ଅର୍କେଷ୍ଟ୍ରା ଦେଖାରୁ ଗୋଷ୍ଠୀ ସଂଘର୍ଷ: ତୋରାରେ ଫାଙ୍କା ଗୁଳିମାଡ଼!     

Advertisment
ଅର୍କେଷ୍ଟ୍ରା ଦେଖାରୁ ଗୋଷ୍ଠୀ ସଂଘର୍ଷ: ତୋରାରେ ଫାଙ୍କା ଗୁଳିମାଡ଼!     

The New Indian Express

ବରଗଡ଼: ସୋମବାର ବିଳମ୍ବିତ ରାତିରେ ଅର୍କେଷ୍ଟ୍ରା ଦେଖାରୁ ଭିନ୍ନ ଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ଗୋଷ୍ଠୀ ସଂଘର୍ଷ ସହ ପୁଲିସ୍‌କୁ ମାଡ଼ ଏବଂ ଗାଡ଼ି ଭଂଗାରୁଜା ଘଟଣା ଦେଖିବାକୁ ମିଳିଛି। ବରଗଡ଼ ସହର ସଂଲଗ୍ନ ତୋରା ଗାଁରେ ଗତରାତିରେ ଅର୍କେଷ୍ଟ୍ରା କାର୍ଯ୍ୟକ୍ରମ ଚାଲିଥିଲା। ଟାଂଗରପଡ଼ା ପକ୍ଷରୁ ଏହା ଆୟୋଜନ ଚାଲିଥିଲା। ନିକଟସ୍ଥ ଟାଂଗରପାଲି ଗାଁରୁ ମଧ୍ୟ ସେଠାକୁ ଯୁବକମାନେ କାର୍ଯ୍ୟକ୍ରମ ଦେଖିବାକୁ ଆସିଥିଲେ। ଆର୍କେଷ୍ଟ୍ରା ଚାଲିଥିବାବେଳେ ଟାଂଗରପାଲିର କିଛି ଯୁବକ ନିକଟସ୍ଥ ଦୋକାନକୁ ଅଣ୍ଡା ଖାଇବାକୁ ଆସିଥିଲେ। ସେଠାରେ ସ୍ଥାନୀୟ ଯୁବକଙ୍କ ସହ ବଚସା ହୋଇଥିଲା। ଏହାପରେ ରାତି ୩ଟା ବେଳେ ଟାଂଗରପାଲିର କିଛି ଯୁବକ ଗାଡ଼ିରେ ସେଠାରେ ପହଂଚିଥିଲେ। ରାତି ସାରା ସେଠାରେ ଆତଙ୍କରାଜ୍‌ ଚଳାଇଥିଲେ ବୋଲି ତୋରା ବଜାର କମିଟି ଅଭିଯୋଗ କରିଛି। ଉକ୍ତ ଯୁବକମାନେ ତୋରା ବଜାରରେ ଥିବା ଏଟିଏମ୍‌ ଭଂଗାରୁଜା କରିଥିଲେ। ପରେ ଆଖପାଖ ଦୋକାନ ବି ଭଂଗାରୁଜା କରିଥିଲେ। ପରେ ପିସ୍ତଲରେ ଫାଙ୍କା ଗୁଳିମାଡ଼ କରିଥିବା କମିଟି ଅଭିଯୋଗ କରିଛି। ଏନେଇ କମିଟିର ସଦସ୍ୟମାନେ ଟାଉନ ଥାନା‌େର ଅଭିଯୋଗ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ତୋରାରେ ସ୍ଥାୟୀ ଫାଣ୍ଡି ଖୋଲିବାକୁ ଦାବି କରିଥିଲେ। ଅନ୍ୟପକ୍ଷରେ ତୋରାରେ ଟାୟାର ଜାଳି ରାସ୍ତା ଅବରୋଧ ବି ହୋଇଛି।

ସେହିପରି ଟାଉନ ଥାନା ଅନତି ଦୂରରେ ସୋମବାର ବିଳମ୍ବିତ ରାତିରେ ଦୁଇ ପଡ଼ା ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଚାଲିଛି। ଆର୍କେଷ୍ଟ୍ରା ଦେଖା ବେଳେ ଦୁଇ ଗୋଷ୍ଠୀର ଯୁବକମାନଙ୍କ ମଧ୍ୟରେ କଥା କଟାକଟି ଏବଂ ପରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ପୁଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଂଚି ମାମଲା ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ପୁଲିସ୍‌ ଉପରକୁ ବି ଆକ୍ରମଣ ହୋଇଥିବା। ଅସାମାଜିକ ଯୁବକମାନଙ୍କ ସଂଘବଦ୍ଧ ଆକ୍ରମଣରେ କିଛି ପୁଲିସ୍‌ କର୍ମଚାରୀ ସାମାନ୍ୟ ଆହତ ହୋଇଥିଲେ। ଦୁର୍ବୃତ୍ତମାନେ ପୁଲିସ୍‌ ଗାଡ଼ିକୁ ଢେଲା ମାଡ଼ କରି ଭଂଗାରୁଜା କରିଥିଲେ। ଏନେଇ ଟାଉନ୍‌ ପୁଲିସ୍‌ ଏକ ମାମଲା ବି ରୁଜୁ କରିଛି। ମଙ୍ଗଳବାର ସଂଧ୍ୟାରେ ଟାଉନ୍‌ ଥାନାରେ ପୁଲିସ୍‌ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଶାନ୍ତିକମିଟି ବସିଛି।

ସବୁର ମୂଳରେ ନିଶା

ବରଗଡ଼: ସହର ଏବଂ ସହର ଉପକଣ୍ଠସ୍ଥ ଇଲାକାରେ ନିଶା କାରବାର ବ୍ୟାପକ ହୋଇଛି। ଅନାୟାସରେ କଫ୍‌ ସିରପ୍‌, ବ୍ରାଉନ୍‌ସୁଗାର୍‌ ମିଳି ଯାଉଛି। ଯାହାକୁ ସେବନ କରି ଯୁବକମାନେ ଖୁଲମଖୁଲା ଆତଙ୍କ ଖେଳାଉଛନ୍ତି। ଗତରାତିରେ ଘଟିଥିବା ଦୁଇଟି ଘଟଣାର ମୂଳ ବି ନିଶା ବୋଲି କୁହାଯାଉଛି। ତୋରା ଅଂଚଳ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଏଠାରେ ସଂଧ୍ୟାରେ ହେଲେ ନିଶା ବେପାର ଜୋର୍‌ସୋର୍‌ ଚାଲିଛି। ପୁଲିସ୍‌ ପାଟ୍ରୋଲିଂ ମାନ୍ଦା ଥିବାରୁ ବେପାରିମାନେ ନିର୍ଭୟରେ ନିଶା କାରବାର ଚଳାଉଛନ୍ତି। ତୋରାର ମୁଖ୍ୟ ରାସ୍ତାରେ ବି ନିଶା ସାମଗ୍ରୀ ମିଳୁଛି। ସେହିପରି ବରଗଡ଼ ସହରରେ ନିଶା ସେବନ କରି ଯୁବକମାନେ ଉତ୍ପାତ କରୁଛନ୍ତି। ଯାହାର ଝଲକ୍‌ ଆଗରୁ ବି ମିଳିଛି। ପୁଲିସ୍‌ ଉପରକୁ ଆକ୍ରମଣ ହୋଇଛି। ଏହାର ପୁନରାବୃତ୍ତି ପୁଣି ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe