ଶିଶୁଭବନ ଛକ ପାଲଟିଲା ରଣକ୍ଷେତ୍ର; ପୁଲିସ-ବିଜେପି କର୍ମୀ ଧସ୍ତାଧସ୍ତି; ଅଣ୍ଡାମାଡ଼, ୩ ଆହତ

Advertisment

ଘଣ୍ଟ, ସିଙ୍ଗ ବାଜାରେ କମ୍ପିଲା ରାଜଧାନୀ

ଘଣ୍ଟ, ସିଙ୍ଗ ବାଜାରେ କମ୍ପିଲା ରାଜଧାନୀ

ଶିଶୁଭବନ ଛକ ପାଲଟିଲା ରଣକ୍ଷେତ୍ର; ପୁଲିସ-ବିଜେପି କର୍ମୀ ଧସ୍ତାଧସ୍ତି; ଅଣ୍ଡାମାଡ଼, ୩ ଆହତ

ଭୁବନେଶ୍ବର : ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଓ ଅର୍ଚ୍ଚନା ନାଗ କେଳଙ୍କାରୀକୁ ନେଇ ବିବାଦ ଥମିବାରେ ନାଁ ଧରୁନି। ସାରା ରାଜ୍ୟ ଉଠୁଛି ପଡ଼ୁଛି। ଆଉ ଆଜି ରାଜଧାନୀରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମଳିଛି। ଦୁଇଟି ଘଟଣାକୁ ନେଇ ସୋମବାର ଦିନ ବିଜେପିର ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମ ବେଳେ ଶିଶୁ ଭବନ ଛକ ଏକ ପ୍ରକାର ରଣକ୍ଷେତ୍ର ପାଲଟିଥିଲା। ପୁଲିସ-ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିଲେ। ଏମିତିକି କିଏ ପୁଲିସ ଉପରକୁ ଅଣ୍ଡାମାଡ଼ କରୁଥିଲା ତ କିଏ ପାଣି ବୋତଲ ଫୋପାଡ଼ିଥିଲା। ଖାଲି ସେତିକି ନୁହେଁ ବିଜେଡି ନେତା, ମନ୍ତ୍ରୀଙ୍କ ପ୍ଲା-କାର୍ଡକୁ ଚିରି ପୁଲିସ ଉପରକୁ ଫୋପାଡ଼ିଥିଲେ। ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଓ ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ନୀରବତାର ପ୍ରତିବାଦ କରି ବିଜେପିର ନବୀନ ନିବାସ ଘେରାଉ ପୂର୍ବରୁ ଶିଶୁଭବନ ଛକରେ ଏଭଳି ଘଣ୍ଟାଏ କାଳ ଧରି ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଥିଲା। କିଏ ଶିଶୁଭବନ ପଟ ବ୍ୟାରିକେଟ୍‌ ଭାଙ୍ଗି ତ କିଏ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଟ ବ୍ୟାରିକେଟ୍‌ ଭାଙ୍ଗି ନବୀନ ନିବାସ ମୁହାଁ ଉଦ୍ୟମ କରିଥିଲେ। ପୁଲିସ ପ୍ରତିବାଦ କରିବାରୁ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା। ଦୁଇ ଘଣ୍ଟାକାଳ କସରତ ପରେ ପୁଲିସ ଆନ୍ଦୋଳନକାରୀଙ୍କୁ ଗିରଫ ପରେ ସ୍ଥିତି ଆୟତ୍ତ ହୋଇଥିଲା। ଅନ୍ୟପଟେ ଧସ୍ତାଧସ୍ତି ଯୋଗୁଁ ୩ଜଣ ଆହତ ‌ହୋଇଥିଲେ।

publive-image

ଦିନ ପାଖାପାଖି ସାଢ଼େ ୧୨ଟା ସମୟରେ ହଜାର ହଜାର ବିଜେପି କର୍ମୀ ରାଜ୍ୟ କାର୍ଯ୍ୟାଳୟରୁ ଘଣ୍ଟ, ସିଙ୍ଗବାଜା ବଜାଇ ‌ଶୋଭାଯାତ୍ରାରେ ବାହାରିଥିଲେ। ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ଘଟଣା ଓ ଅର୍ଚ୍ଚନା ନାଗ କେଳେଙ୍କାରୀ ଘଟଣାକୁ ନେଇ ଏକ ଗାଡ଼ିରେ ପ୍ରଥପାନ୍ତ ନାଟକ ସାଙ୍ଗକୁ ହାତରେ ବିଭିନ୍ନ ଦାବି ଲେଖାଥିବା ପ୍ଲାକାର୍ଡ ଧରି ଶିଶୁଭବନ ଛକରେ ପହଞ୍ଚିଥିଲେ।‌ ସେଠାରେ ପହଞ୍ଚିବା ପରେ ଆନ୍ଦୋଳନକାରୀ ନବୀନ ନିବାସ ମୁହାଁ ହୋଇଥିଲେ। ହେଲେ ପୂର୍ବରୁ ପ୍ରସ୍ତୁତ ଥିବା ପୁଲିସ ବଳ ଆନ୍ଦୋଳନକାରୀଙ୍କୁ ଅଟକାଇବାରୁ ଧସ୍ତାଧସ୍ତି ହୋଇଥିଲା। ଏହାପରେ ବିଜେପିର ତୁଙ୍ଗନେତା ଠାରୁ ଆରମ୍ଭ କରି କର୍ମୀ ରାସ୍ତାରେ ବସି ଧାରଣା ଦେଇଥିଲେ। ଏମିତିକି ତଳେ ଶୋଇ ପ୍ରତିବାଦ କରିଥିଲେ।

ବିଜେପି ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାର ସର୍ବଦା ମା’କୁ ସମ୍ମାନର କଥା କହୁଛନ୍ତି। କିନ୍ତୁ ବାସ୍ତବରେ ଶାସକ ଦଳର ନେତା, ବିଧାୟକ ଓ ମନ୍ତ୍ରୀମାନେ ଦୁଷ୍କର୍ମ, ହତ୍ୟା, ଯୌନ କେଳେଙ୍କାରୀରେ ଲିପ୍ତ ରହୁଛନ୍ତି। ଶାସକ ଦଳର ନେତାଙ୍କ ଦୁଷ୍କର୍ମ ବଢ଼ୁଥିଲେ ମଧ୍ୟ ଶାସକ ଦଳର ମୁଖିଆ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇବା ଓ ଚୁପ୍ ରହିବା ଏକ ଅଭ୍ୟାସରେ ପରିଣତ ହୋଇଛି। କାରଣ ସ୍ୱର୍ଗତଃ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା କରିବା ପୂର୍ବରୁ ଜଣେ ବନ୍ଧୁଙ୍କୁ ଫୋନ କରି ତାଙ୍କ ଆତ୍ମହତ୍ୟା ଲାଗି ଗଣଶିକ୍ଷା ମନ୍ତ୍ରୀ ଦାୟୀ ବୋଲି ଅଡିଓ ଭାଇରାଲ ହୋଇଥିଲା। ସେହିପରି ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ବାସଭବନରେ ବିଜୁ ଜନତା ଦଳର ୧୨ରୁ ଊର୍ଧ୍ବ ମନ୍ତ୍ରୀ, ୩୦ରୁ ଅଧିକ ବିଧାୟକ ଯାଇଥିବା ଫଟୋ ଭାଇରାଲ ହୋଇଛି। ଅର୍ଚ୍ଚନା ନାଗ ୫ବର୍ଷ ଭିତରେ ପାଖାପାଖି ଶହେ କୋଟି ସମ୍ପତ୍ତିର ଅଧିକାରୀ କିପରି ହେଲେ? ତାହାର ଜବାବ ରାଜ୍ୟ ସରକାର ରଖନ୍ତୁ। ଅର୍ଚ୍ଚନାଙ୍କ ସତ୍ୟବିହାର ଘରେ ଟ୍ରାନ୍ସଫର୍‌, ପୋଷ୍ଟିଂ ଓ ଟେଣ୍ଡର ଫିକ୍ସିଂ ଭଳି ନିଷ୍ପତ୍ତି ନିଆଯାଉଥିଲା।

publive-image

ବାରବାଟୀ ଷ୍ଟାଡିୟମ୍‌ରେ ହୋଇଥିବା କ୍ରିକେଟ୍ ଖେଳର ଶହ ଶହ ପାସ୍ ଅର୍ଚ୍ଚନାଙ୍କୁ କିଏ ଦେଇଥିଲା? ଏହି ୨ଟି ସମ୍ବେଦନଶୀଳ ଘଟଣାର ପ୍ରମାଣ ନଷ୍ଟ କରିବାକୁ ରାଜ୍ୟ ସରକାର ସମୟ ଗଡାଉଛନ୍ତି। ରାଜ୍ୟ ସରକାରଙ୍କୁ ଜାଗ୍ରତ କରିବା ସହ ମୁଖିଆଙ୍କ ନିଦ ଭାଙ୍ଗିବାକୁ ଆଜିର ନବୀନ ନିବାସ ଘେରାଉ। ତୁରନ୍ତ ଗଣଶିକ୍ଷା ମନ୍ତ୍ରୀ, ତାଙ୍କର ସହଯୋଗୀ ଏବଂ ଅର୍ଚ୍ଚନା ନାଗ ମାମଲାରେ ସମ୍ପୃକ୍ତ ନେତାମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନା ନିଆଯାଉ। ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ବିଜେପି ଚେତାବନୀ ଦେଇଛି। ଆନ୍ଦୋଳନରେ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ବିଜେପି ବରିଷ୍ଠନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ଉପସଭାନେତ୍ରୀ ପ୍ରଭାତୀ ପରିଡା, ଅନିତା ଶୁଭଦର୍ଶୀନି ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ସୋନାଲୀ ସାହୁ, ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂହ, ପୁରୀ ଜିଲ୍ଲା ସଭାପତି ଆର୍ଶ୍ରିତ ପଟ୍ଟନାୟକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶାରଦା ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe