ଜାଣନ୍ତୁ, କାହିଁକି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍‌ କରି ବିଳମ୍ବିତ ରାତ୍ରିରେ ନାସିକ୍‌ ବିମାନବନ୍ଦରକୁ ଖୋଲାଇଲେ ମୁଖ୍ୟମନ୍ତ୍ରୀ ନବୀନ...

ଜାଣନ୍ତୁ, କାହିଁକି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍‌ କରି ବିଳମ୍ବିତ ରାତ୍ରିରେ ନାସିକ୍‌ ବିମାନବନ୍ଦରକୁ ଖୋଲାଇଲେ ମୁଖ୍ୟମନ୍ତ୍ରୀ ନବୀନ...

ଭୁବନେଶ୍ୱର: ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ବିରୋଧରେ ଓଡ଼ିଶା ଲଢ଼ୁଥିବା ବେଳେ ହଠାତ୍‌  ଦେଖାଦେଲା ଏକ ସମସ୍ୟା। କୋଭିଡ୍‌-୧୯ ବା କରୋନା ନମୁନା ପରୀକ୍ଷା ପାଇଁ ରାଜ୍ୟକୁ ବିଦେଶରୁ ଆମଦାନି କରାଯାଇଥିବା କିଛି ସାମଗ୍ରୀ ଆସି ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସଡ଼କ ପଥରେ ଆସି ରାଜ୍ୟରେ ପହଞ୍ଚିବାର ଥିଲା। କିନ୍ତୁ ରପ୍ତାନି କରିଥିବା କମ୍ପାନି ସେଗୁଡ଼ିକୁ ପଠାଇ ଦେଲା ପୁଣେ ଓ ନାସିକ୍‌। ଲକ୍‌ଡାଉନ ପାଇଁ ପୁଣେ ଓ ନାସିକ୍‌ ବିମାନ ବନ୍ଦର ବନ୍ଦ। ଏଣେ ରାତି ଭିତରେ ଯଦି ସାମଗ୍ରୀ ଆସି ନ ପହଞ୍ଚୁଛି ତେବେ ସକାଳୁ ବାଧାପ୍ରାପ୍ତ ହୋଇଯିବ କରୋନା ନମୁନା ପରୀକ୍ଷା। ଏ ପରିସ୍ଥିତିରେ କରାଯିବା କ’ଣ? ସମସ୍ତେ ପଡ଼ିଗଲେ ଚିନ୍ତାରେ।

କୋଭିଡ୍‌ ବିରୋଧୀ ଲଢ଼େଇରେ ମଙ୍ଗ ସମ୍ଭାଳିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେବେଳେ ଏ ଘଟଣା ଜାଣିଲେ, କାଳ ବିଳମ୍ବ ନକରି ଫୋନ୍‌ ଲଗାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ। ସୃଷ୍ଟି ହୋଇଥିବା ସମସ୍ୟା ସଂପର୍କରେ ତାଙ୍କୁ ଅବଗତ କରାଇବା ସହ ଆବଶ୍ୟକ ପଡ଼ୁଥିବା ସହଯୋଗ ସଂପର୍କରେ ଦେଲେ ସୂଚନା। ବାସ୍‌; ମାତ୍ର କିଛି ଘଣ୍ଟା ମଧ୍ୟରେ ଯୋଗାଡ଼ ହୋଇଗଲା ବାୟୁସେନାର ଏକ ବିମାନ। ବିଳମ୍ବିତ ରାତିରେ ଖୋଲିଲା ବନ୍ଦ ଥିବା ପୁଣେ ଓ ନାସିକ୍‌ ବିମାନ ବନ୍ଦର। ସେଠାରୁ ପରୀକ୍ଷଣ ସାମଗ୍ରୀ ପରିବହନ କରି ବାୟୁସେନାର ବିମାନ ମଧ୍ୟରାତ୍ରରେ ଆସି ଅବତରଣ କଲା ଭୁବନେଶ୍ୱର ବିମାନ ବନ୍ଦରରେ। ସକାଳୁ ଚାଲୁ ରହିଲା କୋଭିଡ୍‌ ପରୀକ୍ଷଣ।

publive-image Loksatta

ସେହିପରି ଆଉ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା, ରାଜ୍ୟରେ କୋଭାଡ୍‌ ମେସିନ୍‌ ପ୍ରତିଷ୍ଠା କାଳରେ। କୋଭିଡ୍‌-୧୯ ନମୁନା ପରୀକ୍ଷଣର ସଂଖ୍ୟା ବଢ଼ାଇବା ସହ ଏହାକୁ ତ୍ୱରାନ୍ଵିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଉଦ୍ୟମରେ ରାଜ୍ୟକୁ ମଗାଇ ଆଣିଲେ କୋଭାସ୍‌ ମେସିନ୍‌। ଯେଉଁଥିରେ ଥରକରେ ହୋଇ ପାରିବ ୮୦୦ ନମୁନାର ପରୀକ୍ଷା। ମେସିନ୍‌ ତ ଆସି ପହଞ୍ଚିଗଲା। ହେଲେ, ସମସ୍ୟା ଉପୁଜିଲା ଏହାକୁ ପ୍ରତିଷ୍ଠା କରିବା ସମୟରେ। କାରଣ, ଏହାକୁ ଯେଉଁ ଇଞ୍ଜିନିୟରମାନେ ପ୍ରତିଷ୍ଠା କରିବେ ସେମାନଙ୍କ ମଧ୍ୟରୁ କିଏ, ଦିଲ୍ଲୀରେ ତ ପୁଣି କିଏ ମୁମ୍ବାଇରେ, ଆଉ ପୁଣି ଯାଇ ଗୁରୁଗ୍ରାମରେ। ଏ ଘଟଣା ଯେତେବେଳେ ଜାଣିଲେ ମୁଖ୍ୟମନ୍ତ୍ରୀ ନବୀନ ଡକାଇଲେ ଅଧିକାରୀମାନଙ୍କୁ। ନିର୍ଦ୍ଦେଶ ଦେଇ କହିଲେ ଯାଅ ବିମାନ ଧରି ସବୁ ଇଞ୍ଜିନିୟରମାନଙ୍କୁ ସଙ୍ଗରେ ଧରିକି ଆସ। ଫଳରେ ରାଜ୍ୟ ସରକାରଙ୍କ ବିମାନରେ ଦେଶର ବିଭିନ୍ନ ସ୍ଥାନରୁ ଆସିଲେ ୨୨ ଜଣ ଇଞ୍ଜିନିୟର। ଦୀର୍ଘ ତିନିଦିନ ପରିଶ୍ରମ କରି ସ୍ଥାପନା କଲେ କୋଭାସ୍‌ ମେସିନ୍‌। ଯାହା ଫଳରେ ଆଜି ରାଜ୍ୟରେ ୨୫୦୦ରୁ ଅଧିକ ନମୁନାର ପରୀକ୍ଷା କରାଯାଇ ପାରୁଛି ବୋଲି ଆଜି ରାଜ୍ୟ ଲଢ଼ୁଥିବା କୋଭିଡ୍‌ ଯୁଦ୍ଧର ବିବରଣୀ ପ୍ରଦାନ କାଳରେ ସୂଚନା ଦେଇଛନ୍ତି ରାଜ୍ୟର ଅନ୍ୟତମ ବରିଷ୍ଠ ଆଇଏଏସ୍‌ ଅଧିକାରୀ ତଥା ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe