ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ବନ୍ଦ, ରୋଗୀ ହନ୍ତସନ୍ତ: ଆବଶ୍ୟକ ୩୮୨ ଡାକ୍ତର, ଅଛନ୍ତି ୧୪୬

Advertisment
ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ବନ୍ଦ, ରୋଗୀ ହନ୍ତସନ୍ତ: ଆବଶ୍ୟକ ୩୮୨ ଡାକ୍ତର, ଅଛନ୍ତି ୧୪୬

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ଭୁଷୁଡିବାରେ ଲାଗିଛି ସ୍ବାସ୍ଥ୍ୟସେବା। ଜିଲ୍ଲାରେ ୬୦ ପ୍ରତିଶତରୁ ଅଧିକ ଡାକ୍ତରୀ ପଦବୀ ଖାଲିଥିବା ବେଳେ ସଦର ମହକୁମା ଚିକିତ୍ସାଳୟରେ ୬୦ ପ୍ରତିଶତ ଡାକ୍ତର ନାହାନ୍ତି। ୫ଟି ବିଭାଗରେ ଗୋଟିଏ ମାତ୍ର ବିଶେଷଜ୍ଞ ଡାକ୍ତର ନଥିବା ବେଳେ କିଛି ବିଭାଗରେ ଜଣେ ମାତ୍ର ବିଶେଷଜ୍ଞ ଡାକ୍ତର ଅଛନ୍ତି। ସଦର ମହକୁମା ଚିକିତ୍ସାଳୟ ଉପରେ ମାଲକାନଗିରି ଜିଲ୍ଲା ସହ ଛତିଶଗଡ ଓ ଆନ୍ଧ୍ର ପ୍ରଦେଶର ରୋଗୀ ମଧ୍ୟ ନିର୍ଭର କରୁଛନ୍ତି। ଏବେ ବି ଉପାନ୍ତ ଅଂଚଳଗୁଡିକରେ ଲୋକେ ଡାକ୍ତରଙ୍କ ଉପରେ ଭରସା ନକରି ଗୁଣିଆଙ୍କ ପାଖରେ ଚିକିତ୍ସିତ ହେଉଛନ୍ତି। ଏକଥାକୁ ସ୍ବାସ୍ଥ୍ୟ ବିଭାଗ ସ୍ବୀକାର କରିବା ସହ ଡାକ୍ତର ଅଭାବ ଯୋଗୁଁ ଅଳ୍ପ ସଂଖ୍ୟକ ଡାକ୍ତରରେ ସ୍ବାସ୍ଥ୍ୟ ସେବା ଯୋଗାଉ ଥିବା ସ୍ବାସ୍ଥ୍ୟ ବିଭାଗ କହୁଛି।ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଆରମ୍ଭ ହେବା ପରେ ବହୁ ଗୁରୁତର ଅବସ୍ଥାରେ ଥିବା ଗରିବ ଲୋକେ ଉପକୃତ ହୋଇପାରୁଥିଲେ।କିନ୍ତୁ ତାହା ଏବେ ବନ୍ଦ ହୋଇଯାଇଥିବାରୁ ସେହି ସେବାକୁ ଅନେଇ ବସି ରୋଗୀ ହନ୍ତସନ୍ତ ହେଉଛନ୍ତି।ଏହି ସେବା ପୁଣି କେବେ ଆରମ୍ଭ ହେବେ ସ୍ବାସ୍ଥ୍ୟ ବିଭାଗ ପାଖରେ କୌଣସି ଖବର ନାହିଁ।

ମାଲକାନଗିରି ଜିଲ୍ଲା ସାତୋଟି ବ୍ଲକର ଦୁର୍ଗମ ଗାଁଗୁଡିକରେ ପ୍ରାୟ ପ୍ରତିଦିନ ପାରଂପାରିକ ଚିକିତ୍ସା ପଦ୍ଧତିର ଦୃଶ୍ୟ ଦେଖିବାକୁ ମିଳେ।ଗାଁ ମୁଣ୍ଡ ଗଛ ତଳେ ଚାଲେ ଝଡାଫୁଙ୍କା। କେବଳ ମାଲକାନଗିରି ଜିଲ୍ଲାରେ ନୁହେଁ ଅବିଭକ୍ତ କୋରାପୁଟ ଜିଲ୍ଲାର ଉପାନ୍ତ ଅଂଚଳଗୁଡିକରେ ଏଭଳି ଚିତ୍ର ପ୍ରାୟତଃ ଦେଖିବାକୁ ମିଳିଥାଏ।ପୁଣି ଦୁର୍ଗମ ଅଂଚଳରେ ରହିଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ ଚିକିତ୍ସା କରୁଛନ୍ତି ଫାର୍ମାସିଷ୍ଟ।ଯଦିଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଲେଖାଁଏ ଡାକ୍ତରଙ୍କୁ ନିଯୁକ୍ତି କରାଯାଇଛି କିନ୍ତୁ ତାଂକ ଅନୁପସ୍ଥିତିରେ ଏଭଳି ଚାଲେ ଚିକିତ୍ସା।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବସ୍ଥା ନକହିବା ଭଲ।ସକାଳ ପାଇଲେ ଲୋକଙ୍କର ନାହିଁ ନଥିବା ଭିଡ ଏହି ଚିକିତ୍ସାଳୟରେ।ଯଦିଓ ୩୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ହୋଇଥିବା ବେଳେ ରୋଗୀଙ୍କ ସଂଖ୍ୟାକୁ ଦେଖି ବାରଣ୍ଡାରେ ଅଧିକ ଖଟ ପକାଇ କରାଯାଉଛି ଚିକିତ୍ସା।ସଦର ମହକୁମା ଚିକିତ୍ସାଳୟରେ ୧୦୯ ଜଣ ଡାକ୍ତରଙ୍କ ପାଇଁ ପଦବୀ ରହିଥିବା ବେଳେ ମାତ୍ର ୫୪ ଜଣ ଅଛନ୍ତି।ସେହିପରି ଜିଲ୍ଲାରେ ୩୮୨ ଜଣ ଡାକ୍ତର ପଦବୀ ଥିବା ବେଳେ ଅଛନ୍ତି ମାତ୍ର ୧୪୬ ଜଣ।

ପାଥୋଲୋଜିଷ୍ଟ ,କ୍ୟାଡଲୋଜିଷ୍ଟ,ଗ୍ୟାଷ୍ଟୋଲଜିଷ୍ଟ,ନେଥଲୋଜିଷ୍ଟ ଓ ରିଡିଓ ଲୋଜିଷ୍ଟ ପରି ବିଭାଗରେ କୌଣସି ଡାକ୍ତର ଜିଲ୍ଲାରେ ନଥିବା ବେଳେ ପେଡ୍ରିୟଟିକ ଓ ଅର୍ଥୋପ୍ରେଡିକ ପରି ଅନେକ ବିଭାଗରେ ଜିଲ୍ଲାରେ ଜଣେ ମାତ୍ର ଡାକ୍ତର ରହିଛନ୍ତି।ତେଣୁ ମାଲକାନଗିରି ଜିଲ୍ଲାରେ ସୁଧୁରିବାରେ ଲାଗୁନି ସ୍ବାସ୍ଥ୍ୟ ବ୍ୟବସ୍ଥା।ରୋଗୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଯେଉଁମାନଙ୍କର ଅର୍ଥ ଅଛି ସେମାନେ ବାହାରେ ଉତ୍ତମ ଚିକିତ୍ସା ପାଉଥିବା ବେଳେ ଗରିବ ଲୋକ କିନ୍ତୁ ଭାଗ୍ୟକୁ ଆଦରି ପଡି ରହିଛି।ଗୁଣିଆ ପାଖରେ ଚିକିତ୍ସା କରାଯିବା କଥା ନିଜେ ସ୍ବୀକାର କରିଛନ୍ତି ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ।କିଛି ଡାକ୍ତର ଚାକିରି ଛାଡି ଯାଇଥିବାରୁ ଏବଂ ଡାକ୍ତର ଆସୁନଥିବାରୁ ଏଭଳି ସମସ୍ୟା ଉପୁଜୁଛି।ତେଣୁ ଆମେ ଅଳ୍ପ ସଂଖ୍ୟକ ଡାକ୍ତରରେ ରୋଗୀଙ୍କ ସେବା ଯୋଗାଇବା ପାଇଁ ସଂପୂର୍ଣ୍ଣ ଚେଷ୍ଟା କରୁଛୁ ବୋଲି ବିଭାଗ କହୁଛି।ମାଲକାନଗିରି ଜିଲ୍ଲା ଉପରେ କେବଳ ମାଲକାନଗିରି ଜିଲ୍ଲା ନୁହେଁ ପଡୋଶୀ ଆନ୍ଧ୍ର ଓ ଛତିଶଗଡର ରୋଗୀ ନିର୍ଭର କରିଆସୁଛନ୍ତି।ତେଣୁ ଉପାନ୍ତ ମାଲକାନଗିରି ଜିଲ୍ଲାକୁ ସରକାର ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ଚେଷ୍ଟା କଲେ ଅନେକ ଧନ ଜୀବନ ରକ୍ଷା ହୋଇପାରନ୍ତା।ଅନ୍ୟଦିଗରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଆରମ୍ଭ ହୋଇ ବନ୍ଦ ହୋଇଯାଇଛି।ଏହା ପୁଣି କେବେ ଆରମ୍ଭ ହେବ ତାହା ସ୍ବାସ୍ଥ୍ୟ ବିଭାଗ ପାଖରେ ଖବର ନାହିଁ।ବାୟୁ ସ୍ବାସ୍ଥ୍ୟ ସେବାକୁ ଅପେକ୍ଷା କରି ରୋଗୀ ଏବେ ଜଳକା।ସରକାର ଦିନକୁ ଦିନ ନୂତନ ଯୋଜନା ପ୍ରଣୟନ କରୁଛନ୍ତି ସତ କିନ୍ତୁ ଏହା କେତେ ଦୁର କାର୍ଯ୍ୟକାରୀ ହେଉଛି ତାହା ତଦନ୍ତ କରାଯାଉ ନାହିଁ।ବହୁ ରୋଗୀ ଏହି ସେବାରୁ ଉପକୃତ ହୋଇଥିବାରୁ ଅନ୍ୟ ଗୁରୁତର ରୋଗୀ ମଧ୍ୟ ଏହି ସେବାକୁ ଅନେଇ ବସିଛନ୍ତି।ଏନେଇ ସିଡିଏମଓ ଡ.ପ୍ରଫୁଲ କୁମାର ନନ୍ଦଙ୍କୁ ପଚାରିବାରୁ ବାୟୁ ସ୍ବାସ୍ଥ୍ୟ ସେବା ପୁଣି ଆରମ୍ଭ ହେବ ବୋଲି କହିଥିଲେ ମଧ୍ୟ କେବେ ଆରମ୍ଭ ହେବ ଏବଂ କେବେ ଠାରୁ ବନ୍ଦ ହୋଇ ପଡିଛି ତାହା ସ୍ପଷ୍ଟ କରିପାରିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe