦୋଳନ ଜାରି ରହିଥିବା ରାଉରକେଲା ଡେଭଲପମେଣ୍ଟ ‌ଫୋରମ୍, ତାଳଚେର-ବିମଳାଗଡ ସଂଘର୍ଷ ସମିତି, ରେଳ ସଡ଼କ ଉପଯୋଗକାରୀ ସଂଘ, ଉତ୍ତର ଓଡ଼ିଶା ରେଳ ସମନ୍ବୟ ସଂଘ, ରାଉରକେଲା ବିକାଶ ମଞ୍ଚ ପରି ଅନେକ ସଙ୍ଗଠନ ଓ ରାଜନୈତିକ ଦଳର ଦାବି ଯେମିତି ପ୍ରଭାବଶୂନ୍ୟ ହୋଇଯାଇଛି। ଫଳରେ ଜିଲ୍ଲାରେ ଅନେକ ପ୍ରକଳ୍ପ କଚ୍ଛପ ଗତିରେ ଚାଲିଛି। ଆଉ କିଛି ପ୍ରକଳ୍ପ ପ୍ରସ୍ତାବରେ ଅଟକିଛି। ଏପରିକି ରାଉରକେଲା ସ୍ବତନ୍ତ୍ର ରେଳ ଡିଭିଜନ କେବଳ ଧୂଆଁବାଣ ସଦୃଶ ହୋଇଛି।

ରାଉରକେଲା ସ୍ବତନ୍ତ୍ର ରେଳ ଡିଭିଜନ୍‌ ଓ ୬ଟି ରେଳଲାଇନ ସଂଯୋଗକୀକରଣ ଭଳି ବହୁ ପୁରୁଣା ଦାବି କେବଳ ଦାବି ରହି ଯାଇଛି। ୧୯୮୦ରୁ ରାଉର‌‌କେଲାକୁ ସ୍ବତନ୍ତ୍ର ରେଳ ଡିଭିଜନ କରିବାକୁ ଜୋରଦାର୍‌ ଦାବି ହୋଇଆସୁଛି। କିନ୍ତୁ ଏଯାଏଁ ଜିଲ୍ଲାବାସୀଙ୍କୁ ରେଳମନ୍ତ୍ରଣାଳୟ ଭଣ୍ଡାଇ ଚାଲିଛି। ଦକ୍ଷିଣ-ପୂର୍ବ ରେଳବାଇ ଅଧୀନରେ ଚକ୍ରଧରପୁର, ଖଡଗପୁର, ଆଦ୍ରା ଓ ରାଞ୍ଚି ଡିଭିଜନ୍‌ ରହିଛି। ଏହା ଅଧୀନରେ ଓଡ଼ିଶାର ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଓ ଝାରସୁଗୁଡା ଅଛି। ପ୍ରତିବର୍ଷ ଦକ୍ଷିଣ-ପୂର୍ବ ରେଳବାଇ ଯେତିକି ରାଜସ୍ବ ପାଉଛି, ତା’ର ୭୦% କେବଳ ଓଡ଼ିଶାର ଏହି ୫ଟି ଜିଲ୍ଲାରୁ ଯାଉଛି। ପୁଣି ଚକ୍ରଧରପୁର ରେଳ ଡିଜିଜନ ଅଧୀନରେ ଅଛି ସୁନ୍ଦରଗଡ, ଝାରସୁଗୁଡା ଓ କେନ୍ଦୁଝର ଜିଲ୍ଲା। ଏ ଡିଭିଜନ ବାର୍ଷିକ ପ୍ରାୟ ୧୦ ହଜାର ୫୦୦ କୋଟି ଟଙ୍କା ରାଜସ୍ବ ପାଉଛି, ଯାହାର ୭୦%ରୁ ଅଧିକ ଯାଉଛି ଓଡ଼ିଶାର ଏହି ୩ଟି ଜିଲ୍ଲାରୁ। ଭିତ୍ତିଭୂମି ଦୃଷ୍ଟିରୁ ରାଉରକେଲା ବନ୍ଧମୁଣ୍ଡା ଏଥିପାଇଁ ଉପଯୁକ୍ତ ସ୍ଥାନ। ଏଠାରେ ଏଆର୍‌ଏମ୍‌ ଅଫିସ୍‌ ରହିଛି।

ଏଆର୍‌ଏମ୍‌ ଅଫିସକୁ ଡିଆର୍‌ଏମ୍‌ ଅଫିସ୍‌ କରାଯାଇ ପାରିବ। ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଆବଶ୍ୟକ ଶହ ଶହ ରେଳବାଇ କ୍ବାର୍ଟର୍ସ ମଧ୍ୟ ଖାଲି ପଡିଛି। ଏଠାରେ ରେଲୱେର ସ୍ବତନ୍ତ୍ର ହସ୍ପିଟାଲ ଅଛି। ଏସବୁ ଦୃଷ୍ଟିରୁ ରାଉରକେଲାକୁ ସ୍ବତନ୍ତ୍ର ଡିଭିଜନ୍‌ କରିବାର କୌଣସି ଅସୁବିଧା ନାହିଁ। କିନ୍ତୁ ବିଭାଗ ପକ୍ଷରୁ ଆଜି ପର୍ଯ୍ୟନ୍ତ ସବୁଜ ସଙ୍କେତ ମିଳୁନି। ସେମିତି ଜିଲ୍ଲାର ଅର୍ଥନୈତିକ ବିକାଶରେ ବାଧକ ସାଜିଛି ୬ଟି ରେଳ ଲାଇନ ସଂଯୋଗକରଣ କାମ। ରେଳ ବୋର୍ଡ ପକ୍ଷରୁ ଏ ବାବଦରେ କୋଟି କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଜମି ଅଧିଗ୍ରହଣ ସମସ୍ୟା ଓ ଇଚ୍ଛାଶକ୍ତି ଅଭାବରୁ ଏସବୁ କେବଳ ସର୍ଭେରେ ଅଟକିଛି। ରକ୍ସି-ବାଂଶପାଣି ଭାୟା କୋଇଡା (୫୭.୫ କି.ମି.) ପାଇଁ ୧୭୪୬.୨୯ କୋଟି, କିରିବୁରୁ- ବଡ଼ବିଲ (୨୪.୨ କି.ମି.) ୭୦୫.୧୭ କୋଟି, କଲୁଙ୍ଗା- ଲାଠିକଟା ( ପ୍ରାୟ ୧୫ କି.ମି. ) ପାଇଁ ୧୫୦ କ‌ୋଟି ବ୍ୟୟ ବରାଦ ହୋଇଛି ଅନେକ ଆଗରୁ। ଗତ ୨୦୧୮ ମେ’ ୩ରେ କୋଇଡା- ବଡ଼ବିଲ୍‌ ଲାଇନ ସର୍ଭେ କରି ରେଲୱେ ବୋର୍ଡକୁ ପ୍ରସ୍ତାବ ଦିଆଯାଇଥିଲା।

ସେମିତି ଝାରସୁଗୁଡା-ଅମ୍ବିକାପୁର, କିରିବୁରୁ-ଗୋଆ ରେଳ ଲାଇନ ପାଇଁ ମଧ୍ୟ ସର୍ଭେ ହୋଇଥିଲା। ମୋଟାମୋଟି ଭାବେ ୨୦୨୩-୨୪ ସୁଦ୍ଧା ଏସବୁ ରେଳ ଲାଇନ କାମ ଶେଷ ହୋଇ ପାରିବା କଥା। କିନ୍ତୁ ସେଦିଗରେ ଆନ୍ତରିକତା ଦେଖିବାକୁ ମିଳୁନାହିଁ। ଅନୂରୂପ ଭାବେ ବହୁ ଦିନର ଦାବି ତାଳଚେର- ବିମଳାଗଡ ରେଳ ଲାଇନ କାମ ମଧ୍ୟ କଚ୍ଛପ ଗତିରେ ଚାଲିଛି। ସୁନ୍ଦରଗଡ ଜିଲ୍ଲାରେ ରାଜ୍ୟର ଷ୍ଟିଲ ହବ୍‌ ହେବାକୁ ଯାଉଛି। ବନ୍ଦ ପଡିଥିବା ଖଣିଗୁଡ଼ିକ ନିଲାମ ହୋଇ ପୁଣି ସେଠାରୁ ଲୌହ ପଥର ଉତ୍ତୋଳନ ଆରମ୍ଭ ହେବ। ଏସବୁ ଦୃଷ୍ଟିକୋଣରୁ ଏହି ୬ଟି ରେଳ ପ୍ରକଳ୍ପ ଶେଷ ହେବା ନିହାତି ଆବଶ୍ୟକ। ଲାଠିକଟା- କଲୁଙ୍ଗା ଷ୍ଟେସନ ପାଖରେ କୌଣସି ସ୍ଥାନରେ ରେଲୱେ ସାଇଡିଂ ନିର୍ମାଣ କରାଗଲେ ସ୍ମାର୍ଟ ସିଟି ରାଉରକେଲାର ଟ୍ରାଫିକ ସମସ୍ୟା ଅନେକାଂଶରେ ଦୂର ହୋଇପାରନ୍ତା। ରେଳ ବିଭାଗ ଜିଲ୍ଲାରୁ ଆହୁରି କୋଟି କୋଟି ଟଙ୍କା ଅଧିକ ରାଜସ୍ବ ପାଇପାରନ୍ତା। ଜିଲ୍ଲା ପ୍ରମୁଖ ସମସ୍ୟା ପ୍ରତି ରାଜନୈତିକ ଦଳ ଓ ସଙ୍ଗଠଗୁଡ଼ିକ ପକ୍ଷରୁ ଗୁରୁତ୍ବ ଦିଆଯାଉ ନାହିଁ। ଫଳସ୍ବରୂପ ସୁନ୍ଦରଗଡ଼ ଜିଲ୍ଲା ରେଳ ବିକାଶ କ୍ଷେତ୍ରରେ ବର୍ଷ ବର୍ଷ ଧରି ଅବହେଳିତ ହୋଇ ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe