ପୁରୀ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶେଷରେ ପୁରୀ ସିଡିପିଓ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣି କୃଷ୍ଣଚନ୍ଦ୍ର ଜେନା ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ଦେଢ଼ କୋଟିର ଆୟବର୍ହିଭୂତ ସମ୍ପତ୍ତି ଆକଳନ ପରେ ଆଜି ଭୁବନେଶ୍ବର ଭିଜିଲାନ୍ସ କୃଷ୍ଣଚନ୍ଦ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ସିଡିପିଓ କାର୍ଯ୍ୟାଳୟ କିରାଣି କୃଷ୍ଣଚନ୍ଦ୍ର ପୁରୀ ପୌରସଂସ୍ଥାର ସମନ୍ବିତ ଶିଶୁ ବିକାଶ ଯୋଜନାର ଷ୍ଟାଟିଷ୍ଟିକାଲ୍ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଭୁବନେଶ୍ବର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ଭିଜିଲାନ୍ସ ଟିମ୍ ପୁରୀ ଜିଲ୍ଲାର ତିନିଟି ସ୍ଥାନ ଓ ଭୁବନେଶ୍ବରରେ ଗୋଟିଏ ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲେ। ଠାବ ସମ୍ପତ୍ତିର ଖୋଳତାଡ଼ ପରେ କୃଷ୍ଣଚନ୍ଦ୍ରଙ୍କ ନାମରେ ୧ କୋଟି ୫୭ ଲକ୍ଷ ୧୩ ହଜାର ୫୧୪ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ରହିଥିବା ଭିଜିଲାନ୍ସ ବିଭାଗ ଆକଳନ କରିଛି।
କୋଟିଏ ଟଙ୍କାର ସମ୍ପତ୍ତି ଠାବ, ପିଇଓ ଗିରଫ
କାମାକ୍ଷାନଗର :ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ କେରେଜୁଳି ପଞ୍ଚାୟତର ନିର୍ବାହୀ ଅଧିକାରୀ (ପିଇଓ) ସନ୍ତୋଷ କୁମାର ସାହୁଙ୍କ ଘର ଓ କାର୍ଯ୍ୟାଳୟରେ ବୁଧବାର ଭିଜିଲାନ୍ସ ଟିମ୍ ଚଢଉ କରିଥିଲେ। କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ଠାବ କରିବା ସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।
କଟକ ଡିଭିଜନ ଦୁର୍ନୀତି ନିବାରଣ ବିଭାଗ ଡିଏସ୍ପି ସୁରେନ୍ଦ୍ରନାଥ ରାୟଗୁରୁଙ୍କ ନେତୃତ୍ବରେ ଏକକାଳୀନ ୫ଟି ଜାଗାରେ ଚଢ଼ଉ କରାଯାଇଥିଲା। ଚଢ଼ାଉ ପରେ ଏ ସଂପର୍କରେ ଡିଏସ୍ପି ଶ୍ରୀ ରାୟଗୁରୁ କହିଛନ୍ତି , ପିଇଓ ଶ୍ରୀ ସାହୁଙ୍କ ସମସ୍ତ ସମ୍ପତ୍ତିର ମୂଲ୍ୟ ଏକକୋଟି ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓ ଶ୍ରୀ ସାହୁଙ୍କୁ ଗିରଫ କରାଯାଇଛି ଓ ତାଙ୍କୁ କୋର୍ଟ ଚାଲାଣ କରାଯିବ।
Follow Us