ନବରଙ୍ଗପୁରରେ ନବୀନ ପଟ୍ଟନାୟକ, ଚାଷୀ କଲ୍ୟାଣକୁ ପ୍ରଥମ ସ୍ଥାନ

Advertisment
ନବରଙ୍ଗପୁରରେ ନବୀନ ପଟ୍ଟନାୟକ, ଚାଷୀ କଲ୍ୟାଣକୁ ପ୍ରଥମ ସ୍ଥାନ

ନବରଙ୍ଗପୁର/ରାଇଘର : ବିଜେଡି ଇସ୍ତାହାରରେ ଚାଷୀଙ୍କ କଲ୍ୟାଣକୁ ପ୍ରଥମ ସ୍ଥାନ ଦିଆଯାଇଛି। ୪୦ ଲକ୍ଷ ଚାଷୀଙ୍କୁ ‘କାଳିଆ’ ଯୋଜନାରେ ସହାୟତା ରାଶି ଦିଆଯାଇଛି। ଏହାପରେ ପୁଣି ୨୫ଲକ୍ଷ ଚାଷୀଙ୍କ ତାଲିକା ପ୍ରସ୍ତୁତ ହୋଇଛି। ବିଜେଡି ସରକାର ଗଠନ କରିବାର ପ୍ରଥମ ଦିନରେ ଏହି ଚାଷୀଙ୍କୁ ସହାୟତା ରାଶି ମିଳିଯିବ। ୨ଟି କିସ୍ତିର ୧୦ହଜାର ଟଙ୍କା ଏକାସାଙ୍ଗରେ ଦିଆଯିବ। ଜଣେ ବି ଚାଷୀ ଏହି ଯୋଜନାରୁ ବଞ୍ଚିତ ହେବେ ନାହିଁ। ନବରଙ୍ଗପୁର, ରାଇଘର, ଝରିଗାଁ ଏବଂ ମଇଦଲପୁରରେ ପ୍ରଚାର ବେଳେ ଆଜି ଏମିତି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଚାଷୀ ପ୍ରସଙ୍ଗ ପରେ କେନ୍ଦ୍ର ସରକାର ଏବଂ ବିଜେପିକୁ ନିଶାନା କରିଥିଲେ ନବୀନ। କହିଥିଲେ ଯେ ନିର୍ବାଚନ ପାଇଁ ବିଜେପି ନେତା ବାରମ୍ବାର ନବରଙ୍ଗପୁର ଜିଲ୍ଲାକୁ ଆସୁଛନ୍ତି। ଗତ ୫ବର୍ଷ ହେଲା କେଉଁଠି ଥିଲେ। ବର୍ତମାନ ଭୋଟ ପାଇଁ କେବଳ ବିକାଶ କଥା କହୁଛନ୍ତି। ଓଡ଼ିଶାକୁ ପୁଣି ଉପେକ୍ଷିତ କରି କେନ୍ଦ୍ର ସରକାର କେବିକେ ଯୋଜନା ଓ ବିଆର୍‌ଜିଏଫ୍‌ ପାଣ୍ଠିକୁ ବନ୍ଦ କଲେ। ଗରିବ ଅନୁସୂଚିତ ଜାତି ଓ ଜାନଜାତି ଛାତ୍ରଛାତ୍ରୀଙ୍କ ବୃତ୍ତି ବିନ୍ଦ କରାଗଲା। ମହାନଦୀ ପାଣିକୁ ମଧ୍ୟ ବନ୍ଦ କରି ଦିଆଗଲା। ଓଡ଼ିଶା‌ରେ ଜଳସେଚନ ପାଇଁ ୨୦ହଜାର କୋଟି ଟଙ୍କା ଆବଶ୍ୟକ। ମାତ୍ର ୨୫୦କୋଟି ଟଙ୍କା ଦେଇ ଏବେ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଥିଲେ ନବୀନ।

ଏହି ଅବସରରେ ଆଉ ପାଦେ ଆଗକୁ ଯାଇ ନବୀନ କହିଥିଲେ ଯେ ବିଜେପି ସରକାର ଆସୁ ଆସୁ ଏମଏସପି ୨ଗୁଣା କରିଦେବି ବୋଲି କହିଥିଲେ। ହେଲେ କୁଆଡେ ଗଲା ୨ଗୁଣା ଏମଏସପି? ବନ୍ୟା, ବାତ୍ୟା ଓ ମରୁଡ଼ି ବେଳେ କେଉଁଠି ଥିଲେ? ନବରଙ୍ଗପୁରକୁ ରେଳପଥ କେବେ ସଂଯୋଗ ହେବ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ନବୀନ। ଶେଷ ନିଶ୍ବାସ ଥିବା ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସେବା କରିବି। ଏଥିପାଇଁ ଆପଣ ମାନଙ୍କ ଆଶୀର୍ବାଦ ଚାହୁଁଛି ବୋଲି କହି ସାଂସଦ ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝୀ ଓ ବିଧାୟକ ପ୍ରାର୍ଥୀ ସଦାଶିବ ପ୍ରଧାନୀ, ମନୋହର ରନ୍ଧାରୀ, ପ୍ରକାଶ ମାଝୀ ଏବଂ ସୁବାସ ଗଣ୍ଡଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ।

ସମସ୍ତ ପ୍ରଚାର ସଭାରେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ସଂଜୟ ଦାସବର୍ମା ଓ ସାଂସଦ ପ୍ରାର୍ଥୀ ରମେଶ ମାଝୀ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଚକୁ ଆସିବା ପୂର୍ବରୁ ଅଭିନେତା ବବି ମିଶ୍ର, ସବ୍ୟସାଚୀ, ରିୟା, ହାସ୍ୟ କଳାକାର ପ୍ରଜ୍ଞା, ଅଭିନେତ୍ରୀ ଇପ୍ସିତା ମହାନ୍ତି, ସିନେ ତାରକା ପୁପିନ୍ଦର ସିଂହ ପ୍ରମୁଖ ଉପସ୍ଥିତ ଜନତାଙ୍କ ମନୋରଂଜନ କରିଥିଲେ। ଏହି ଅବସରରେ ଯୁବ ନେତା ଏ.ଶିବରାମ ରାଜୁ ଓ ତେଲି ସାହିର ଶିବା ରାଜୁଙ୍କ ନେତୃତ୍ବରେ ବହୁ ସଂଖ୍ୟକ ଯୁବକ ବିଜେଡିରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe