WSAZ
ରସୁଲପୁର : ରସୁଲପୁର ବ୍ଲକ୍ ସାମନ୍ତରାପୁର ପଞ୍ଚାୟତ କୁଳଗାଁରେ ଆଜି ସକାଳେ ଅଗ୍ନିକାଣ୍ତ ଘଟି ଦୁଇ ପରିବାରର ୪ ବଖରା ଚାଳଘର ପୋଡ଼ିଯାଇଛି। ସକାଳ ପ୍ରାୟ ୬ଟା ୩୦ ସମୟରେ ହଠାତ ରବୀନ୍ଦ୍ର ବେହେରାଙ୍କ ଘରେ ନିଆଁ ଲାଗି ଯାଇଥିଲା। ପରେପରେ ସେହି ଘରକୁ ଲାଗିଥିବା ଶମ୍ଭୁନାଥ ବେହେରାଙ୍କ ଘରେ ନିଆଁ ଲାଗିଯାଇଥିଲା। ହଠାତ ନିଆଁ ବ୍ୟାପିଯିବାରୁ ଉଭୟ ପରିବାର ଘରୁ କୌଣସି ଜିନିଷ ବାହାର କରିପାରି ନଥିଲେ। ଉଭୟ ପରିବାରର ସମସ୍ତ ଆସବାବପତ୍ର ସହିତ ଲୁଗା ବ୍ୟବସାୟ କରୁଥିବା ରବୀନ୍ଦ୍ର ବେହେରାଙ୍କ ଘରେ ଥିବା ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ନୂଆ ଲୁଗା ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି।
ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ଖବରପାଇ କୁଆଖିଆ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲା। ସେତେବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା। ସରପଞ୍ଚ, ସାମନ୍ତରାପୁର ରାଜସ୍ବ ନିରୀକ୍ଷକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଦେଖିଛନ୍ତି। ଅଗ୍ନି ବିପନ୍ନ ପରିବାରକୁ ରାଜସ୍ବ ବିଭାଗ ପକ୍ଷରୁ ପଲିଥିନ୍ ପାଲ ଦୁଇଟି ଦିଆଯାଇଛି। ତୁରନ୍ତ ଏହି ଦୁଇ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି।
Follow Us