ହବିଷ୍ୟାଳି ଯୋଜନା: ଉଦ୍‌ଘାଟନ ଆଜି

ହବିଷ୍ୟାଳି ଯୋଜନା: ଉଦ୍‌ଘାଟନ ଆଜି

ପୁରୀ : ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାକୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ଆଜି ଅନ୍‌ଲାଇନ୍‌ରେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଶେଷ ମୁହୂର୍ତ୍ତରେ ରେଳବାଇ ମୋଟା ଅଙ୍କର ଭଡ଼ା ମାଗି ଧୋକା ଦେଇଥିବାରୁ ପୁରୁଣା ଜେଲ୍‌ କୋଠାରେ ହବିଷ୍ୟାଳିମାନଙ୍କୁ ରଖାଯାଉଛି। ପୂର୍ବରୁ ଏହା ପ୍ରସ୍ତୁତ ନ ଥିବାରୁ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ପ୍ରସ୍ତୁତ କରାଯାଉଛି। ଆଜି ସକାଳୁ ପ୍ରବଳ ବର୍ଷା ହେଉଥିବାରୁ ଏହାର ପରିସର ସଫା ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାମ କରିବାରେ ସମସ୍ୟା ହୋଇଛି। ତଥାପି ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଏହାକୁ ପ୍ରସ୍ତୁତ କରିବା ପାଇଁ ପୂର୍ତ୍ତ ବିଭାଗ ପ୍ରତିଶ୍ରୁତି ଦେଇଛି। ଅପରାହ୍ନ ୨ଟାରୁ ହବିଷ୍ୟାଳି କେନ୍ଦ୍ରରେ ପଞ୍ଜୀକରଣ ଆରମ୍ଭ ହୋଇଛି।

ଅନ୍‌ଲାଇନ୍‌ରେ ହୋଇଥିବା ପଞ୍ଜିକରଣ ଅନୁଯାୟୀ, ଏଠାରେ ପହଞ୍ଚୁଥିବା ହବିଷ୍ୟାଳିଙ୍କର ନାମ ଠିକଣା ମେଳ କରାଯାଉଛି। ସମସ୍ତ ୩ଟି କେନ୍ଦ୍ରରେ ସ୍ୱତନ୍ତ୍ର ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି। ସନ୍ଧ୍ୟାସୁଦ୍ଧା ୧୩୦୦ଟି ମାନୁଆଲ ପଞ୍ଜୀକରଣ କରାଯାଇଛି। ଆସନ୍ତାକାଲି ସୁଦ୍ଧା ପାଖାପାଖି ଆଉ ୧୪୦୦ ହବିଷ୍ୟାଳି ଏଠାରେ ପହଞ୍ଚିଯିବେ ବୋଲି ଅନୁମାନ କରାଯାଉଛି। ଶ୍ରୀ ଜଗନ୍ନାଥ ବଲ୍ଲଭରେ ୪୦୦ ରହିବାକୁ ଥିବା ବେଳେ ରେଳବାଇ ଯାତ୍ରୀନିବାସରେ ୧୧୦୦ ରହିବା ପାଇଁ ଯୋଜନା ହୋଇଛି। ପୁରୁଣା ଜେଲ କୋଠା ବା ସାମୟିକ ଯାତ୍ରୀନିବାସରେ ୧ହଜାର ରହିବା ଭଳି ବ୍ୟବସ୍ଥା ହୋଇଛି।

ରେଳବାଇ ଯାତ୍ରୀ ନିବାସରେ ପୁରୀ, ନୟାଗଡ଼, କଟକ, ବାଲେଶ୍ୱର, ଭଦ୍ରକ, ବଲାଙ୍ଗୀରର ହବିଷ୍ୟାଳି ରହିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଶ୍ରୀଜଗନ୍ନାଥ ବଲ୍ଲଭରେ ଜଗତସିଂହପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, କେଉଁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନାଗିରିର ହବିଷ୍ୟାଳି ପୁରୁଣା ଜେଲ କୋଠା ବା ସାମୟିକ ଯାତ୍ରୀନିବାସରେ ଗଞ୍ଜାମ, ବରଗଡ଼, ବୌଦ୍ଦ, ଦେବଗଡ଼, ଢ଼େଙ୍କାନାଳ, ରାୟଗଡ଼ା, ସୋନପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, ଯାଜପୁର, ଅନୁଗୋଳ ଓ ସମ୍ବଲପୁରର ହବିଷ୍ୟାଳି ରହିବା ଯୋଜନା କରାଯାଇଛି। ରେଳବାଇ ମେଳା ସେଡ୍‌କୁ ରିଜର୍ଭ ରଖାଯାଇଛି। ଏହି ଜାଗାଗୁଡ଼ିକରୁ ଶ୍ରଦ୍ଧାଳୁ ବଳିଲେ ସେମାନଙ୍କୁ ଏହି ମେଳା ସେଡ୍‌କୁ ସ୍ଥାନାନ୍ତର କରାଯିବ ବୋଲି ଯୋଜନା ରହିଛି। ପ୍ରବଳ ବର୍ଷା ହେଉଥିବାରୁ ପଞ୍ଜୀକରଣ ଠାରୁ ଆରମ୍ଭ କରି ବିଭିନ୍ନ କାମରେ ବାଧା ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe