ପୁଣି ଗଡ଼ିଲା ରୟାଲ୍‌ଟି ନିଷ୍ପତ୍ତି : କେନ୍ଦ୍ର ଗଠନ କଲା ୧୧ ଜଣିଆ କମିଟି, ଓଡ଼ିଶାର ମୁଖ୍ୟ ସଚିବ ବି ସଦସ୍ୟ

ପୁଣି ଗଡ଼ିଲା ରୟାଲ୍‌ଟି ନିଷ୍ପତ୍ତି : କେନ୍ଦ୍ର ଗଠନ କଲା ୧୧ ଜଣିଆ କମିଟି, ଓଡ଼ିଶାର ମୁଖ୍ୟ ସଚିବ ବି ସଦସ୍ୟ

The Financial Express

ଭୁବନେଶ୍ବର/ନୂଆଦିଲ୍ଲୀ : ଆର୍ଥିକ ମାନ୍ଦାବସ୍ଥାର ଜବରଦସ୍ତ ପ୍ରଭାବ ପଡିଛି। ରାଜସ୍ବ ସଙ୍କଟରେ ପଡିଛି ରାଜ୍ୟ। ଠିକ୍ ଏମିତି ସମୟରେ ଓଡ଼ିଶାକୁ ଆଉ ଏକ କେନ୍ଦ୍ରୀୟ ଝଟ୍‌କା ଲାଗିଛି। କୋଇଲା ରୟାଲ୍‌ଟି ସଂଶୋଧନ ପାଇଁ ଦୀର୍ଘ ବର୍ଷ ଧରି ଦାବି କରିଆସୁଥିବା ଓଡ଼ିଶା ଭଳି ରାଜ୍ୟଗୁଡ଼ିକୁ ଆହୁରି ଅନେକ ସମୟ ଅପେକ୍ଷା କରିବାକୁ ପଡ଼ିବ। କେନ୍ଦ୍ର ସରକାର ଏ କ୍ଷେତ୍ରରେ ପୁଣି ଏକ ନୂଆ ଫନ୍ଦି କାଢି ଏହି ପ୍ରକ୍ରିୟାକୁ ବିଳମ୍ବିତ କରିଦେଇଛନ୍ତି। ବିଭିନ୍ନ ଖଣିଜ ପଦାର୍ଥର ରୟାଲ୍‌ଟି ଦରରେ ସଂଶୋଧନ କରିବା ଲାଗି କେନ୍ଦ୍ର ସରକାର ଏକ ୧୧ ଜଣିଆ କମିଟି ଗଠନ କରିଛନ୍ତି। କେନ୍ଦ୍ର ଖଣି ବିଭାଗର ଅତିରିକ୍ତ ସଚିବଙ୍କ ନେତୃତ୍ବରେ ଗଠନ କରାଯାଇଥିବା ଏହି କମିଟିରେ ଖଣି ସଚିବଙ୍କ ବ୍ୟତୀତ ଓଡ଼ିଶା, ତେଲେଙ୍ଗାପନା, ଛତିଶଗଡ଼, ଝାଡ଼ଖଣ୍ଡ, କର୍ଣ୍ଣାଟକ ଓ ମଧ୍ୟ ପ୍ରଦେଶ ଭଳି ରାଜ୍ୟର ମୁଖ୍ୟ ସଚିବମାନେ ସଦସ୍ୟ ଅଛନ୍ତି। ଖଣିଜ ରୟାଲ୍‌ଟିରେ ସଂଶୋଧନ କରିବା ଲାଗି ରାଜ୍ୟଗୁଡ଼ିକ କରୁଥିବା ଦାବିଗୁଡ଼ିକ ଉପରେ ବିଚାର କରିବା ଲାଗି କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ଏହି ନୂଆ କମିଟି ଗଠନ କରାଯାଇଛି।

ଏହି କମିଟି ଦୁଇଟି ପ୍ରମୁଖ ପ୍ରସଙ୍ଗ ଉପରେ ବିଚାର କରିବ। ପ୍ରଥମଟି ହେଉଛି ଖଣିଜ ପଦାର୍ଥଗୁଡ଼ିକର ରୟାଲ୍‌ଟି ହାରର ବିଶ୍ଲେଷଣ କରି ସୁପାରିସ୍ କରିବ। ଏହା ବ୍ୟତୀତ କୋଇଲା, ଲିଗ୍‌ନାଇଟ୍‌ ଓ ବାଲି ଓ ଲଘୁ ଖଣିଜ ପଦାର୍ଥଗୁଡ଼ିକର ଡେଡ୍‌ ରେଣ୍ଟ୍‌ ସମ୍ପର୍କରେ ମଧ୍ୟ ନିଷ୍ପତ୍ତି ଗ୍ରହଣ କରିବ। ବିଭିନ୍ନ ରାଜ୍ୟଗୁଡିକ ଯେଉଁ ସବୁ ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି ତାହାକୁ ବିଭିନ୍ନ ଦିଗରୁ ଅନୁଶୀଳନ କରିବା ପରେ କମିଟି ଏହାର ରିପୋର୍ଟକୁ ଖଣି ମନ୍ତ୍ରଣାଳୟକୁ ପ୍ରଦାନ କରିବ। କମିଟି ଏହାର ପ୍ରଥମ ବୈଠକର ପରବର୍ତୀ ଏକ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବ। ୨୦୧୮ ଫେବ୍ରୁଆରିରେ ଖଣି ମନ୍ତ୍ରଣାଳୟ ପକ୍ଷରୁ ଖଣିଜ ପଦାର୍ଥର ରୟାଲ୍‌ଟି ହାର ଏବଂ ଡେଡ୍‌ ରେଣ୍ଟ୍‌ର ସଂଶୋଧନ ଲାଗି ଏକ ଷ୍ଟଡି ଗ୍ରୁପ୍ ଗଠନ କରାଯାଇଥିଲା। ଗତ ବର୍ଷ ଜୁଲାଇରେ ଏହି ଗ୍ରୁପ୍ ନିଜର ରିପୋର୍ଟ ଦାଖଲ କରିଛି। ସେବେଠାରୁ ଏହି ରିପୋର୍ଟ ଅନୁଧ୍ୟାନ ଆଳରେ କେନ୍ଦ୍ର ସରକାର ସମୟ ଗଡାଇ ଚାଲିଥିଲେ।

ନିକଟରେ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ବେଳେ ଏହି ପ୍ରସଙ୍ଗ ଉଠିଥିଲା। ଓଡ଼ିଶା ସରକାର ଏହା ପୂର୍ବରୁ କୋଇଲା ରୟାଲ୍‌ଟି ସଂଶୋଧନ ପ୍ରସଙ୍ଗରେ ବିଭିନ୍ନ ସମୟରେ ଦାବି ରଖି ଆସିଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ କୋଇଲା ମନ୍ତ୍ରୀ ପୀୟୂଷ ଗୋଏଲ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ରୟାଲ୍‌ଟି ହାର ୧୪ରୁ ୨୦%କୁ ବୃଦ୍ଧି କରିବା ଲାଗି ଦାବି କରି ଆସୁଛନ୍ତି। ଓଡ଼ିଶା ଏ ବାବଦରେ ପ୍ରାୟ ୧୦ହଜାର କୋଟିରୁ ଅଧିକ ରାଜସ୍ବ ହରାଇ ସାରିଲେଣି ବୋଲି ଏକ ବେସରକାରୀ ତଥ୍ୟରୁ ସୂଚନା ମିଳୁଛି। କେବଳ ସେତିକି ନୁହେଁ, କ୍ଲିନ୍ ଏନର୍ଜି ସେସ୍‌ରୁ ମଧ୍ୟ ୬୦% କୋଇଲା ଉତ୍ତୋଳନକାରୀ ରାଜ୍ୟକୁ ମିଳିବା ଲାଗି କେନ୍ଦ୍ର ସାମ୍ନାରେ ପ୍ରସ୍ତାବ ରଖିଥିଲା ରାଜ୍ୟ। ୨୦୧୮ ମାର୍ଚ୍ଚ ୧୮ ସୁଦ୍ଧା କେନ୍ଦ୍ର ସରକାର ଏ କ୍ଷେତ୍ରରେ ଓଡ଼ିଶାରୁ ପ୍ରାୟ ୧୭ ହଜାର କୋଟିରୁ ଅଧିକ ଟଙ୍କା ନେଇଛନ୍ତି। ବର୍ତମାନ ସୁଦ୍ଧା ଏହାର ପରିମାଣ ୨୦ ହଜାର କୋଟି ଛୁଇଁସାରିବଣି।

ହେଲେ କୋଇଲା ରୟାଲଟି ସଂଶୋଧନ କ୍ଷେତ୍ରରେ ଏକ ବଡ଼ ଚାପ କେନ୍ଦ୍ର ଉପରେ ରହିଥିବା କୁହାଯାଉଛି। ଯେହେତୁ କୋଇଲା ରୟାଲ୍‌ଟି ସଂଶୋଧନ ସହିତ ବିଦ୍ୟୁତ ଦେୟର ସିଧାସଳଖ ସଂପର୍କ ରହିଛି, ଏଣୁ କେନ୍ଦ୍ର ସରକାର ସଂଶୋଧନ ନେଇ କୁନ୍ଥ କୁନ୍ଥ ହେଉଥିବା କୁହାଯାଉଛି। ନିକଟରେ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ ମଧ୍ୟ ଅନୁରୂପ ଯୁକ୍ତିକୁ ଏଡ଼ାଇ ଯାଇନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe