ଭୁବନେଶ୍ବର: ‘ସମ୍ବାଦ’ ଓଡ଼ିଶାର ଖବରକାଗଜର ଏକ ମାଇଲଖୁଣ୍ଟ। ୧୯୮୪ ମସିହାରେ ଯେତେବେଳେ ଆଜିର ଦିନରେ ଏହି ଖବରକାଗଜ ପ୍ରକାଶିତ ହେଲା, ସେତେବେଳେ ପ୍ରଥମରୁ ହିଁ ପାଠକମାନଙ୍କ ନିକଟରେ ଲୋକପ୍ରିୟତା ଅର୍ଜନ କରିଥିଲା। ସେହି ସମୟରେ ଡାକ ସଂସ୍କରଣ ଥିଲା। ଯେତେବେଳେ ସୌମ୍ୟରଂଜନ ପଟ୍ଟନାୟକ ସକାଳ ସଂସ୍କରଣ ଆରମ୍ଭ କରିଥିଲେ, ସେତେବେଳେ ତାଙ୍କୁ ଅନେକ ଲୋକ ସମାଲୋଚନା କରିଥିଲେ। ସୌମ୍ୟବାବୁ ବାସି ଖବର ବଦଳରେ ସତେଜ ଖବର ଦେବା ପାଇଁ ଉଦ୍ୟମ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏହା କହିଛନ୍ତି।
ସ୍ଥାନୀୟ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ‘ସମ୍ବାଦ’ର ୪୧ତମ ଓ ‘କନକ ନ୍ୟୁଜ’ର ୧୬ତମ ବାର୍ଷିକ ଉତ୍ସବକୁ ସମ୍ବୋଧିତ କରି ମୁଖ୍ୟ ଅତିଥି ଶ୍ରୀ ମାଝୀ କହିଛନ୍ତି, ଯେତେବେଳେ ଖେଳ ହେଉ ବା ବାଣିଜ୍ୟ ହେଉ, ସବୁ ଖବର ପହଞ୍ଚିଲା ବେଳକୁ ସନ୍ଧ୍ୟା ୮ଟା ହୋଇଯାଏ। ସମସ୍ତ ଖବର ଆସିଲା ପରେ ସଂପାଦନ କରାଯାଏ ଓ ରାତି ୩ଟା ସୁଦ୍ଧା ମୁଦ୍ରଣ କରାଯାଇ ପାଠକଙ୍କ ପାଖକୁ ସକାଳୁ ପହଞ୍ଚାଇବାକୁ ପଡ଼ିଥାଏ। ସମୟର ପରିଚାଳନା କରି ଖବରକାଗଜ ପ୍ରକାଶ କରିବା କଷ୍ଟକର କାମ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଅତୀତରେ ଖବରକାଗଜଗୁଡ଼ିକ ୮ ପୃଷ୍ଠା ଥିଲା। ବୋଧେ ‘ସମ୍ବାଦ’ ଏହାକୁ ପ୍ରଥମେ ୧୨ ପୃଷ୍ଠା ଏବଂ ପରବର୍ତ୍ତୀ ସମୟରେ ୧୬ ପୃଷ୍ଠା କରିଥିଲା। କେଉଁ ପୃଷ୍ଠାରେ କେଉଁ ପ୍ରସଙ୍ଗ ରହିବ ତାହାକୁ ଗୁରୁତ୍ବ ଦେଇଥିଲା। ୪୧ ବର୍ଷ ପରେ ‘ସମ୍ବାଦ’ ଆଜି ପ୍ରତିଯୋଗିତାର ଆଗରେ ରହିଛି। ଲୋକଙ୍କ ପାଖରେ ପାଠକୀୟ ଆଦର ବଢ଼ିବଢ଼ି ଚାଲିଛି।
ସାମାଜିକ ଗଣମାଧ୍ୟମର ବହୁଳ ପ୍ରଚାରପ୍ରସାର ହୋଇଥିଲେ ମଧ୍ୟ ‘ସମ୍ବାଦ’ର ଲୋକପ୍ରିୟତାକୁ ହ୍ରାସ କରିପାରି ନାହିଁ। ‘ସମ୍ବାଦ’ର ଆଦରକୁ କମ କରିପାରି ନାହିଁ। ‘ସମ୍ବାଦ’କୁ ଗଢ଼ିବାରେ ସୌମ୍ୟବାବୁ ବହୁ ପରିଶ୍ରମ କରିଛନ୍ତି। ନୂଆପିଢ଼ିର ଯୁବକ/ଯୁବତୀଙ୍କୁ ସୁଯୋଗ ଦେଇ ଗଣମାଧ୍ୟମକୁ ଆଣିପାରିଛନ୍ତି। ଆଜି ଯେଉଁମାନେ ସାମ୍ବାଦିକ ଭାବେ ପ୍ରତିଷ୍ଠିତ ହୋଇଛନ୍ତି, ସେମାନେ ଅତୀତରେ ‘ସମ୍ବାଦ’ରେ କାମ କରିଥିବେ।
‘ସମ୍ବାଦ’ ଓଡ଼ିଶା ଗଣମାଧ୍ୟମରେ ଏକ ବିଶାଳ ବରଗଛ। ସୌମ୍ୟବାବୁଙ୍କର ଆମଘର ହାଲଚାଲ ଯେତେବେଳେ ଆସେ, ସରକାର ଦୋହଲି ଯାଇଥାଏ।
-ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ
ସମ୍ବାଦପତ୍ର ହେଉଛ ସମାଜର ଦର୍ପଣ। ଖବରକାଗଜ ମାଧ୍ୟମରେ ହିଁ ଅନେକ କଥା ଜାଣି ହେଉଛି। ଖବରକାଗଜ ପାଠକମାନେ ହିଁ ସମାଜର ସ୍ଥିତି ଜାଣିପାରିଥାନ୍ତି। ଭାରତରେ ପ୍ରଥମେ ‘ଦ ବେଙ୍ଗଲ୍ ଗେଜେଟ୍ସ’ ଏବଂ ଓଡ଼ିଶାରେ ପ୍ରଥମେ ‘ଉତ୍କଳ ଦୀପିକା’ ପ୍ରକାଶ ପାଇଥିଲା। ସ୍ବାଧୀନତା ପୂର୍ବରୁ ଏବଂ ପରେ ମଧ୍ୟ ଦେଶର ବିକାଶରେ ଗଣମାଧ୍ୟମର ଭୂମିକା ରହିଛି। ଗଣମାଧ୍ୟମ ହେଉଛି ଗଣତନ୍ତ୍ର’ର ଚତୁର୍ଥ ସ୍ତମ୍ଭ। କୌଣସି କାମ ସରକାରଙ୍କ ନଜରକୁ ଆଣିବା ହେଉଛି ଗଣମାଧ୍ୟମର କାମ, ଯାହା ସୌମ୍ୟବାବୁ ଭଲଭାବରେ ଜାଣିଛନ୍ତି।
ପୂର୍ବ ସରକାର ସଂପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଣମାଧ୍ୟମକୁ ୫ ବର୍ଷ ପର୍ଯ୍ୟନ୍ତ କଷ୍ଟ ଦିଆଯାଇଥିଲା। ସେମାନଙ୍କ ପାଇଁ କଟକଣା ଲଗାଯାଇଥିଲା। ସେତେବେଳେ ମୁଁ ବିରୋଧୀ ଦଳରେ ଥିଲି। ଆମ ସରକାର ସାମ୍ବାଦିକମାନଙ୍କୁ ଅବହେଳା କରିବ ନାହିଁ।
ଏହି ଅବସରରେ ‘ସମ୍ବାଦ’ର ବାର୍ଷିକ ବିଶେଷାଙ୍କ ଉନ୍ମୋଚିତ ହୋଇଯାଇଛି। ସମାରୋହରେ ସମ୍ମାନିତ ଅତିଥି ହିନ୍ଦୀ ଦୈନିକ ‘ଦୈନିକ ଭାସ୍କର’ର ଗ୍ରୁପ ଏଡିଟର ପ୍ରକାଶ ଦୁବେ, ହିନ୍ଦୁ ବିଜନେସ୍ ଲାଇନ୍ର ରେସିଡେଣ୍ଟ ଏଡିଟର ପୂର୍ଣ୍ଣିମା ଯୋଶୀ, ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ସମ୍ବାଦ ଗ୍ରୁପ ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟର ପଟ୍ଟନାୟକ, ‘ସମ୍ବାଦ’ର ସଂପାଦକ ତନୟା ପଟ୍ଟନାୟକ, ସମ୍ବାଦ-କନକ ନ୍ୟୁଜର ବାର୍ତ୍ତା ସଂପାଦକ ଭବାନୀ ଶଙ୍କର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
Bhubaneswar | sambad