ସଚିବାଳୟ ଆସିଲେ ମୁଖ୍ୟମନ୍ତ୍ରୀ, ଚାରି ମନ୍ତ୍ରୀ

ସଚିବାଳୟ ଆସିଲେ ମୁଖ୍ୟମନ୍ତ୍ରୀ, ଚାରି ମନ୍ତ୍ରୀ

ଭୁବନେଶ୍ୱର : ‘ଓଡ଼ିଶା ବନ୍ଦ’ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିରାଚରିତ ଢଙ୍ଗରେ ନିର୍ଦ୍ଦିଷ୍ଟ ସମୟରେ ସଚିବାଳୟ ଆସିଥିଲେ। ୧୧ଟା ୩୫ରେ ମୁଖ୍ୟମନ୍ତ୍ରୀ ସଚିବାଳୟରେ ପହଞ୍ଚିଥିଲେ। ପାଖାପାଖି ଏକ ଘଣ୍ଟା ରହି ନବୀନ ନିବାସ ଫେରିଯାଇଥିଲେ। ତେବେ ଏହି ସମୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ବୈଠକ ରଖାଯାଇ ନ ଥିଲା। ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅନ୍ୟ ଦିନ ଅପେକ୍ଷା ଆଜି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିଲା।

publive-imageମୁଖ୍ୟମନ୍ତ୍ରୀ ଆସିଥିଲେ ମଧ୍ୟ ସଚିବାଳୟ ମନ୍ତ୍ରୀ କରିଡର୍‌ ଆଜି ଖାଁ ଖାଁ ଥିଲା। ପ୍ରଥମ ମହଲାରେ ଦୁଇ ଜଣ ମନ୍ତ୍ରୀ ଅନନ୍ତ ଦାସ ଓ ଅଶୋକ ଚନ୍ଦ୍ର ପଣ୍ଡା, ଦ୍ୱିତୀୟ ମହଲାରେ ଦୁଇ ଜଣ ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ପ୍ରଫୁଲ୍ଲ ମଲ୍ଲିକ ଉପସ୍ଥିତ ଥିଲେ। ଶ୍ରୀ ମହାରଥୀଙ୍କୁ ବାଦ୍‌ ଦେଲେ ଅନ୍ୟ ତିନି ମନ୍ତ୍ରୀ ମୋଟର୍‌ ସାଇକେଲ୍‌ରେ ଆସିଥିଲେ। ଶ୍ରୀ ମହାରଥୀ ସ୍ୱାଭାବିକ ଭାବେ ତାଙ୍କ କାର୍‌ରେ ଆସିଥିଲେ। ବହୁ ସମୟ ପର୍ଯ୍ୟନ୍ତ ମନ୍ତ୍ରୀମାନେ ନିଜ କାର୍ଯ୍ୟାଳୟରେ ରହି ଅଧିକାରୀମାନଙ୍କ ସହ ଆଲୋଚନା କରୁଥିବା ଦେଖାଯାଇଥିଲା। ବିଭିନ୍ନ ବିଭାଗର ଅଧିକାରୀମାନେ ମୋଟର୍‌ ସାଇକେଲ୍‌ରେ ଆସୁଥିବାର ଦେଖାଯାଇଥିଲା। ନିଜେ ମୁଖ୍ୟମନ୍ତ୍ରୀ ଓ ଚାରି ଜଣ ମନ୍ତ୍ରୀ ସଚିବାଳୟ ଆସିଥିଲା ବେଳେ ଅନ୍ୟ ମନ୍ତ୍ରୀମାନେ ବନ୍ଦ ଆଳରେ ଅଫିସ୍‌ ନ ଆସିବା ଘଟଣାକୁ କେହି ସହଜରେ ହଜମ କରିପାରି ନ ଥିଲେ।

publive-imageବନ୍ଦକୁ ନଜରରେ ରଖି ସଚିବାଳୟ ଚତୁଃପାର୍ଶ୍ୱରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ସାମ୍ନା ପଟେ ଦୁଇଟି ଫାଟକକୁ ବନ୍ଦ କରିଦିଆଯାଇଥିଲା। ମୁଖ୍ୟ ଫାଟକ ପଟେ କାର୍‌ ଓ ମୋଟର୍‌ ସାଇକେଲ୍‌ ଛଡ଼ାଯାଇଥିଲା। ପଛ ପଟ ଫାଟକରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସଚିବାଳୟ ପ୍ରବେଶ ପାସ୍‌କୁ କଡ଼ାକଡ଼ି ଯାଞ୍ଚ୍‌ କରାଯାଉଥିଲା। ଆଗୁଆ ଅଫିସ୍‌ ଆସିବା ପାଇଁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଥିବାରୁ ୧୦ଟା ପୂର୍ବରୁ ଅଧିକାଂଶ କର୍ମଚାରୀ ପହଞ୍ଚିଯାଇଥିଲେ। ତେବେ ମଧ୍ୟାହ୍ନ ପର୍ଯ୍ୟନ୍ତ କର୍ମଚାରୀମାନଙ୍କ ଆସିବା ଲାଗି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe