ବ୍ରହ୍ମପୁର: ଦିନକୁ ଦିନ ପରିବେଶର ସନ୍ତୁଳନ ବିଗିଡ଼ିବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଭଳି ସମସ୍ୟା ଦେଖା ଦେଉଛି। ବର୍ଷା କମୁଥିବା ବେଳେ ଖରା ବଢ଼ିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ସମୁଦ୍ର କୂଳ ଲଂଘି ଜନବସତି ଆଡ଼କୁ ମାଡ଼ି ଆସୁଛି। ଗଞ୍ଜାମ ଜିଲ୍ଲାର ପୋଡ଼ମପେଟା (ପୁରୁଣା) ଗ୍ରାମ ଏବେ ସମୁଦ୍ର ଗର୍ଭରେ ଲୀନ ହୋଇ ସାରିଲାଣି। ଏଥିପାଇଁ ଦାୟୀ ରହିଥିବା ଜଳବାୟୁ ପ୍ରଦୂଷଣକାରୀମାନେ କ୍ଷୟକ୍ଷତି ଭରଣା କରନ୍ତୁ ବୋଲି ଗ୍ରିନପିସ୍ ଇଣ୍ଡିଆ ଅନୁଷ୍ଠାନ ତରଫରୁ ଦାବି ଉପସ୍ଥାପନ କରାଯାଇଛି। ଏହି ଅବସରରେ ସମୁଦ୍ର କୂଳରେ ରହିଥିବା ପୋଡ଼ମପେଟା ଗ୍ରାମରେ ବିଶାଳ ଜଳବାୟୁ ପରିବର୍ତ୍ତନ ଜନିତ କ୍ଷୟକ୍ଷତି ବିଲ୍ ଉନ୍ମୋଚନ କରାଯାଇଥିଲା।
ପୋଡ଼ମପେଟାରେ ‘ଗ୍ରିନ୍ପିସ୍’ର ସମାବେଶ
ଜଳବାୟୁ ପରିବର୍ତ୍ତନ ବିଲ୍ ଉନ୍ମୋଚିତ
ବ୍ରାଜିଲରେ ଆସନ୍ତା ୧୦ତାରିଖରେ ‘ସିଓପି-୩୦’ ସମ୍ମିଳନୀ ଆୟୋଜନ ହେବ। ଏହା ପୂର୍ବରୁ ଗ୍ରିନପିସ୍ ଅନୁଷ୍ଠାନ ତରଫରୁ ପୋଡ଼ମପେଟାରେ ଏକ ସମାବେଶ ଆୟୋଜନ କରାଯାଇ ଜଳବାୟୁ ପରିବର୍ତ୍ତନ ବିଲ୍ ଉନ୍ମୋଚନ କରାଯାଇଛି। ଅନୁଷ୍ଠାନର କ୍ୟାମ୍ପେନର୍ ସେଲୋମି ଗଡ଼ନାୟକଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜଳବାୟୁ ପରିବର୍ତ୍ତନ ପାଇଁ ବୃହତ ତୈଳ ଓ ଗ୍ୟାସ୍ କମ୍ପାନିଗୁଡ଼ିକୁ ଦାୟୀ କରାଯାଇଛି। ଯେଉଁମାନେ କି ନିରନ୍ତର ଆମ ବାୟୁମଣ୍ଡଳକୁ କାର୍ବନ ଡାଇଅକ୍ସାଇଡ୍ ନିର୍ଗତ କରି ଆସୁଛନ୍ତି। ଏହାର ପ୍ରଭାବରେ ୫.୩୬ ଟ୍ରିଲିୟନ୍ ଡଲାର୍ରୁ ଅଧିକ କ୍ଷୟକ୍ଷତି ହୋଇଛି ବୋଲି ବିଲ୍ରେ ଆକଳନ କରାଯାଇଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ସ୍ଥାନୀୟ ଲୋକଙ୍କ ଉପରେ ପଡ଼ୁଛି। ଜରୁରୀକାଳୀନ ପରିସ୍ଥିତିରେ ସେମାନେ ସ୍ଥାନାନ୍ତର ହେଉଛନ୍ତି। ସରକାର ଏହାର ମୁକାବିଲା ପାଇଁ ଜନସାଧାରଣଙ୍କ ଠାରୁ ଆଦାୟ ହେଉଥିବା ଟିକସରୁ ଯାହା କିଛି ଖର୍ଚ୍ଚ କରୁଛନ୍ତି। କିନ୍ତୁ ପ୍ରକୃତ ପକ୍ଷେ ଯେଉଁମାନେ ଦାୟୀ ସେମାନଙ୍କୁ ଏଥିରେ ସାମିଲ କରାଯାଉ ନାହିଁ। ଏଣୁ ସେହି କମ୍ପାନିଗୁଡ଼ିକ ଏହାର କ୍ଷତି ଭରଣା କରିବାକୁ ଦାବି କରାଯାଇଛି।
ଏହା ସହିତ ଗତ ପ୍ରାୟ ୧୦ବର୍ଷ ମଧ୍ୟରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତିର ପରିମାଣ ଆକଳନ କରି ବିଲ୍ରେ ଉପସ୍ଥାପନ କରାଯାଇଛି। ‘ସିଓପି-୩୦’ ବୈଠକରେ ଏ ଦିଗରେ ଆଲୋଚନା କରି ପରିବେଶ ସୁରକ୍ଷା ପାଇଁ କିଛି ଠୋସ୍ ପଦକ୍ଷେପ ଗ୍ରହଣ କରିବାକୁ ଆଜିର କାର୍ଯ୍ୟକ୍ରମ ଜରିଆରେ ଦାବି ଉପସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ୟୁଏଏ (ୟୁନାଇଟେଡ୍ ଆର୍ଟିଷ୍ଟ୍ ଆସୋସିଏସନ୍) ସମ୍ପାଦକ ମଙ୍ଗରାଜ ପଣ୍ଡା ଯୋଗ ଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ବହୁ ପୁରୁଷ ଓ ମହିଳା ସାମିଲ ହୋଇଥିଲେ। ଗ୍ରିନପିସ୍ ଅନୁଷ୍ଠାନର ମିଡ଼ିଆ ମୁଖ୍ୟ ନିବେଦିତା ସାହା, ପ୍ରଭାକର ବେହେରା, ସିଦ୍ଧେସ ଗାଏକୱାଡ଼ ପ୍ରମୁଖ ଉପସ୍ଥିତ ଥିଲେ।
Follow Us