ବଙ୍ଗୋମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ, ୧୫ରୁ ଅଧିକ ଗୁରୁତର: ୧୪୪ ଧାରା ଜାରି କଲା ପ୍ରଶାସନ

Advertisment
ବଙ୍ଗୋମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ, ୧୫ରୁ ଅଧିକ ଗୁରୁତର: ୧୪୪ ଧାରା ଜାରି କଲା ପ୍ରଶାସନ

କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଗାଁରେ ଅଭାବନୀୟ ଘଟଣା ଦେଖାଦେଇଛି। ସୋମବାର ଅନୁଷ୍ଠିତ ଛତର ଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି। ପରେ ବିବାଦ ଗଣ୍ଡଗୋଳର ରୂପ ଧାରଣ କରିଥିବା ବେଳେ ଏଥିରେ ୧୫ରୁ ଅଧିକ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡ଼ିଛି। ତେବେ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ପାଟଖଣ୍ଡା ଯାତ୍ରା ପାଇଁ ବଙ୍ଗୋମୁଣ୍ଡା ସହରରେ ଆଜିଠାରୁ ୨୬ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଥିବା ଟିଟିଲାଗଡ଼ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଗଣ୍ଡଗୋଳ କରିବା ସହ ଖଣ୍ଡା ଧରି ବୁଲୁଥିବା ଅଭିଯୋଗରେ ଉଭୟ ଗୋଷ୍ଠୀର ୫ ଜଣ ସଦସ୍ୟଙ୍କୁ ପୁଲିସ୍ ଗିରଫ କରି ମୁରିବାହାଲ କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ବଙ୍ଗୋମୁଣ୍ଡାର ରିଣ୍ଟୁ ବାଗ, ଉମେଶ ଛୁରା, ରଘୁବୀର ହିଆଲ, ରାଜା ଭୋଇ ଓ ଜିତୁ ଭୋଇଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଯାଇଥିବା ଏସ୍‌ଡିପିଓ ଗୌରାଙ୍ଗ ଚରଣ ସାହୁ ସୂଚନା ଦେଇଛନ୍ତି।

ଦୁଇ ଦିନ ତଳେ ବଙ୍ଗୋମୁଣ୍ଡା ଥାନା ବଙ୍ଗୋମୁଣ୍ଡା ଗାଁରେ ଛତର ଯାତ୍ରା ହୋଇଥିଲା। ଏହି ସମୟରେ କୌଣସି ଏକ କଥାକୁ ନେଇ ଆଦିବାସୀ ଓ ଦଳିତ ସମାଜ ମଧ୍ୟରେ ସଂଘର୍ଷ ଘଟିଥିଲା। ଆଦିବାସୀ ସମାଜର ପାଞ୍ଚ ଜଣଙ୍କୁ ଦଳିତ ସମାଜର କିଛି ଲୋକ ଆକ୍ରମଣ କରିଥିଲେ। ଆକ୍ରମଣ କରିଥିବା ଦଳିତ ସମାଜର ସଦସ୍ୟଙ୍କୁ ଗିରଫ ଦାବି ନେଇ ମଙ୍ଗଳବାର ସକାଳ ୧୦ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆଦିବାସୀ ସମାଜ ତଥା ଗ୍ରାମବାସୀ ବଙ୍ଗୋମୁଣ୍ଡା ଥାନା ଘେରାଉ କରିଥିଲେ। ସନ୍ଧ୍ୟାରେ ପୁଣି ଥରେ ବଙ୍ଗୋମୁଣ୍ଡା ଗାଁର ଗୋଳେଇ ଛକରେ କିଛି ଲୋକ ମିଶି ରାସ୍ତାରେ ହୋହାଲ୍ଲା କରିଥିଲେ। ଯାହାକୁ ନେଇ ଗାଁରେ ପୁଣି ଚାପା ଉତ୍ତେଜନା ଦେଖାଦେଇଥିଲା। ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ପାଞ୍ଚ ଜଣଙ୍କୁ ପୁଲିସ୍ ଗିରଫ କରିବା ସହ ଗାଁର ସବୁ ଛକ ଓ ଗଳି କନ୍ଦିରେ ବ୍ୟାପକ ଫୋର୍ସ ମୁତୟନ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe