ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟର ଡିଜାଇନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟର ଡିଜାଇନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ଓଡ଼ିଆ ଭାଷା ବିଶ୍ବବିଦ୍ୟାଳୟର ରୂପରେଖ ସଂପର୍କରେ ଆଜି ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଏକ ଡିଜାଇନ୍ ଉପସ୍ଥାପନା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରିଛନ୍ତି।

ଏହି ନୂତନ ବିଶ୍ବବିଦ୍ୟାଳୟର ଡିଜାଇନ ସତ୍ୟବାଦୀ ବନ ବିଦ୍ୟାଳୟ ଢାଞ୍ଚା ପ୍ରସ୍ତୁତ କରାଯାଇଛି। ଏଠାରେ ଶାନ୍ତ, ସ୍ନିଗ୍ଧ ଓ ମୁକ୍ତ ପରିବେଶ ମଧ୍ୟରେ ଉତ୍ତମ ଶୈକ୍ଷିକ ଅନୁଭବ ପ୍ରଦାନ ଲକ୍ଷ୍ୟ ରଖାଯାଇଛି। ଛାତ୍ରଛାତ୍ରୀମା‌ନଙ୍କ ଲାଗି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ‌ଗବେଷଣା କରିବାର ବ୍ୟବସ୍ଥା ରହିବ। ଏହି ଡିଜାଇନକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ଏହାର ନିର୍ମାଣର ବିସ୍ତୃତ ଯୋଜନା ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ।

ପୁରୀ ଜିଲ୍ଲାର ସତ୍ୟବାଦୀସ୍ଥିତ ପ୍ରସିଦ୍ଧ ବନ ବିଦ୍ୟାଳୟରେ ଏହି ବିଶ୍ବବିଦ୍ୟାଳୟ ସ୍ଥାପନ କରାଯିବ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ବନ ବିଦ୍ୟାଳୟ ପରିସରରେ ଏହି ଓଡ଼ିଆ ଭାଷା ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଏହାର ମର୍ଯ୍ୟାଦାକୁ ବହୁଗୁଣିତ କରିବ ବୋଲି ଆଶା କରାଯାଏ।

ଉତ୍କଳମଣିଙ୍କର ସତ୍ୟବାଦୀ ବନ ବିଦ୍ୟାଳୟ ଥିଲା ସ୍ବାଧୀନତା ସଂଗ୍ରାମ ସମୟର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ। ବକୁଳ ଓ ଛୁରିଆନା ବୃକ୍ଷ ଛାୟାରେ ମୁକ୍ତ ପରିବେଶ ମଧ୍ୟରେ ଏହି ବିଦ୍ୟାଳୟ ଗଢ଼ିଉଠିଥିଲା। ଏଥିରେ ଓଡ଼ିଶାର ବହୁ ବିଖ୍ୟାତ ବ୍ୟକ୍ତି ଅଧ୍ୟୟନ କରି ପରବର୍ତ୍ତୀ ସମୟରେ ରାଜ୍ୟର ଗୌରବକୁ ବୃଦ୍ଧି କରିଥିଲେ। ଏହା ଥିଲା ଏକ ଆଦର୍ଶ ବିଦ୍ୟାଳୟ। ମଣିଷ ତିଆରି କାରଖାନା। ସ୍ବାଧୀନତା ଯୁଗର ପଂଚସଖା ଗୋପବନ୍ଧୁ ଦାସ, କୃପାସିନ୍ଧୁ ମିଶ୍ର, ହରିହର ଦାସ, ପଣ୍ଡିତ ନୀଳକଣ୍ଠ ଦାସ ଏବଂ ପଣ୍ଡିତ ଗୋଦାବରୀଶ ମଶ୍ରଙ୍କ ପରି ଉତ୍କଳ ଜନନୀଙ୍କ ସୁ‌ଯୋଗ୍ୟ ସନ୍ତାନମାନଙ୍କ ମାର୍ଗଦର୍ଶନରେ ଦେଶଭକ୍ତି, ସେବା, ପ୍ରଜ୍ଞା ଓ ଜାତୀୟତାର ମହାନ ଶିକ୍ଷାନୁଷ୍ଠାନ ଭାବେ ଏହା ପ୍ରସିଦ୍ଧି ଲାଭ କରିଥିଲା। ସେହି ଐତିହାସିକ ବନ ବିଦ୍ୟାଳୟରେ ଓଡ଼ିଆ ଭାଷା ବିଶ୍ବବିଦ୍ୟାଳୟ ନିଶ୍ଚିତ ଭାବରେ ଏକ ଅନନ୍ୟ ଉଦ୍ୟମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe