୧୫ ହଜାର ଲାଞ୍ଚନେଇ କିରାଣି ଗିରଫ

୧୫ ହଜାର ଲାଞ୍ଚନେଇ କିରାଣି ଗିରଫ

ବାରିପଦା/ବଡ଼ସାହି : ପେନସନ୍ କାଗଜପତ୍ର କରାଇଦେବା ଆଳରେ ବାରମ୍ବାର ଅଫିସକୁ ଦୌଡ଼ାଉଥିଲେ। ଅନେକଥର କାକୁତିମିନତି ହେବା ସତ୍ତ୍ବେ ଏମିତିକି ବାପା ବୟସର ଲୋକ ବୋଲି କହିବା ସତ୍ତ୍ବେ କିଛି ଶୁଣିନଥିଲେ। ଓଲଟା ୧୫ ହଜାର ନ ଦେଲେ ଫାଇଲ ଘୁଞ୍ଚିବନି ବୋଲି ରୋକଠୋକ୍ କହିଥିଲେ ବାରିପଦା ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର କନିଷ୍ଠ କିରାଣି ବିକ୍ରମ ବେହେରା। ଶେଷରେ ଦାବି ମୁତାବକ ଲାଞ୍ଚଅର୍ଥ ନେବା ସମୟରେ ଶ୍ରୀ ବେହେରାଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ଶୁକ୍ରବାର ଅପରାହ୍ନରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ପେନସନ୍‌ କାଗଜପତ୍ର ପାଇଁ ୧୫ ହଜାର ଟଙ୍କା ନେଉଥିବା ବେଳେ ତାଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍‌।

ସୂଚନା ମୁତାବକ, ଶ୍ରୀ ବେହେରା କିଛି ମାସ ତଳେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟକୁ ଡେପୁଟେସନ୍‌ରେ ଆସିଥିଲେ। ବଡ଼ସାହି ବ୍ଲକ୍‌ ଉଠାଣୀନୂଆଗାଁ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ବିଶିକେଶନ ଗୋଛାୟତ ୨୦୧୬ରେ ଟିକରପଡ଼ା ପ୍ରାଥମିକ ସ୍କୁଲରୁ ଅବସର ନେଇଥିଲେ ମଧ୍ୟ ପେନସନ୍‌ ପାଇଁ ଅନେକ ଥର ବିଇଓ କାର୍ଯ୍ୟାଳୟକୁ ଦୌଡ଼ିଛନ୍ତି। ୬ ବର୍ଷ ହେଲା ପେନ୍‌ସନ୍‌ ପାଇଁ ହଇରାଣ ହେଉଥିବା ଶ୍ରୀ ଗୋଛାୟତ ଏଥିପାଇଁ କିରାଣି ଶ୍ରୀ ବେହେରାଙ୍କ ସାହାଯ୍ୟ ମାଗିଥିଲେ। ତେବେ ଶ୍ରୀ ବେହେରା କାଗଜପତ୍ର କରାଇ ଦେବାପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଶେଷରେ ୧୫ ହଜାର ଟଙ୍କାରେ କଥା ଛିଡ଼ିଥିଲା। ଏ ନେଇ ଶ୍ରୀ ଗୋଛାୟତ ବାରିପଦା ଭିଜିଲାନ୍ସ ଡିଏସ୍‌ପିଙ୍କୁ ଫେରାଦ ହେବା ପରେ ଲାଞ୍ଚୁଆ କିରାଣିଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ଭିଜିଲାନ୍‌ସ। ଯୋଜନା ମୁତାବକ ଆଜି ଅପରାହ୍ନରେ କିରାଣି ଶ୍ରୀ ବେହେରା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଟଙ୍କା ନେଉଥିବା ସମୟରେ ଭିଜିଲାନ୍‌ସ ଡିଏସ୍‌ପି ସରୋଜ କୁମାର ମହାପାତ୍ର ଓ ଟିମ୍ ଚଢ଼ଉ କରି ରଙ୍ଗବୋଳା ଟଙ୍କା ସହ ତାଙ୍କୁ ଗିରଫ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe