ବାପା ଯାଇଛନ୍ତି ଦାଦନ: ଦଶମ ଶ୍ରେଣୀ ଝିଅ ବିକିବ ଧାନ

Advertisment
ବାପା ଯାଇଛନ୍ତି ଦାଦନ: ଦଶମ ଶ୍ରେଣୀ ଝିଅ ବିକିବ ଧାନ

ବଲାଙ୍ଗୀର/ସିନ୍ଧେକେଲା : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଅଳଣ୍ଡା ପଞ୍ଚାୟତର ଲକ୍ଷପତି ରଣା ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲିଯାଇଛନ୍ତି। ଘରେ ଅଛନ୍ତି ଦୁଇ ନାବାଳିକା ଝିଅ। ବଡ଼ଝିଅ ଦଶମ ଶ୍ରେଣୀରେ ପଢ଼ୁଥିବାବେଳେ ସାନଝିଅ ଦ୍ବିତୀୟ ଶ୍ରେଣୀରେ ପଢ଼ୁଛି। ଆଜି ବାପାଙ୍କ ନମିନି ବା ପ୍ରତିନିଧି ଭାବେ ବଡ଼ଝିଅଙ୍କ ନାମକୁ ଧାନ ବିକି କରିବା ପାଇଁ ପଞ୍ଜୀକରଣ କରାଯାଇଛି।

ଅଳଣ୍ଡା ପଞ୍ଚାୟତର ଚିତ୍ର ଟିକେ ଭିନ୍ନ। ଏଠାରେ କେବଳ ଭୂମିହୀନ ଶ୍ରମିକ ନୁହନ୍ତି କ୍ଷୁଦ୍ର ତଥା ମଧ୍ୟମ ଚାଷୀମାନେ ବି ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଛନ୍ତି। ଆଜି ଏ ସମ୍ପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଏଥିସହିତ ଲକ୍ଷପତିଙ୍କ ଦୁଇ ନାବାଳିକା ଝିଅ କିଭଳି ଘ‌ର ଜଗିଛନ୍ତି, ସେ ସମ୍ପର୍କରେ ବି ଏକ କରୁଣ ଚିତ୍ର ଦିଆଯାଇଥିଲା। ଏଥିସହିତ, ଲକ୍ଷପତିଙ୍କ ଘରେ ଅମଳ ହୋଇଥିବା ଧାନ ପଡ଼ିରହିଛି ଏବଂ ଏପଟେ ଟୋକନ ଲାପ୍ସ ହେବା ଉପରେ ବୋଲି ଜଣାପଡ଼ିଥିଲା। ଆଜି ସ୍ଥାନୀୟ ତହସିଲ୍‌ଦାର ଲକ୍ଷପତିଙ୍କ ଘରେ ପହଞ୍ଚି ସେଇଠାରୁ ହିଁ ପଞ୍ଜୀକରଣ ଆରମ୍ଭ କରିଥିଲେ। ଲକ୍ଷପତିଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରି ଘରେ ଥିବା ଧାନରୁ କେତେ ବସ୍ତା ବିକିବାକୁ ଚାହୁଛନ୍ତି ବୋଲି ପଚାରିଥିଲେ। ୭୦ ବସ୍ତାରୁ ୫୦ ବସ୍ତା ଧାନ ବିକିବାକୁ ଥିବା ଲକ୍ଷପତି କହିଥିଲେ। ସେହି କ୍ରମରେ ଲକ୍ଷପତିଙ୍କ ନମିନି ଆକାରରେ ତାଙ୍କ ଝିଅକୁ ରଖାଯାଇ କେମିତି ଧାନ କିଣାଯିବ ତାହାର ବ୍ୟବସ୍ଥା କରାଯାଇଥିଲା। ଏଥର ଜଣେ ଦଶମ ଶ୍ରେଣୀର ଝିଅ ବାପାଙ୍କ ଅନୁପସ୍ଥିତିରେ ନମିନି ହୋଇ ଧାନ ବିକିବା ଘଟଣା ଜିଲ୍ଲାରେ ପ୍ରଥମ ବୋଲି କୁହାଯାଉଛି। ଏପଟେ ଜିଲ୍ଲାପାଳ ମଧ୍ୟ ଲକ୍ଷପତିଙ୍କ ଧାନ କିଣାଯିବା ନେଇ ଟ୍ୱିଟରେ ସୂଚନା ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବଲାଙ୍ଗୀର ଜିଲ୍ଲାରେ ଦାନା ପାଇଁ ଦାଦନ କିଛି ନୂଆ ନୁହେଁ। ଏଠି ପେଟପାଟଣା ପାଇଁ ଶ୍ରମିକ, ଛୋଟ ଚାଷୀ ଦାଦନ ହୁଅନ୍ତି। ଘରେ ବୁଢ଼ା ବାପା ମା ଓ ନିଜ ଜନ୍ମ କଲା ପୁଅ ଝିଅଙ୍କୁ ବି ଛାଡ଼ି ଦାଦନ ଯାଇଥାନ୍ତି। କେହି କେହି ପୂରା ପରିବାର ବାହାର ରାଜ୍ୟକୁ ଚାଲି ଯାଇଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe