କୋଇଲା ଯୋଗାଣ ହ୍ରାସ ମାମଲା: ବେଦାନ୍ତ, ହିଣ୍ଡାଲକୋ, ଉତ୍କଳ ଆଲୁମିନା ମାମଲାରେ ପକ୍ଷ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ

Advertisment
ରେଳ ଇଂଜିନରୁ ଅଲଗା ହୋଇଗଲା ୪ କୋଇଲା ବୋଝେଇ ବଗି

Image Courtesy of NDTV

କଟକ : ନାଲକୋ ଭଳି ବେଦାନ୍ତ, ହିଣ୍ଡାଲକୋ, ଉତ୍କଳ ଆଲୁମିନା ଭଳି ଶିଳ୍ପସଂସ୍ଥା ମଧ୍ୟ କୋଇଲା ସଂକଟ ପ୍ରସଂଗକୁ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଏହି ସବୁ ମାମଲାରେ କେନ୍ଦ୍ର ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚୁକ୍ତି ଅନୁସାରେ କୋଇଲା ଯୋଗାଣ ହେଉ ନଥିବାରୁ ଏହି ସବୁ ଶିଳ୍ପ ସଂସ୍ଥାର ସ୍ମେଲ୍ଟର ପ୍ଲାଣ୍ଟ ବନ୍ଦ ହେବାର ଦ୍ବାରଦେଶରେ ରହିଛି। କୋଇଲା ସଂକଟ ଦୂର ପାଇଁ ଏପ୍ରିଲ ୨୧ରେ ଏହି ସବୁ ଶିଳ୍ପ ସଂସ୍ଥା କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିଥିବା ଲିଖିତ ଅଭିଯୋଗ (ରିପ୍ରେଜେନଟେସନ୍) ଏବେ ବିଚାରାଧୀନ ରହିଛି। ଆଜି ହାଇକୋର୍ଟରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଏଭଳି ତଥ୍ୟ ସ୍ପଷ୍ଟ ହୋଇଥିଲା। ହାଇକୋର୍ଟ ଏହି ପ୍ରସଂଗକୁ ଗୁରୁତ୍ବର ସହିତ ଗ୍ରହଣ କରି କେନ୍ଦ୍ର କୋଇଲା ମନ୍ତ୍ରଣାଳୟ, ଖଣି ମନ୍ତ୍ରଣାଳୟ, ରେଲୱେ ବୋର୍ଡ ଓ ଶକ୍ତି ମନ୍ତ୍ରଣାଳୟର ପ୍ରତିନିଧିଙ୍କୁ ନେଇ ଏକ ପ୍ୟାନେଲ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉପରୋକ୍ତ ମନ୍ତ୍ରଣାଳୟ ଓ ରେଲୱେ ବୋର୍ଡ ପ୍ରତିନିଧିଙ୍କୁ ନେଇ ଗଠିତ ପ୍ୟାନେଲ ହାଇକୋର୍ଟରେ ଆବେଦନ କରିଥିବା ବେଦାନ୍ତ ଲିମିଟେଡ, ହିଣ୍ଡାଲ‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ, ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ, ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡ ଓ ଡିଷ୍ଟ୍ରିକ୍ଟ ସ୍ମଲ ସ୍କେଲ ଇଣ୍ଡଷ୍ଟ୍ରିଜ ଆସୋସିଏସନର ପ୍ରତି ପ୍ରତିନିଧିଙ୍କୁ କେଉଁ ତାରିଖରେ ଶୁଣାଣି କରିବେ ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପ୍ରସଂଗରେ ଶୁଣାଣି ସଂପୂର୍ଣ୍ଣ ହୋଇ ସମାଧାନ ବାହାରିବା ପର୍ଯ୍ୟନ୍ତ କଣ ଅନ୍ତରୀଣ ବ୍ୟବସ୍ଥା କରାଯାଇ ପାରିବ ସେ ନେଇ ମଧ୍ୟ ଜବାବ ରଖିବାକୁ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ ୫କୁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀ ସଂସ୍ଥା ଗୁଡିକ ଚାହିଁଲେ ଅତିରିକ୍ତ ସତ୍ୟପାଠ ଦାଖଲ କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜ‌ଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଚାରିଟି ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

କୋଇଲା ଯୋଗାଣରେ ଅହେତୁକ ହ୍ରାସ ଯୋଗୁଁ ବେଦାନ୍ତର ଝାରସୁଗୁଡା ଓ ଲାଞ୍ଜିଗଡ, ହିଣ୍ଡାଲକୋ, ଉତ୍କଳ ଅଲୁମିନାର ରାୟଗଡା, ଲପଙ୍ଗା ଓ ହୀରାକୁଦ ସ୍ମେଲ୍ଟର ପ୍ଲାଣ୍ଟ ଚାଲିବା ପ୍ରତି ବିପଦ ଦେଖା ଦେଇଛି ବୋଲି ଆଜି ହାଇକୋର୍ଟରେ ଶୁଣାଣି ସମୟରେ ଦର୍ଶାଯାଇଥିଲା। ଏହାର ପ୍ରଭାବ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ଗୁଡିକ ଉପରେ ପଡିବ। ଏଥି ସହିତ ଏହି ସବୁ ଶିଳ୍ପ ସଂସ୍ଥା ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରୁଥିବା ଲକ୍ଷାଧିକ ଲୋକଙ୍କ ଜୀବନଜୀବିକାକୁ ପ୍ରଭାବିତ କରିବ। କୋଇଲା ଯୋଗାଣ ନେଇ ଦେଖା ଦେଇଥିବା ସଂକଟ ଦୂର ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆ‌େବଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। କେନ୍ଦ୍ର ସରକାରଙ୍କ ତରଫରୁ ଏଏସଜି ପ୍ରସନ୍ନ କୁମାର ପାଢୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe