ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଅନୁରୋଧ : ‘ପାରାଦୀପରେ ନାପ୍‌ଥା କ୍ରାକର୍‌ ସ୍ଥାପନ କରୁ ଆଇଓସିଏଲ୍‌’

Advertisment
ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଅନୁରୋଧ : ‘ପାରାଦୀପରେ ନାପ୍‌ଥା କ୍ରାକର୍‌ ସ୍ଥାପନ କରୁ ଆଇଓସିଏଲ୍‌’

ଭୁବନେଶ୍ୱର : ପାରାଦୀପରେ ପେଟ୍ରୋକେମିକାଲ୍‌ସ ଇନ୍‌ଭେଷ୍ଟମେଣ୍ଟ ରେଜିଅନ୍‌ (ପିସିପିଆଇଆର୍‌) ପ୍ରତିଷ୍ଠା ନିମନ୍ତେ ରହିଥିବା ଆଭିମୁଖ୍ୟକୁ ଫଳପ୍ରଦ କରିବା ପାଇଁ ସମନ୍ଵିତ ନାପ୍‌ଥା କ୍ରାକର୍‌ ୟୁନିଟ୍‌ ସ୍ଥାପନ ଜରୁରି। ଏହି ୟୁନିଟ୍‌ର ସ୍ଥାପନା ପାଇଁ ଭାରତୀୟ ତୈଳ ନିଗମ ଲିମିଟେଡ୍‌(ଆଇଓସିଏଲ୍‌)କୁ ନିର୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଜରିଆରେ ଉପରୋକ୍ତ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ। ସେ କହିଛନ୍ତି, ନାପ୍‌ଥା କ୍ରାକର୍‌ ୟୁନିଟ୍‌ ସ୍ଥାପିତ ହେଲେ ଏହା ଦ୍ୱାରା ଇଥାଇଲିନ୍‌, ପ୍ରୋପାଇଲିନ୍‌, ବୁଟାଡିନ୍‌ ଏବଂ ଆରୋମାଟିକ୍‌ କଟ୍‌ସ ଉତ୍ପାଦନ ବୃଦ୍ଧି ଅଧିକ ହେବାର ସମ୍ଭାବନା ରହିଛି। ଏସବୁ ଉତ୍ପାଦ ବିଭିନ୍ନ ପ୍ରକାରର ଶିଳ୍ପାନୁଷ୍ଠାନ ନିମନ୍ତେ ବ୍ୟବହାର ଉପଯୋଗୀ ହୋଇପାରିବ। ଫଳରେ ଦେଶର ଟେକ୍ସଟାଇଲ୍ସ, ପଲିମର୍‌, ଫାର୍ମାସ୍ୟୁଟିକାଲ୍‌ସ, ସ୍ପେଶିଆଲିଟି କେମିକାଲ୍ସ ଆଦି କ୍ଷେତ୍ରରେ କ୍ରମବର୍ଧିଷ୍ଣୁ ଚାହିଦା ମେଣ୍ଟାଇବାରେ ସକ୍ଷମ ହେବ।

୨୦୧୪ ଜାନୁଆରି ୩୦ ତାରିଖରେ ତୈଳ, ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନାପ୍‌ଥା କ୍ରାକର୍‌ ୟୁନିଟ୍‌ ସ୍ଥାପନ ନେଇ ଯୋଜନା କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତିି। ଏହି ବୈଠକରେ ନାପ୍‌ଥାରୁ ଶକ୍ତି ଉତ୍ପାଦନ ପରିବର୍ତେ ଗ୍ୟାସ୍‌ରୁ ଉତ୍ପାଦନ ପାଇଁ ସମୟଭିତ୍ତିକ ଯୋଜନା ପ୍ରସ୍ତୁତ କରିବାକୁ ଆଇଓସିଏଲ୍‌କୁ ପରାମର୍ଶ ଦିଆଯାଇଥିଲା। ୨୦୧୫ ମେ’ ୨ ତାରିଖରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କୁ ଏ ନେଇ ଡିଓ ଚିଠି ଲେଖିଥିଲେ। ନାପ୍‌ଥା କ୍ରାକର୍‌ ୟୁନିଟ୍‌ ସ୍ଥାପନ ନେଇ କ୍ୟାବିନେଟ୍‌ ସଚିବ ହସ୍ତକ୍ଷେପ କରି ଆଇଓସିଏଲ୍‌ ଉପରେ ଚାପ ପ୍ରୟୋଗ କରିବାକୁ ସେହି ଚିଠିରେ ଅନୁରୋଧ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଅଗ୍ରାଧିକାର ଭିତ୍ତିରେ ନାପ୍‌ଥା କ୍ରାକର୍‌ ୟୁନିଟ୍‌ ଏବଂ ଆନୁଷଙ୍ଗିକ ଶିଳ୍ପାନୁଷ୍ଠାନ ସ୍ଥାପନ କରିବା ପାଇଁ ଆଇଓସିଏଲ୍‌କୁ ଆବଶ୍ୟକ ନିର୍ଦେଶନାମା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହା ସହିତ ସମାନ୍ତରାଳ ଭାବେ ପିସିପିଆଇଆର୍‌ ପ୍ରକଳ୍ପର ସଫଳତା ନିମନ୍ତେ ସାଧାରଣ ଭିତ୍ତିଭୂମି, ବ୍ୟବହାରିକ ସୁବିଧା ସୃଷ୍ଟି କରିବା ପାଇଁ କେନ୍ଦ୍ର ସରକାର ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇଦେବାକୁ ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହା ଫଳରେ ସଂପୃକ୍ତ ଅଞ୍ଚଳରେ ଶିଳ୍ପ ଏବଂ ସାମାଜିକ-ଅର୍ଥନୈତିକ ବିକାଶ ହୋଇପାରିବ ବୋଲି ସେ ଦର୍ଶାଇଛନ୍ତିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe