କୁଜଙ୍ଗ କୋର୍ଟରେ ଦାଖଲ ହେଲା ଜାହାଜରୁ ଜବତ ୨୨୦ କୋଟିର କୋକେନ

ମାନ ପରୀକ୍ଷା ପାଇଁ ଫରେନସିକ୍ ଲ୍ୟାବ୍ ଯିବ ୨୨ଟି ପ୍ୟାକେଟ୍‌ର ନମୁନା

କୁଜଙ୍ଗ କୋର୍ଟରେ ଦାଖଲ ହେଲା ଜାହାଜରୁ ଜବତ ୨୨୦ କୋଟିର କୋକେନ

ଜଗତସିଂହପୁର: ପାରାଦୀପ ବନ୍ଦର ପିଆଇସିଟି ବର୍ଥରୁ ଜବତ ହୋଇଥିବା ୨୨୦ କୋଟି ଟଙ୍କାର କୋକେନକୁ ଆଜି କୁଜଙ୍ଗ ଜିଲ୍ଲା ଜଜ୍ ଏନଡିପିଏସ୍ କୋର୍ଟରେ କଡ଼ା ସୁରକ୍ଷା ବଳୟରେ ଦାଖଲ କରାଯାଇଛି। ‌‌କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଏହି କୋକେନ ବର୍ତ୍ତମାନ ସୀମା ଶୁଳ୍କ ବିଭାଗର ମାଲଖାନାରେ ରହିବ। କୋର୍ଟ ଯେତେବେଳେ ମାଗିବେ, ବିଭାଗ ଏହାକୁ ଦାଖଲ କରିବେ। ଏହାସହ ଜବତ ହୋଇଥିବା ୨୨ଟି ପ୍ୟାକେଟ୍ କୋକେନରୁ ନମୁନା ସଂଗ୍ରହ କରାଯାଇ ରାଜ୍ୟ ଫରେନସିକ୍ ଲ୍ୟାବକୁ ପଠାଯାଇଛି। ଜବତ ହୋଇଥିବା କୋକେନର ମୂଲ୍ୟ ୨୨୦ କୋଟି ଟଙ୍କା କିମ୍ବା ଏହାଠାରୁ ଅଧିକ ହେବ, ସେଠାରେ ପରୀକ୍ଷା ପରେ ଜଣାପଡ଼ିବ।

ମିଳିଥିବା ସୂଚନା ମୁତାବକ, ଆଜି ମଧ୍ୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ପୁଣି ସେହି ଅନୁବାଦକ ପ୍ରସଙ୍ଗ ଉଠାଯାଇଥିଲା। ଭିଏତନାମରୁ ଆସିଥିବା ଜାହାଜର ସମସ୍ତ କ୍ରୁ ମେମ୍ବର ଇଂରାଜୀ କହି ପାରୁନାହାନ୍ତି କି ବୁଝି ପାରୁ ନାହାନ୍ତି, ସେଥିପାଇଁ ସେମାନଙ୍କ ଭାଷା ଜାଣିବା ପାଇଁ ଏହି ଅନୁବାଦକଙ୍କର ଆବଶ୍ୟକତା ରହିଛି। ଅନ୍ୟପଟେ ପିଆଇସିଟି ବର୍ଥ ଏବେ ଏହି ଜାହାଜ ପାଇଁ ପ୍ରବଳ କ୍ଷତି ସହୁଛି। ଜାହାଜଟି କମ୍ପାନିର ଗୋଟିଏ ବର୍ଥରେ ପଡ଼ି ରହିଥିବାରୁ ଅନ୍ୟ ଜାହାଜ ଗୁଡ଼ିକ ସେଠାରେ ପହଞ୍ଚି ମାଲ୍ ଖଲାସ କରିପାରୁ ନାହାନ୍ତି। ଏପଟେ ସୀମା ଶୁଳ୍କ ବିଭାଗ ପକ୍ଷରୁ ଜାହାଜଟି ଅଟକ ରଖାଯାଇ, ଏବେ ବି ତଦନ୍ତ ଚାଲୁ ରହିଥିବା ଦର୍ଶାଯାଇଛି। ଏଣୁ ଏହି ତଦନ୍ତ କେବେ ଶେଷ ହେବ, କାହାକୁ ଗିରଫ କରାଯିବ, ଏ ନେଇ କିଛି ବି ସ୍ପଷ୍ଟ ହୋଇପାରୁ ନାହିଁ।

ଜାହାଜର ସମସ୍ତ କ୍ରିୟୁ ମେମ୍ବରଙ୍କୁ ଅଟକ ରଖାଯାଇ ତଦନ୍ତ ଚାଲିଥିବା ବେଳେ ତଦନ୍ତକାରୀ ଟିମ୍ ଏ ଦିଗରେ ଆଦୌ ମୁହଁ ଖୋଲୁ ନାହିଁ। ଏମିତି ଢଙ୍ଗରେ କୋକେନ କାରବାର ପାରାଦୀପ ବନ୍ଦର କେବ‌ଳ ନୁହେଁ ବୋଧହୁଏ ଓଡ଼ିଶା ପାଇଁ ନୂଆ ଘଟଣା। ସେଥିପାଇଁ ସ୍ବାଭାବିକ ଭାବେ ଏହି ଘଟଣାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଛି। ଇଣ୍ଡୋନେସିଆରୁ ଆସି ପାରାଦୀପ ବନ୍ଦର ବର୍ଥିଂରେ ପଣ୍ୟ ଲୋଡିଂ କରୁଥିବା ଏହି ଜାହଜରେ ସୀମାଶୁଳ୍କ ବିଭାଗ ପକ୍ଷରୁ ଅଚାନକ ଚଢ଼ଉ କରାଯାଇଥିଲା। ଏତେ ପରିମାଣର କୋକେନ୍ କେଉଁଠୁ ଆସିଲା? କେଉଁ ଅଞ୍ଚଳକୁ ଯାଇଥାନ୍ତା? ଏହି ନିଷିଦ୍ଧ ନିଶା କାରବାରର କିଙ୍ଗପିନ୍ କିଏ? ଓଡ଼ିଶା ଭିତରକୁ ଚାଲାଣ ହୋଇଥାନ୍ତା ନା ଅନ୍ୟ କେଉଁ ଦେଶକୁ, ସେ ନେଇ ତଦନ୍ତ ଚଳାଇଛନ୍ତି ତଦନ୍ତକାରୀ ଟିମ୍। ଗତ ୨୨ ତାରିଖରେ ଇଣ୍ଡୋନେସିଆର ଗ୍ରେସିକରୁ ବାହାରି ତିନି ଦିନ ତଳେ ପାରାଦୀପ ବନ୍ଦରରେ ଲାଗିଥିଲା। ସୀମା ଶୁଳ୍କ ବିଭାଗକୁ ବିଶ୍ବସ୍ତ ସୂତ୍ରରୁ ଖବର ମିଳିବା ପରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ସୁରକ୍ଷାକର୍ମୀଙ୍କ ସହାୟତାରେ ଜାହାଜରେ ଯାଞ୍ଚ କରିଥିଲେ। ଅତି ଚତୁରତାର ସହ ପ୍ୟାକେଟ ଗୁଡ଼ିକୁ ଜାହାଜରେ ଥିବା କ୍ରେନରେ ଚୁମ୍ବକ ସାହାଯ୍ୟରେ ଲଗାଯାଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe