ସାମ୍ବାଦିକ ଅରିନ୍ଦମ୍‌ ଦାସଙ୍କ ପରଲୋକରେ ଶୋକ ଜଣାଇଲେ ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

Advertisment
ସାମ୍ବାଦିକ ଅରିନ୍ଦମ୍‌ ଦାସଙ୍କ ପରଲୋକରେ ଶୋକ ଜଣାଇଲେ ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଟକ ଜିଲ୍ଲା ମୁଣ୍ଡଳି ନିକଟରେ ମହାନଦୀରେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଉଥିବା ଓଡ୍ରାଫ୍‌ ଟିମର ବୋଟ ଓଲଟିବା ଘଟଣାରେ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କର ଅକାଳ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।

ଓଡ଼ିଆ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରଲୋକ ଖବର ଶୁଣି ମର୍ମାହନ ଅନୁଭବ କରୁଛି। ଶୋକସନ୍ତପ ପରିବାରକୁ ସମବେଦନା ଜଣାଉଛି ବୋଲି ରାଜ୍ୟପାଳ ଟୁଇଟ୍‌ରେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, କାର୍ଯ୍ୟରତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତଯ ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅରନ୍ଦିମଙ୍କ ପରଲୋକରେ ଶୋକ ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ଅରନ୍ଦିମଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ପରିବାର ବର୍ଗଙ୍କୁ ଅସୀମ ଧୈଯ୍ୟ ଓ ସାହାସ ପ୍ରଦାନ କରନ୍ତୁ। ବିଭିନ୍ନ ସମୟରେ ଦୁଃସାହାସିକ ରିପୋର୍ଟିଂ କରି ସେ ଓଡ଼ିଆ ଗଣମାଧ୍ୟମରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ। ତାଙ୍କର ଅକାଳ ବିୟୋଗ ଓଡ଼ିଶା ଗଣମାଧ୍ୟମ ଜଗତରେ ଅପୂରଣୀୟ ଶୂନ୍ୟସ୍ଥାନ ତିଆରି କରିଛି। ଓଟିଭିର ଯୁବ ସାମ୍ବାଦିକ ତଥା ମୋର ବନ୍ଧୁ ଅରିନ୍ଦମ ଦାସଙ୍କ ଏକ ଅଭାବନୀୟ ଘଟଣାରେ ଅକାଳ ବିୟୋଗ ଖବର ଶୁଣି ମୁଁ ବ୍ୟକ୍ତିଗତ ଭାବେ ଦୁଃଖିତ ଓ ମର୍ମାହତ ।

ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଶୋକ ପ୍ରକାଶ କରିଛନ୍ତି। ସେ ଜଣେ କର୍ମଠ ଓ ମେଳାପୀ ସ୍ୱଭାବର ବ୍ୟକ୍ତି ଥିଲେ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ପରିବାର ବର୍ଗଙ୍କୁ ଶକ୍ତି ଦେବାକୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀଯୁକ୍ତ ଦାଶ କହିଛନ୍ତି।

ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ ପରେ ତାଙ୍କ ଅକାଳ ବିୟୋଗ ନେଇ ଶୋକ ପ୍ରକାଶ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଅରିନ୍ଦମ ଜଣେ ଦୁଃସାହାସିକ ସାମ୍ବାଦିକ ଥିଲେ, ସାଧାରଣ ଖବରଠୁ ଆରମ୍ଭ କରି ବାତ୍ୟା କଭରେଜ ସବୁଥିରେ ସେ ନିଆରା ଥିଲେ ବୋଲି ନିରଞ୍ଜନ କହିଛନ୍ତି। ତେବେ ଆଜି ମୁଣ୍ଡଳୀ ବ୍ରିଜରୁ ହାତୀ ଉଦ୍ଧାର କରିବାକୁ ଯିବା ସମୟରେ ଅରିନ୍ଦମଙ୍କ ଏହି ଦେହାନ୍ତ ତାଙ୍କୁ ମର୍ମାହତ କରିଛି।

ସେହିପରି ବିଜେପିର ବରିଷ୍ଠ ନେତା ବୈଜପଣ୍ଡା ମଧ୍ୟ ଅରିନ୍ଦମ ଦାସଙ୍କ ପରଲୋକରେ ଶୋକ ଜଣାଇଛନ୍ତି। ଅରିନ୍ଦମ ଜଣେ ହିରୋ ଥିଲେ। ତାଙ୍କର ପରଲୋକରେ ତାଙ୍କ ପରିବାରକୁ ସମବେଦନା ଜଣାଉଛି।

ସୂଚନାଯୋଗ୍ୟ, ଅରିନ୍ଦମ ଦାସଙ୍କ ମୃତ୍ୟୁ ଘଟଣା ରାଜ୍ୟର ଗଣମାଧ୍ୟମ ପରିସରରେ ଶୋକର ଛାୟା ଖେଳାଇ ଦେଇଛି। ଆଜି ସକାଳୁ ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ବୋଟ୍‌ଟି ପାଣିର ପ୍ରଖର ସ୍ରୋତରେ ଖସିପଡ଼ିଥିଲା। ଫଳରେ ସେଥିରେ ଖବର ସଂଗ୍ରହ ଲାଗି ଯାଇଥିବା ଓଟିଭିର ବରିଷ୍ଠ ପ୍ରତିନିଧି ଅରିନ୍ଦମ ଦାସ ଏବଂ କ୍ୟାମେରାମ୍ୟାନ୍‌ ପ୍ରଭାତ ସିହ୍ନା ପାଣିରେ ପଡ଼ିଯାଇଥିଲେ। ଏଥିସହ ଜଣେ ଓଡ୍ରାଫ୍‌ କର୍ମଚାରୀ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ। ଏହାପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ସାମ୍ବାଦିକ ଅରିନ୍ଦମ ଦାସ ଓ କ୍ୟାମେରାମ୍ୟାନ ସିହ୍ନାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ସଙ୍ଗେସଙ୍ଗେ ଦୁଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଅରିନ୍ଦମଙ୍କର ମୃତ୍ୟୁ ହୋଇଥିଲା। ପ୍ରଭାତ ସିହ୍ନାଙ୍କ ଅବସ୍ଥା ଗୁରୁତର ରହିଥବା ବେଳେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ସମ୍ପର୍କରେ କଟକ ବଡ଼ ମେଡିକାଲର ଜରୁରୀକାଳୀନ ଅଧିକାରୀ ଡ.ଭୁବନାନନ୍ଦ ମହାରଣା ସ୍ପଷ୍ଟ କରିଛନ୍ତି। ଓଟିଭିରେ କାର୍ଯ୍ୟ କରିବା ପୂର୍ବରୁ ଅରିନ୍ଦମ ଦାସ ଦୈନିକ ଧରିତ୍ରୀର ଭୁବନେଶ୍ୱରରେ କ୍ରାଇମ୍‌ ରିପୋର୍ଟର ଭାବେ କାର୍ଯ୍ୟ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe