କୋଷ୍ଟାଲ ହାଇୱେ ନୂଆ ନକ୍ସାକୁ ମୋହର, ମୁଖ୍ୟମନ୍ତ୍ରୀ ଦେବେ ଚୂଡ଼ାନ୍ତ ଅନୁମୋଦନ

ପ୍ରଭାବିତ ହେବନି ଚିଲିକା ଓ ଭିତରକନିକା

ଜାତୀୟ ରାଜପଥର ୬୦ କିଲୋମିଟର ଦୂରତା ମଧ୍ୟରେ ଗୋଟିଏ ଟୋଲ ପ୍ଲାଜା ରହିବ : ଗଡ଼କରି

New Indian Express

ଭୁବନେଶ୍ବର: ଭାରତମାଳା ପରିଯୋଜନାରେ ନିର୍ମାଣ ହେବାକୁ ଥିବା କୋଷ୍ଟାଲ ହାଇୱେ ନେଇ ଏନ୍ଏଚ୍‌ଏଆଇ ଯେଉଁ ନକ୍ସା ପ୍ରସ୍ତୁତ କରିଥିଲା ତାହାକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ କମିଟି ଅନୁମୋଦନ କରିଛି। ଆଜିର ବୈଠକରେ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଏହି ରାସ୍ତାର ନକ୍ସା ଉପସ୍ଥାପନ କରିବା ସହ କେଉଁ କେଉଁ ଅଞ୍ଚଳରେ କେତେ ଜମି ଅଧିଗ୍ରହଣ ହେବ, କେତେ ଗଛ କଟାଯିବ, କେଉଁ ଜିଲ୍ଲାରେ କେତେ କିଲୋମିଟରର ରାସ୍ତା‌ ନିର୍ମାଣ ହେବ ତାହା କହିଥିଲେ। ସବୁଥିରେ ଉଚ୍ଚସ୍ତରୀୟ କମିଟି ସହମତ ହୋଇଛି। କିନ୍ତୁ ଏହା ଉପରେ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି କମିଟି କହିଛି। ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିବା ପରେ ହିଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ କାମ ଆରମ୍ଭ କରିବେ।

ଆଜିର ବୈଠକରେ ହୋଇଥିବା ନିଷ୍ପତ୍ତି ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ପୂର୍ବ ନକ୍ସାକୁ ବଦଳାଇ ଆଜି ନୂଆ ନକ୍ସା ଉପସ୍ଥାପନ କରିଥିଲେ। ସେମାନେ ଚିଲିକା ଓ ଭିତରକନିକାକୁ ପ୍ରଭାବିତ ନ କରି ରାସ୍ତା ନିର୍ମାଣ କରିବାକୁ ନକ୍ସା ପ୍ରସ୍ତୁତ କରିଛନ୍ତି। ଏହା ଟାଙ୍ଗିରୁ ବାହାରି ବ୍ରହ୍ମଗିରି ନିକଟସ୍ଥ ରେବଣା ନୂଆଗାଁ ପର୍ଯ୍ୟନ୍ତ ଚିଲିକା କୂଳେକୂଳେ ଆସିବ। ସେଠାରୁ ବ୍ରହ୍ମଗିରି- ପୁରୀ-କୋଣାର୍କ-ଅସ୍ତରଙ୍ଗ-ନାଉଗାଁ- ପାରାଦୀପ ବନ୍ଦର-ରତନପୁର-ସାତଭାୟା-ଧାମରା-ବାସୁଦେବପୁର-ତାଳପଦ-ଚାନ୍ଦିପୁର-ଚନ୍ଦନେଶ୍ବର ହୋଇ ଦୀଘା ପର୍ଯ୍ୟନ୍ତ ଯିବ। ପ୍ରାୟ ୩୫୦ କିମିର ରାସ୍ତାର ନକ୍ସା ନେଇ ଆମର ବିଶେଷ ସମସ୍ୟା ନାହିଁ। ତେଣୁ ଆମେ ଏହାକୁ ଅନୁମୋଦନ କରିଛୁ। କିନ୍ତୁ ଏହାକୁ ସାତପଡ଼ା ପର୍ଯ୍ୟନ୍ତ ନେବାକୁ ଆମେ ପ୍ରସ୍ତାବ ଦେଇଛୁ। ତେଣୁ ରାଜ୍ୟ ସରକାର ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ କୁହାଯାଇଛି।

ଏହି ବୈଠକରେ ଉପସ୍ଥିତ ଥିବା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଦୀର୍ଘ ବର୍ଷ ହେଲା ଅଟକି ରହିଥିବା କୋଷ୍ଟାଲ ହାଇୱେ ନେଇ ରାଜ୍ୟ ସରକାର ସହମତି ଜଣାଇଛନ୍ତି। ଆମର ନୂଆ ନକ୍ସା ନେଇ ସେମାନଙ୍କର କିଛି ଅଭିଯୋଗ ନାହିଁ। ଖୁବ୍‌ ଶୀଘ୍ର ବୈଠକର ବିବରଣୀ ବାହାରିବା ପରେ ଆମେ ଏହି ପ୍ରକଳ୍ପ ନେଇ ଆଗେଇବୁ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡ୍‌ରେ ବସିଥିବା ଏହି ବୈଠକରେ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା, ରାଜସ୍ବ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ସମେତ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଓଡ଼ିଶା ମୁଖ୍ୟ ଆର୍‌.ପି. ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe