ଭୁବନେଶ୍ବର: ‘ସମ୍ବାଦ’ ଗ୍ରୁପ୍ ପକ୍ଷରୁ ଅଗଷ୍ଟ ୯ କ୍ରାନ୍ତି ଦିବସରେ ଆରମ୍ଭ ହୋଇଥିବା ୬୦ ଦିନିଆ ‘ପୁନଶ୍ଚ ପୃଥିବୀ’ ଅଭିଯାନ ଆଜି ଶେଷ ହୋଇଛି। ‘ସମ୍ବାଦ ଭବନ’ରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ। ମନ୍ତ୍ରୀ କହିଥିଲେ, ୧୨ ବର୍ଷ ଧରି ଏହି ଅଭିଯାନ ଜାରି ରଖିବାକୁ ନିଆଯାଇଥିବା ନିଷ୍ପତ୍ତି ଏକ ଚମତ୍କାର ପଦକ୍ଷେପ। ଜଳବାୟୁ ସମ୍ପର୍କରେ ଜାଣିବା ପିଲାଙ୍କର ସଂସ୍କାର ଓ ଶିକ୍ଷାର ଏକ ଅଂଶ ହେବା ଉଚିତ। ପୁନଶ୍ଚ ପୃଥିବୀ ଅଭିଯାନରେ ୬୦ ଦିନରେ ରାଜ୍ୟର ୧୪୬ ବିଧାନସଭା କ୍ଷେତ୍ରରେ କ୍ଲାଇମେଟ୍ ପଞ୍ଚାୟତ ହେବା ଗୋଟିଏ ବଡ଼ ପଦକ୍ଷେପ। ଏବେ ଏହି ବାର୍ତ୍ତାକୁ ନେଇ ପଞ୍ଚାୟତ ସ୍ତରକୁ ଯିବାର ସମୟ ଆସିଛି। ସେ ଆହୁରି କହିଥିଲେ ଯେ ପରିବେଶ ରକ୍ଷା ପାଇଁ ଶିଳ୍ପ ସମ୍ପର୍କିତ କାର୍ଯ୍ୟକଳାପକୁ ବନ୍ଦ କରାଯାଇପାରିବ ନାହିଁ।
ମାତ୍ର ଯେତିକି ନଷ୍ଟ ହେଉଛି, ତାହାର ୧୦ ଗୁଣା ଭରଣା କରିବାକୁ ପଡ଼ିବ। କମ୍ପାନିଗୁଡ଼ିକର ସିଏସ୍ଆର୍ ପାଣ୍ଠିକୁ ଠିକ୍ ଭାବେ ଖର୍ଚ୍ଚ କରାଯାଉ ନଥିବା, ଶିଳ୍ପାଞ୍ଚଳରେ ଜଙ୍ଗଲ ସୁରକ୍ଷା ଓ ପରିଚାଳନାରେ ବିଭାଗଗୁଡ଼ିକ ମଧ୍ୟରେ ସମନ୍ବୟ ଅଭାବ ପ୍ରସଙ୍ଗକୁ ସେ ସ୍ବୀକାର କରି ଏହାକୁ ସଜାଡ଼ିବା ଲାଗି ସରକାର ଉଦ୍ୟମ କରୁଥିବା କହିଥିଲେ। ‘ସମ୍ବାଦ’ ଗ୍ରୁପ୍ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ଗଣମାଧ୍ୟମ ସବୁବେଳେ ମଣିଷକୁ ମଣିଷ ସହ ଯୋଡ଼ିବା ସହ ସମସ୍ୟାର ସମାଧାନ କରିବା ଦିଗରେ ସହାୟକ ହୋଇଥାଏ। ପରିବାରଠାରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବା ଉଚିତ ବୋଲି ସେ ମତ ଦେଇଥିଲେ।
‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ବାର୍ତ୍ତା ସମ୍ପାଦକ ଭବାନୀଶଙ୍କର ତ୍ରିପାଠୀ ଏହି ପରିବେଶ ଅଭିଯାନ ବିଷୟର ବିସ୍ତୃତ ସୂଚନା ଦେଇଥିଲେ। ବ୍ୟୁରୋ ମୁଖ୍ୟ ଚୌଧୁରୀ ଅମିତାଭ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ‘ସମ୍ବାଦ ଭବନ’ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ‘ସମ୍ବାଦ’ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ସିଓଓ କମଳାକାନ୍ତ ମହାପାତ୍ର, ‘ଆମ ଓଡ଼ିଶା’ ସମ୍ପାଦକ ଅରବିନ୍ଦ ଦାସ, ସାହିତ୍ୟ ଘର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା, ‘କନକ’ ନ୍ୟୁଜର ସିଇଓ ରତିକାନ୍ତ ଶତପଥୀ ତଥା ‘ସମ୍ବାଦ’ ଓ ‘କନକ ନ୍ୟୁଜ’ର ଅନ୍ୟ ସହଯୋଗୀ ପ୍ରମୁଖ ଉପସ୍ଥିତ ଥିଲେ।
Follow Us