ସ୍ୱଚ୍ଛ ହେବ ମହାନଦୀ

Advertisment

୬ଘଣ୍ଟାରେ ବାହାରିଲା ୧୦ କ୍ୱିଣ୍ଟାଲ୍‌ ଆବର୍ଜନା

୬ଘଣ୍ଟାରେ ବାହାରିଲା ୧୦ କ୍ୱିଣ୍ଟାଲ୍‌ ଆବର୍ଜନା

ସ୍ୱଚ୍ଛ ହେବ ମହାନଦୀ

କଟକ : କଟକରେ ଆରମ୍ଭ ହୋଇଛି ମହାନଦୀ ସଫେଇ ଅଭିଯାନ। ମହାନଦୀକୁ ସ୍ୱଚ୍ଛ ଏବଂ ଆବର୍ଜନାମୁକ୍ତ କରିବା ପାଇଁ ଆନ୍ତର୍ଜାତିକ ସ୍କୁବା ଡାଇଭର ସବିର ବକ୍ସ ଏହି ଅଭିଯାନର ନେତୃତ୍ୱ ନେଇଛନ୍ତି। ମହାନଦୀର ଗୋରାକବର ଘାଟରୁ ସକାଳ ୬ଟାରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ପ୍ରଥମ ଦିନରେ ମାତ୍ର ୬ଘଣ୍ଟା ଭିତରେ ପାଖାପାଖି ୧୦ କ୍ୱିଣ୍ଟାଲ୍‌ ଆବର୍ଜନା ବାହାର କରାଯାଇଛି। ଅଭିଯାନ ପାଇଁ ଗୋରାକବର ଘାଟରେ ପ୍ରଥମେ ୧୦୦ ମିଟର ପରିସୀମାକୁ ଚିହ୍ନଟ କରାଯାଇଥିଲା। ପ୍ରଥମ ଦିନରେ ଏହି ଅଞ୍ଚଳ ଭିତରୁ ମାତ୍ର ୨୫ ପ୍ରତିଶତ ସଫେଇ ସମ୍ଭବ ହୋଇପାରିଛି। ଏହି କାର୍ଯ୍ୟରେ ସବିରଙ୍କ ସର୍ଫିଂ ଓ ଡାଇଭର ଦଳ ସହିତ ସିଏମ୍‌ସି ଓ କିଛି ସ୍ୱେଚ୍ଛାସେବୀମାନେ ମଧ୍ୟ ସାମିଲ ହୋଇଥିଲେ। ଆଗକୁ ସହରର ବିଭିନ୍ନ ପୂଜା କମିଟି ଓ ଯୁବଗୋଷ୍ଠୀଙ୍କୁ ଏହି ଅଭିଯାନରେ ସାମିଲ କରାଇବାକୁ ଚିନ୍ତା କରାଯାଉଥିବା କୁହାଯାଇଛି।

ମହାନଦୀରୁ ଅଳିଆ ଆବର୍ଜନା ବାହାର କରିବା ପାଇଁ ସ୍ୱତନ୍ତ୍ର ବୁଡ଼ାଳିମାନେ ଆଜି ସାମିଲ ହୋଇଥିଲେ। ଆନ୍ତର୍ଜାତିକ ସର୍ଫର ଦିଲେଶ ରାଓ, ମନସ୍ୱିନୀ ମହାରଣା, ମହମ୍ମଦ ଗାଜି, ତୌକିର ନଓ୍ଵାଜ୍‌ ଖାନ୍‌, ମାଧବ ଜେନା ପ୍ରମୁଖ ପାଣି ଭିତରେ ବୁଡ଼ିବା ସହ ଗଭୀର ସ୍ଥାନରୁ ଅଳିଆ ସଂଗ୍ରହ କରିଥିଲେ। ସେମାନଙ୍କୁ ଗ୍ଲୋଭ୍ସ ଓ ମାସ୍କ ମଧ୍ୟ ଦିଆଯାଇଥିଲା। ଦୁଇଟି କାୟାକ୍‌ ସହାୟତାରେ ପାଣି ଭିତରୁ ଅଳିଆ ଗୁଡ଼ିକୁ କୂଳକୁ ଅଣାଯାଇଥିଲା। ପାଣି ଭିତରୁ ଜିନ୍ସ ପ୍ୟାଣ୍ଟ, ସାର୍ଟ ବନ୍ଧାଥିବା ବଡ଼ ବଡ଼ ପ୍ୟାକେଟ୍‌ ସହିତ ତାଲା ପଡ଼ିଥିବା ସ୍କୁଲ୍‌ ବକ୍ସ, ବନ୍ଧା ହୋଇଥିବା ଲୁଗା ବଣ୍ଡଲ୍‌, ଅଖା ଭିତରେ ଗୁଡ଼ା ହୋଇଥିବା ମୃତ ପଶୁ ଇତ୍ୟାଦି ବାହାରିଥିଲା। ତେବେ ପ୍ଲାଷ୍ଟିକ୍‌ ସାମଗ୍ରୀ ଓ ଜରି ବ୍ୟାଗ ଅଧିକ ମିଳିଥିବା କୁହାଯାଇଛି। ଏସବୁକୁ କୂଳରେ ରଖାଯାଇଛି, ସେଥିରୁ ପାଣି ଛାଡ଼ିବା ପରେ ସେଗୁଡ଼ିକୁ ଅନ୍ୟସ୍ଥାନରେ ନଷ୍ଟ କରିବା ପାଇଁ ବ୍ୟବସ୍ଥା କରାଯିବ।

ମହାନଦୀ ସଫେଇ ଅଭିଯାନରେ ସିଏମ୍‌ସି ସହାୟତା ଯୋଗାଇ ଦେଇଛି। ପ୍ରାୟ ୧୦୦ ଜଣ ଶ୍ରମିକଙ୍କୁ ନେଇ ନଦୀ କୂଳ ସଫା କରାଯାଇଛି। ପ୍ରାୟ ୫ଟି ଟ୍ରାକ୍ଟରରେ ଆବର୍ଜନା ଗୁଡ଼ିକୁ ଏଠାରୁ ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe