କୋଭିଡ୍ ଦାୟିତ୍ୱରେ ରହି ଲଜ୍ଜାଜନକ କାଣ୍ଡ: ଭୋଜି କରି ଧରାପଡ଼ିଲେ ସିଏମ୍‌ସି କର୍ମଚାରୀ

Advertisment

ବିରିଆନି, ମଦ ଜବତ କଲା ପୁଲିସ୍, ହଜାରେ ଟଙ୍କା ଜରିମାନା ଆଦାୟ

ବିରିଆନି, ମଦ ଜବତ କଲା ପୁଲିସ୍, ହଜାରେ ଟଙ୍କା ଜରିମାନା ଆଦାୟ

କୋଭିଡ୍ ଦାୟିତ୍ୱରେ ରହି ଲଜ୍ଜାଜନକ କାଣ୍ଡ: ଭୋଜି କରି ଧରାପଡ଼ିଲେ ସିଏମ୍‌ସି କର୍ମଚାରୀ

କଟକ : ନିୟମକୁ କାର୍ଯ୍ୟକାରୀ କରିବା ଦାୟିତ୍ବରେ ଥିବା କର୍ମଚାରୀ ନିୟମ ଭାଙ୍ଗି ଧରାପଡ଼ିଛନ୍ତି। ବିରିୟାନି ଓ ମଦର ଆସରରେ ମସଗୁଲ୍ ଥିବା ସିଏମ୍‌ସି ଏନ୍‌ଫୋର୍ସମେଣ୍ଟ କର୍ମଚାରୀ ପୁଲିସ ହାତରେ ଧରାପଡ଼ି ଜରିମାନା ଦେଇଛନ୍ତି। ଏଭଳି ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିବା ବେଳେ ଘଟଣା ସଂପର୍କରେ ଯାଞ୍ଚ କରିବେ ବୋଲି କହିଛନ୍ତି ସିଏମ୍‌ସି କମିସନର ଅନନ୍ୟା ଦାସ।

publive-image

କୋଭିଡ୍‌ର ଗୁରୁତର ସ୍ଥିତି ପାଇଁ ରାଜ୍ୟ ସରକାର ବାହାଘର, ଶେଷକୃତ୍ୟ ଭୋଜିଭାତ ଆୟୋଜନ ଉପରେ କଟକଣା ଲଗାଇଛନ୍ତି। ୨୫ ଜଣଙ୍କୁ ନେଇ ବାହାଘର କରାଯିବାକୁ କୁହାଯାଇ ଥିବାବେଳେ କେବଳ ପାର୍ସଲରେ ଖାଦ୍ୟ ଦେବାକୁ କୁହାଯାଇଛି। ମାତ୍ର ନିୟମକୁ ଲାଗୁ କରାଇବାର ଦାୟିତ୍ବ ନେଇଥିବା ସିଏମ୍‌ସି କର୍ମଚାରୀ ଗତକାଲି ରାତିରେ ଭୋଜିଭାତର ଆୟୋଜନ କରି କୋଭିଡ୍‌ ନିୟମକୁ ଫୁ’ କରି ଉଡ଼ାଇ ଦେଇଛନ୍ତି। ବିଡ଼ାନାସୀ ଥାନା ଅଞ୍ଚଳରେ ଥିବା ନଳିନୀ ମଣ୍ଡପ ନିକଟରେ ଏକ ଘରେ ସିଏମସିର ଏନ୍‌ଫୋର୍ସମେଣ୍ଟ ଟିମ୍‌ର ୧୨ରୁ ଅଧିକ କର୍ମଚାରୀ ଭୋଜି ଆୟୋଜନ କରିଥିଲେ। ଖବର ପାଇ ବିଡ଼ାନାସୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭୋଜିକୁ ବନ୍ଦ କରିବା ସହିତ କୋଭିଡ୍‌ ନିୟମ ଖିଲାପ କରିଥିବାରୁ ଜରିମାନା ଆଦାୟ କରିଛି।

publive-image

ସହରର ଦୋକାନ ବଜାରରେ କୋଭିଡ୍‌ କଟକଣା ନିୟମ ପାଳନ ଉପରେ ନଜର ରଖିବା ପାଇଁ ସିଏମସିର ଏନ୍‌ଫୋର୍ସମେଣ୍ଟ ଟିମ୍‌ ରହିଛି। ଉକ୍ତ ଟିମ୍‌ ବିଭିନ୍ନ ଦୋକାନରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ ହେଉ ନଥିଲେ ଜରିମାନା ଆଦାୟ କରନ୍ତି। ଏପରିକି ଦରକାର ପଡିଲେ ଦୋକାନକୁ ସିଲ୍‌ କରନ୍ତି। ତେବେ ସହରବାସୀଙ୍କୁ କୋଭିଡ୍‌ ନିୟମକୁ ନେଇ ସଚେତନ କରାଉଥିବା ସିଏମ୍‌ସି କର୍ମଚାରୀ ଗତକାଲି ରାତିରେ ଏଭଳି ଭୋଜିର ଆୟୋଜନ କରିଥିଲେ। ବିଡ଼ାନାସୀ ଥାନା ପୁଲିସ ଚଢଉ କରି ଭୋଜିକୁ ବନ୍ଦ କରିବା ସହିତ ସେଠାରୁ ମଦ ବୋତଲ, ବିରିଆନି ଇତ୍ୟାଦି ଜବତ କରିଛି। କୋଭିଡ୍‌ ନିୟମ ଭାଙ୍ଗିଥିବାରୁ ସେମାନଙ୍କଠାରୁ ୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

publive-image

ଅନ୍ୟପଟେ ସିଏମ୍‌ସି କମିସନର ଅନନ୍ୟା ଦାସ କହିଛନ୍ତି ଯେ ନିଗମର କର୍ମଚାରୀଙ୍କ ଏଭଳି କାର୍ଯ୍ୟକଳାପ ସଂପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନାହିଁ। ଯଦି କର୍ମଚାରୀ କୋଭିଡ୍‌ ନିୟମ ଭାଙ୍ଗି ଥିବେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମତୀ ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe