ଧର୍ମାନୁଷ୍ଠାନକୁ ୨୩ କୋଟି : ସୁବିଧାସୁଯୋଗର ବିକାଶ କରାଯିବ, ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ, ଗୁରୁଦ୍ବାର ସାମିଲ

Advertisment
ଧର୍ମାନୁଷ୍ଠାନକୁ ୨୩ କୋଟି : ସୁବିଧାସୁଯୋଗର ବିକାଶ କରାଯିବ, ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ, ଗୁରୁଦ୍ବାର ସାମିଲ

ଭୁବନେଶ୍ବର : ସିଏଏକୁ ନେଇ ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ଦଙ୍ଗା ପରି ସ୍ଥିତି ସୃଷ୍ଟି ହୋଇଥିଲା ବେଳେ ଓଡ଼ିଶା ସରକାର ଆଜି ଏକ ଭିନ୍ନ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି। ସବୁ ଧର୍ମର ପ୍ରମୁଖ ଉପାସନା ପୀଠଗୁଡ଼ିକ ପାଇଁ ଆର୍ଥିକ ଅନୁଦାନ ମଞ୍ଜୁର କରାଯାଇଛି। ଏହି ଅର୍ଥରେ ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ ଓ ଗୁରୁଦ୍ବାରରେ ବିଭିନ୍ନ ସୁବିଧାସୁଯୋଗର ବିକାଶ କରାଯିବ। ସ୍ବତନ୍ତ୍ର ସମସ୍ୟା ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ। ୨୩ଟି ଧର୍ମାନୁଷ୍ଠାନକୁ ୧ କୋଟି ‌େ‌ଲଖାଏ ମୋଟ୍‌ ୨୩ କୋଟି ଟଙ୍କା ଦିଆଯିବ।

ଆର୍ଥିକ ସହାୟତା ପାଇବାକୁ ଥିବା ୧୦ଟି ମନ୍ଦିର ହେଲେ ବରଗଡ଼ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର, ଭଦ୍ରକର ମା’ ଭଦ୍ରକାଳୀ ମନ୍ଦିର, ବଲାଙ୍ଗୀରର ହରିଶଙ୍କର ମନ୍ଦିର, ବୌଦ୍ଧର ଜଗନ୍ନାଥ ମନ୍ଦିର, ଢେଙ୍କାନାଳର ଶ୍ରୀ ଚନ୍ଦ୍ରଶେଖରଜୀଉ ମନ୍ଦିର, ଜଗତସିଂହପୁରର ମା’ ଶାରଳା ମନ୍ଦିର, ଯାଜପୁରର ମା’ ବିରଜା ମନ୍ଦିର, କେନ୍ଦୁଝରର ବଳଦେବଜୀଉ ମନ୍ଦିର, କୋରାପୁଟର ଗୁପ୍ତେଶ୍ବର ମନ୍ଦିର ଓ ନବରଙ୍ଗପୁରର ନୀଳକଣ୍ଠେଶ୍ବର ମନ୍ଦିର। ସହାୟତା ପାଇବାକୁ ଥିବା ୬ଟି ମସ୍‌ଜିଦ ହେଲେ ପୁରୀର ଜାହାନିଆ ପୀର, ସୋନପୁରର ହାଜିର ଅବଦୁଲ୍‌ ସକୁର ବାବା ତରଭା ସରିଫ୍‌ ମସ୍‌ଜିଦ, ଭଦ୍ରକର ଦରଘା-ଇ-ହଜୁର ମୁଜାହିଦ୍-ଇ-ମିଲତ୍‌, ବାଲେଶ୍ବରର ଭୁଜାଖିଆ ପୀର, ଭୁବନେଶ୍ବରର ୟୁନିଟ୍‌-୩ସ୍ଥିତ ଜାମା ମସ୍‌ଜିଦ ଓ ଖୋର୍ଦ୍ଧା କାଇପଦରସ୍ଥିତ ହଜରତ୍‌ ବୁଖାରି ପୀର ବାବା। ସେହିପରି ଚର୍ଚ୍ଚ ହେଲେ ବଲାଙ୍ଗୀରର ସିଏନ୍‌ଆ‌ଇ ଚର୍ଚ୍ଚ, ଖୋର୍ଦ୍ଧାର ବାପିଷ୍ଟ ଚର୍ଚ୍ଚ, କଟକର ମାଉଣ୍ଟ୍‌ ହାଉସ୍‌ ଚର୍ଚ୍ଚ, କଳାହାଣ୍ଡିର ସେଣ୍ଟ୍‌ ପଲ୍‌ ପ୍ରୋଟେଷ୍ଟାଣ୍ଟ୍‌ ଚର୍ଚ୍ଚ ଓ ଭୁବନେଶ୍ବରର ୟୁନିଟ୍‌-୪ସ୍ଥିତ ୟୁନିଅନ୍ ଚର୍ଚ୍ଚ। ଏହା ବାଦ୍ ଦୁଇଟି ଗୁରୁଦ୍ବାର ରାଉରକେଲାସ୍ଥିତ ଗୁରୁ ସିଂହ ସାହେବ ଗୁରୁଦ୍ବାର ଓ ପୁରୀର ବଉଳି ମଠକୁ ଏକ କୋଟି ଟଙ୍କା ଲେଖାଏ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe