ଦୀପାବଳି ପରେ ଖୋଲିପାରେ ପ୍ରଥମରୁ ୭ମ ଶ୍ରେଣୀ

Advertisment
ସ୍କୁଲ ପିଲାଙ୍କ ପାଇଁ ‘ଗୋଟିଏ ଦେଶ-ଗୋଟିଏ ପରିଚୟପତ୍ର’

DNA India

ପାଠ ସହ ପିଲାଙ୍କୁ ଯୋଡ଼ିବାକୁ ‘ଲର୍ଣ୍ଣିଂ କ୍ୟାମ୍ପ୍‌’
ଶିଶୁ ଦିବସରୁ ୩୯୭୫ଟି ସ୍ଥାନରେ ଦ୍ବିତୀୟ ପର୍ଯ୍ୟାୟ କ୍ୟାମ୍ପ୍‌
ନଭେମ୍ବରରୁ ଶିକ୍ଷକଙ୍କୁ ଡିଜିଟାଲ ତାଲିମ

ଭୁବନେଶ୍ବର : ଶିଶୁ ଦିବସ ତଥା ନଭେମ୍ବର ୧୪ରୁ ରାଜ୍ୟର ୩ହଜାର ୯୭୫ ସ୍ଥାନରେ ‘ଲର୍ଣ୍ଣିଂ କ୍ୟାମ୍ପ୍‌’ ହେବ। ଯେଉଁଠାରେ କୁନି କୁନି ପିଲାଙ୍କୁ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରାଯିବ। ଯେଉଁମାନେ ସ୍କୁଲରୁ ମୁହଁ ମୋଡ଼ୁଛନ୍ତି, ସେମାନଙ୍କ ଆଣିବାକୁ ଏଭଳି ପ୍ରୟାସ କରାଯାଉଛି। ‘ମୋ ସ୍କୁଲ’, ‘ପ୍ରଥମ’ ଓ ‘ଭାରତ ଜ୍ଞାନବିଜ୍ଞାନ ସମିତି’ର ମିଳିତ ସହଯୋଗରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦୨୫ ସ୍ଥାନରେ ଏଭଳି କ୍ୟାମ୍ପ କରାଯାଇ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଦିଗରେ ପଦକ୍ଷେପ ନିଆଯାଇଛି। ଏଥିରେ ସଫଳତା ମିଳିଥିବାରୁ ଦ୍ବିତୀୟ ପର୍ଯ୍ୟାୟରେ ବାକି ୩୯୭୫ ସ୍ଥାନରେ କ୍ୟାମ୍ପ୍‌ ହେବ। କାର୍ଯ୍ୟକ୍ରମରେ ବହୁ ପୁରାତନ ଛାତ୍ରଛାତ୍ରୀ ସ୍ବେଚ୍ଛାକୃତ ଭାବେ ସାମିଲ ହୋଇ ପିଲାଙ୍କ ମଧ୍ୟରେ ଗଣିତ ଓ ଭାଷାସାହିତ୍ୟ ଉପରେ ଶିକ୍ଷା‌ଦାନ କରୁଛନ୍ତି।

କୋଭିଡ୍‌-୧୯ ଯୋଗୁଁ ପ୍ରଥମିକ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଛି। ୩୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏ ପର୍ଯ୍ୟନ୍ତ ଶିକ୍ଷାକ୍ଷେତ୍ରକୁ ଫେରି ପାରିନାହାନ୍ତି। କେବେ ସ୍କୁଲ ‌ଖୋଲିବ, କିଭଳି ପଢ଼ିବେ, ତାହାକୁ ନେଇ ଅଭିଭାବକ ଚିନ୍ତାରେ ଅଛନ୍ତି। ଛାତ୍ରଛାତ୍ରୀ ବି ଧୀରେଧୀରେ ପାଠପଢ଼ାରୁ ମୁହଁ ମୋଡ଼ୁଛନ୍ତି। ତାହାକୁ ନଜରରେ ରଖି ଗତ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ‘ଲର୍ଣ୍ଣିଂ କ୍ୟାମ୍ପ୍‌’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ରାଜ୍ୟର ୫ ହଜାର ସ୍ଥାନରେ ଏଭଳି କ୍ୟାମ୍ପ କରାଯାଇ ପିଲାଙ୍କୁ ପୁଣିଥରେ ପାଠ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦୨୫ ସ୍ଥାନରେ ଚାଲିଥିବା ବେଳେ ଆସନ୍ତା ମାସକ ମଧ୍ୟରେ ବାକି ଅଞ୍ଚଳରେ କ୍ୟାମ୍ପ୍‌ କରାଯିବ। ଏଥିରେ ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଯଥା ମାଲକାନଗିରି, କୋରାପୁଟ, କଳାହାଣ୍ଡି, ଗଜପତି, ବୌଦ୍ଧ, ଗଞ୍ଜାମ, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ନୂଆପଡ଼ା ଆଦି ଜିଲ୍ଲାର ପିଲାମାନଙ୍କୁ ନିଜ ଗାଁରେ ଶିକ୍ଷା ଦେବାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ଏମାନଙ୍କୁ ତାଲିମ୍‌ ଦେବା ପାଇଁ ସ୍ବତନ୍ତ୍ର ପାଠ୍ୟ ସାମଗ୍ରୀ ପ୍ରସ୍ତୁତ ହୋଇଛି। ଏହାଦ୍ବାରା ପିଲାମାନେ ସୁବିଧାରେ ପୁଣିଥରେ ଶିକ୍ଷାକୁ ଆପଣାଇପାରିବେ।

ସେପଟେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଡିଜିଟାଲ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇଛି। ଯେଉଁଥିପାଇଁ ଗତ ସପ୍ତାହରେ ‘ମୋ ସ୍କୁଲ ଓ କ୍ବେଷ୍ଟ ଆଲିଆନ୍ସ’ ମଧ୍ୟରେ ରାଜିନାମା ସ୍ବାକ୍ଷରିତ ହୋଇଛି। ଏହା ଅଧୀନରେ ନଭେମ୍ବର ପ୍ରଥମ ସପ୍ତାହରୁ ରାଜ୍ୟର ୧୦୭୨ଟି ସ୍କୁଲର ଦୁଇଜଣ ଲେଖାଏଁ ଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ସେମାନେ ତାଲିମ ନେବା ପରେ ଅନ୍ୟମାନଙ୍କୁ ପ୍ରଶିକ୍ଷିତ କରାଇବେ। ମୋ ସ୍କୁଲ ପ୍ରକଳ୍ପର ଅଡିଟ୍‌ କାର୍ଯ୍ୟକୁ ଜୋରଦାର କରିବାକୁ ସ୍ବତନ୍ତ୍ର ଅଡିଟ୍‌ ଟିମ୍‌ ପଠାଇବାକୁ ସ୍ଥିର ହୋଇଛି। ମୋ ସ୍କୁଲ ପ୍ରକଳ୍ପ କାର୍ଯ୍ୟର ସ୍ବଚ୍ଛତା ବଜାୟ ରଖିବାକୁ ଫିଲ୍ଡ ମନିଟରିଂ ଓ ସୋସିଆଲ୍‌ ଅଡିଟ୍‌କୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ମୋ ସ୍କୁଲ ଅଭିଯାନର ୨୯ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ନିର୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଦୀପାବଳି ପରେ ପ୍ରଥମରୁ ୭ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ନେଇ ବିଚାରବିମର୍ଶ ଚାଲିଛି। ସ୍କୁଲ ଯିବା ପାଇଁ ପିଲାଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହେଲାଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶ ନେଇ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲାଯିବ। ପିଲାମାନଙ୍କ ପାଇଁ ଶିକ୍ଷା ସହ ସ୍ୱାସ୍ଥ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହାକୁ ମୁଖ୍ୟମନ୍ତ୍ରୀ ସବୁବେଳେ ପ୍ରାଥମିକତା ଦେଉଛନ୍ତି। ୮ମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସୁରୁଖୁରୁରେ ଚାଲିଛି। ଅନ୍ୟ ଶ୍ରେଣୀଗୁଡ଼ିକ ମଧ୍ୟ ଖୁବ୍‌ଶୀଘ୍ର ଖୋଲାଯିବ। ମାଟ୍ରିକ୍‌ ପରେ ୧ଲକ୍ଷ ୮୦ ହଜାର ପିଲା ପାଠପଢ଼ାରୁ ମୁହଁ ମୋଡ଼ିଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ନେଇ ଶ୍ରୀ ଦାଶ କହିଛନ୍ତି ଯେ ପିଲାମାନେ କେଉଁଆଡ଼େ ଯାଇ ନାହାନ୍ତି। ବରଂ ବିଭିନ୍ନ ବିଭାଗରେ ଶିକ୍ଷା ଗ୍ରହଣ କରୁଛନ୍ତି। ଯୁକ୍ତ୨, ଡିପ୍ଲୋମା ଓ ଆଇଟିଆଇ ସହ ଅନ୍ୟାନ୍ୟ ବିଭାଗରେ ବି ରହିଛନ୍ତି। ସେମାନଙ୍କୁ ଖୋଜିବାର କୌଣସି ଆବଶ୍ୟକତା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe