୧୦୬ ହାଇସ୍କୁଲରେ ‌ଖୋଲିବ ଏକାଦଶ

Advertisment
୧୦୬ ହାଇସ୍କୁଲରେ ‌ଖୋଲିବ ଏକାଦଶ

Republic World

ଭୁବନେଶ୍ୱର : ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲିବା ସହ ନାମଲେଖା ଆରମ୍ଭ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୃଷି ଭବନଠାରେ ଆଜି ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଏବେଠାରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶୁଭଶ୍ରୀ ନନ୍ଦ ଉନ୍ନୀତ ବିଦ୍ୟାଳୟ ଖୋଲାଯିବାରେ ଡିଇଓମାନଙ୍କ ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ।

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର୍‌. ଆୟାର ଯୋଗଦେଇ କହିଲେ ବିଦ୍ୟାଳୟଗୁଡିକର ଭିତ୍ତିଭୂମି ନିର୍ମାଣ, ନିୟମିତ ଶିକ୍ଷକ ନିଯୁକ୍ତି ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଏହା ସମୟ ସାପେକ୍ଷ। ତେଣୁ ବର୍ତ୍ତମାନ ସ୍ଥିତିରେ ବିଦ୍ୟାଳୟରେ ଉପଲବ୍ଧ କୋଠରୀ ମଧ୍ୟରୁ ଏକାଦଶ ଶ୍ରେଣୀ ପାଇଁ ଶ୍ରେଣୀଗୃହ ଚିହ୍ନଟ କରି ପ୍ରସ୍ତୁତି କରାଯାଉ। ଆବଶ୍ୟକ ସ୍ଥଳେ ସକାଳୁଆ ଶିକ୍ଷାଦାନ ବ୍ୟବସ୍ଥା, ଶିକ୍ଷାଦାନ ପାଇଁ ଅତିଥି ଅଧ୍ୟାପକ ନିଯୁକ୍ତ, ନାମଲେଖା ପାଇଁ ନିଜ ନିଜ ବିଦ୍ୟାଳୟ ସମେତ ସ୍ଥାନୀୟ ଅଞ୍ଚଳର ଉଚ୍ଚ ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ଛାତ୍ରଛାତ୍ରୀଙ୍କ ବସିବା ପାଇଁ ଟେବୁଲ ଚୌକି ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ କହିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ଯୋଗଦେଇ ଉଚ୍ଚ ମାଧ୍ୟମିକସ୍ତରର ଶିକ୍ଷାଦାନ ବ୍ୟବସ୍ଥା, ପରୀକ୍ଷା ଓ ମୂଲ୍ୟାୟନ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ।

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାମସ୍‌ ପୋର୍ଟାଲ ମାଧ୍ୟମରେ ଅନଲାଇନରେ ନାମଲେଖା ବ୍ୟବସ୍ଥା ଓ ସାମସ୍‌ ଡାଟାବେସ୍‌ ଉପରେ ଉପନିର୍ଦ୍ଦେଶକ ଭାଗୀରଥି କାଣ୍ଡି ବିସ୍ତୃତ ଭାବେ ପ୍ରଧାନଶିକ୍ଷକମାନଙ୍କୁ ତାଲିମ ଦେଇଥିଲେ। ଉନ୍ନୀତ ବିଦ୍ୟାଳୟ ପାଇଁ ସମଗ୍ର ଶିକ୍ଷାରେ ଥିବା ବିଭିନ୍ନ ସୁବିଧା ସୁଯୋଗ, ଗୃହ ନିର୍ମାଣ, ଅର୍ଥ ପରିଚାଳନା ବ୍ୟବସ୍ଥା ଆଦି ଉପରେ ଓସେପା ଅଧିକାରୀମାନେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାସ, ସିଏଚ୍‌ଏସ୍‌ଇ ଉପାଧ୍ୟକ୍ଷ ସୁନୀଲ କୁମାର ଜେନା, ଓସେପା ଯୁଗ୍ମ ନିର୍ଦ୍ଦେଶକ ସୁରେଖା ତରେଇ, ଦୀପକ ରାୟ ସମେତ ବହୁ ଅଧିକାରୀ ଉପସ୍ଥିତ ରହି ଅଂଶଗ୍ରହଣକାରୀଙ୍କୁ ଦିଗଦର୍ଶନ ଦେଇଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଅତିରିକ୍ତ ଶିକ୍ଷା ନିର୍ଦ୍ଦେଶକ ବିଜୟା କୁମାରୀ ପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରଫେସର ତିଳୋତ୍ତମା ସେନାପତି ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୩୦ଟି ଜିଲ୍ଲା ଡିଇଓ, ଅତିରିକ୍ତ ଡିଇଓ, ୧୦୬ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ, ୩ଜଣ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଯୋଗଦେଇଥିଲେ। ଯୁଗ୍ମ ନିର୍ଦ୍ଦେଶକ ସନାତନ ପଣ୍ଡା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe