ପାରାଦୀପ ବନ୍ଦରରୁ କୋକେନ୍ ଜବତ ଘଟଣା: ଜାହାଜରୁ ସମୁଦ୍ରକୁ ଡେଇଁପଡ଼ିଲେ କର୍ମଚାରୀ

ହାତରେ କଟା କ୍ଷତ, ଭାଙ୍ଗିଯାଇଛି, କଡ଼ା ସୁରକ୍ଷା ସତ୍ତ୍ବେ କେମିତି ଡେଇଁଲେ?

ଡିସେମ୍ବରରେ ପାରାଦୀପ ବନ୍ଦରର ରେକର୍ଡ ମାଲ୍ ପରିବହନ

ଜଗତସିଂହପୁର: ପାରାଦୀପ ବନ୍ଦରରୁ କୋକେନ୍‌ ଜବତ ମାମଲାକୁ ୪୫ ଦିନ ବିତି ଯାଇଥିଲେ ବି ତଦନ୍ତ ଶେଷ ହୋଇନାହିଁ। ଆଜି ଆଉ ଏକ ଅଘଟଣ ଆଲୋଡ଼ନ ସୃଷ୍ଟି କରିଛି। ସୀମା ଶୁଳ୍କ ବିଭାଗ ପକ୍ଷରୁ କୋକେନ୍ ମିଳିଥିବା ‘ଏମ୍ ଦେବୀ ଜାହାଜକୁ ଜବତ କରାଯାଇ ଆଙ୍କରେଜ୍‌ରେ ରଖାଯାଇଥିବା ବେଳେ ଜଣେ କ୍ରିଉ ସଦସ୍ୟ ସମୁଦ୍ରକୁ ଡେଇଁ ପଡ଼ିଛନ୍ତି। ତାଙ୍କ ଡାହଣ ହାତରେ କୌଣସି ଧାରୁଆ ଅସ୍ତ୍ରରେ କଟାଯିବା ଭଳି ଏକାଧିକ କ୍ଷତ ଚିହ୍ନ ଥିବା ବେଳେ ହାତ ଭାଙ୍ଗିଯାଇଥିବା ଜଣାଯାଇଛି। ଗୁରୁତର ଅବସ୍ଥାରେ କ୍ରିଉ ସଦସ୍ୟ ବୁଇ କଂ ହୁଙ୍କୁ ପ୍ରଥମେ ପାରାଦୀପ ପୋର୍ଟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଏନେଇ ତଦନ୍ତ ଜାରି ରହିଥିବା ବେଳେ କାରଣ ଅସ୍ପଷ୍ଟ ରହିଛି।

କୁହାଯାଉଛି ଜଣେ କ୍ରିଉ ସଦସ୍ୟଙ୍କ ସହ ଗତକାଲି ବୁଇ କଂ ହୁଙ୍କର ପାଟିତୁଣ୍ଡ ହୋଇଥିଲା। ଯେଉଁ କାରଣରୁ ଆକ୍ରମଣର ଶିକାର ହେବା ପରେ ଏଭଳି କରିଥାଇପାରନ୍ତି। ଅନ୍ୟ ଏକ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ୪୫ ଦିନ ହେଲା ଜାହାଜ ଅଟକ ରହିବା ସହ ସେଥିରେ କ୍ରିଉ ସଦସ୍ୟମାନେ ରହିଛନ୍ତି। ବିନା କାମରେ ଗୋଟିଏ ଜାଗାରେ ଏତେ ସମୟ ଧରି ରହିଥିବାରୁ କ୍ରିଉ ସଦସ୍ୟମାନେ ମାନସିକ ଦୁଶ୍ଚିନ୍ତାରେ ରହିଛନ୍ତି। ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି। ସେହିପରି ସବୁଠୁ ବଡ଼ କଥା ହେଲା ଜବତ ଜାହାଜକୁ କେନ୍ଦ୍ରୀୟ ସୁରକ୍ଷାକର୍ମୀମାନେ ଜଗି ରହିଥିଲେ ମଧ୍ୟ କେମିତି ଏତେ ବଡ଼ ଘଟଣା ଘଟିଲା, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଥାଉ କି ପାରାଦୀପ ବନ୍ଦରରୁ ୨୨୦ କୋଟି ଟଙ୍କାର କୋକେନ୍ ଜବତ ଘଟଣାରେ ସମ୍ପୃକ୍ତ ଜାହାଜକୁ ଜବତ କରାଯାଇଛି। ସୀମା ଶୁଳ୍କ ତଦନ୍ତକାରୀ ଟିମ୍ ଏହି ଜାହାଜକୁ ଜବତ କରିଥିବା ସୂଚନା ମିଳିଛି। ତେବେ ଏ ସମ୍ପର୍କରେ ସୀମା ଶୁଳ୍କ ତଦନ୍ତକାରୀ ଟିମ୍ ହାତରେ କୌଣସି ଠୋସ୍ ସୁରାକ୍ ଲାଗିପାରି ନାହିଁ। ଜାହାଜ ଜବତ ହୋଇ ଆଙ୍କରେଜ୍‌ରେ ଥିବା ବେଳେ ସେଥିରେ କ୍ରିଉ ସଦସ୍ୟମାନେ ମଧ୍ୟ ରହିଛନ୍ତି। ସମସ୍ତ ସଦସ୍ୟ ଓ କ୍ୟାପେଟେନ୍‌ଙ୍କ ବୟାନ ରେକର୍ଡ କରାଯାଇ କୋର୍ଟରେ ଦାଖଲ କରାଯାଇଛି। ତଦନ୍ତ କେବେ ଶେଷ ହେବ ଓ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ, ସେ ସମ୍ପର୍କରେ ଜଣାପଡ଼ି ନାହିଁ।

ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ୩୦ ତାରିଖରେ ପାରାଦୀପ ବନ୍ଦରରେ ଲାଗିଥିବା ଜାହାଜରୁ କୋକେନ୍ ଜବତ କରାଯାଇଥିଲା। ‘ଏମ୍ ଦେବୀ ନାମକ ଜାହାଜ ନଭେମ୍ବର ୨୨ ତାରିଖରେ ଇଣ୍ଡୋନେସିଆର ଗ୍ରେସିକ୍‌ରୁ ବାହାରି ୨୮ ତାରିଖରେ ପାରାଦୀପ ବନ୍ଦରରେ ଲାଗିଥିଲା। ୩୦ ତାରିଖ ରାତିରେ ବିଶ୍ବସ୍ତ ସୂତ୍ରରୁ ସୀମା ଶୁଳ୍କ ବିଭାଗକୁ ଖବର ମିଳିବା ପରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ସୁରକ୍ଷାକର୍ମୀଙ୍କ ସହାୟତାରେ ଜାହାଜରେ ଯାଞ୍ଚ୍‌ କରିଥିଲେ। ଜାହାଜର କ୍ରେନ୍‌ରେ ଚୁମ୍ବକ ଦ୍ବାରା ଲାଗିଥିବା ୨୨ଟି ପ୍ୟାକେଟ୍ ଜବତ କରାଯାଇଥିଲା। ପ୍ରତି ପ୍ୟାକେଟ୍‌ରେ ୧ କେଜି ଲେଖାଏ କୋକେନ୍ ରହିଥିଲା। ସୀମା ଶୁଳ୍କ ତଦନ୍ତକାରୀ ଟିମ୍ ପ୍ରାଥମିକ ତଦନ୍ତ ଓ କ୍ରିଉ ସଦସ୍ୟଙ୍କ ବୟାନ ରେକର୍ଡ କରି କୋର୍ଟରେ ରିପୋର୍ଟ ଦାଖଲ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe