କଟକରେ ସିଏନ୍‌ଜି ସଙ୍କଟ: ଇନ୍ଧନ ପାଇଁ ଲମ୍ବା ଲାଇନ୍‌, ରୋଜଗାର ହରାଇଲେଣି ଅଟୋ ଚାଳକ

କଟକରେ ସିଏନ୍‌ଜି ସଙ୍କଟ: ଇନ୍ଧନ ପାଇଁ ଲମ୍ବା ଲାଇନ୍‌, ରୋଜଗାର ହରାଇଲେଣି ଅଟୋ ଚାଳକ

କଟକ: କଟକରେ ଗଲା ୨୦ ଦିନ ହେଲା ଲାଗିରହିଛି ସିଏନ୍‌ଜି ସଙ୍କଟ। ସ୍ପଳ୍ପ ଦରରେ ଇନ୍ଧନ ମିଳିବା ଆଶାରେ ପ୍ରଭାବିତ ହୋଇ ଯିଏ ସିଏନ୍‌ଜି ଅଟୋ, କାର କିଣି ଥିଲେ ସେମାନେ ଏବେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସିଡିଏସ୍ଥିତ ରିଫିଲିଙ୍ଗ ସେଣ୍ଟରରେ ଦିନ ସାଢେ ୫ଟାରୁ ସତୀଚଉରା ଟ୍ରାଫିକ୍‌ ଛକ ପାଖରୁ ସିଡିଏ ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ପାଖାପାଖି ୩ ଶହରୁ ଅଧିକ ସିଏନ୍‌ଜି ଅଟୋର ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି। ଏଭଳି ସଙ୍କଟ ଯୋଗୁ ସିଏନ୍‌ଜି ଅଟୋ କିଣିଥିବା ଚାଳକ ନିଜର ପେଟପାଟଣାକୁ ନେଇ ସମସ୍ୟାରେ ପଡିଲେଣି ବୋଲି ଅଭିଯୋଗ କରିଛନ୍ତି କଟକ ଅଟୋ ମହାସଂଘର ଉପସଭାପତି ଦେବେନ୍ଦ୍ର ପାଣିଗ୍ରାହୀ।

କଟକରେ ୫ ଶହ ସିଏନ୍‌ଜି ଅଟୋ ପଞ୍ଜୀକରଣ ହୋଇଛି। କିନ୍ତୁ ତା’ଠାରୁ ଅଧିକ ଗାଡ଼ି ଚାଲୁଛି। ତେବେ ଅଟୋ, ୪ଚକିଆ ଗାଡିକୁ ମିଶାଇଲେ କଟକରେ ପାଖାପାଖି ହଜାରେ ସିଏନ୍‌ଜି ଗାଡି ରହିଛି। ଗେଲ୍‌ ଇଣ୍ଡିଆ ପକ୍ଷରୁ ସିଏନ୍‌ଜି ଯୋଗାଣ ହେଉଥିବା ବେଳେ କଟକରେ ଗଲା ୨୦ଦିନ ହେଲା ସିଏନ୍‌ଜି ରିଫିଲିଂ ସେଣ୍ଟର ଥିବା ସିଡିଏ, ନୂଆବଜାର ଓ ପ୍ରତାପନଗରୀରେ ଠିକ୍‌ ଭାବରେ ଆସୁନି ଇନ୍ଧନ। ଯେତେବେଳେ ଆସୁଛି ତାହା ବି ଠିକ୍‌ରେ ମିଳିପାରୁନି। ସବୁ ଗାଡି ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଛିଡା ହେଉଛନ୍ତି। କିନ୍ତୁ ଅଧାରୁ ଅଧିକ ଗାଡ଼ି ଇନ୍ଧନ ନପାଇ ଫେରୁଛନ୍ତି। ୪/୫ଦିନ ହେଲା ସିଏନ୍‌ଜି ଆସୁ ନଥିବାବେଳେ ଆଜି ସିଡିଏ ଟାଙ୍କିକୁ ଆସିଥିଲା ଗାଡି। ଫଳରେ ଖବରପାଇ ଶତାଧିକ ସିଏନ୍‌ଜି ଅଟୋ ଲାଇନ୍ ଲଗାଇ ଦେଇଥିଲେ। ଏଭଳି ସିଏନ୍‌ଜି ଅଭାବ ନେଇ କିଛିଦିନ ତଳେ ଅଟୋ ମହାସଂଘ ପକ୍ଷରୁ ମେୟର ସୁବାସ ସିଂହଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେ ମଧ୍ୟ ଯୋଗାଣକାରୀ ସଂସ୍ଥା ସହିତ କଥା ହୋଇଥିଲେ। ବ୍ୟବସ୍ଥାରେ ସୁଧାର ଆସିବ ବୋଲି ଆଶା କରାଯାଉଥିଲା। କିନ୍ତୁ ସ୍ଥିତି ସୁଧୁରୁନି। ସରକାର ତୁରନ୍ତ ଏ ଦିଗରେ ଦୃଷ୍ଟି ନଦେଲେ ସିଏନ୍‌ଜି ଅଟୋ ଚାଳକ ନିଜର ଜୀବିକା ହରାଇବେ ବୋଲି ଉପସଭାପତି ଶ୍ରୀ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe