କୋରାପୁଟ କଫିକୁ କରୋନା ପାହାର: ଅମଳ ସରିଛି, ବିକ୍ରି ହେଇ ପାରୁନି

Advertisment

ପଡ଼ି ରହିଛି ୫୫୦ ମେଟ୍ରିକ ଟନ୍ କଫି ମଞ୍ଜି, ଅଭାବୀ ବିକ୍ରି ପାଇଁ ବାଧ୍ୟ ହେଉଛନ୍ତି କ୍ଷୁଦ୍ର ଚାଷୀ

ପଡ଼ି ରହିଛି ୫୫୦ ମେଟ୍ରିକ ଟନ୍ କଫି ମଞ୍ଜି, ଅଭାବୀ ବିକ୍ରି ପାଇଁ ବାଧ୍ୟ ହେଉଛନ୍ତି କ୍ଷୁଦ୍ର ଚାଷୀ

କୋରାପୁଟ କଫିକୁ କରୋନା ପାହାର: ଅମଳ ସରିଛି, ବିକ୍ରି ହେଇ ପାରୁନି

କୋରାପୁଟ(ପତିତପାବନ ସାହୁ): ନାଁ କରି ଆସୁଥିଲା କୋରାପୁଟ କଫି। ସାରା ଭାରତରେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ତିଆରି କରିବାକୁ ପାଗ ଭିଡ଼ିଥିଲା। ହେଲେ ମୁଣ୍ଡ ‌ଟେକିବା ବେଳକୁ ଅଣ୍ଟାରେ ପଡ଼ିଛି କରୋନା ପାହାର। ଫଳରେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି କୋରାପୁଟ କଫିର ଭବିଷ୍ୟତ। ଲକ୍‌ଡ‌ାଉନ୍‌ କଟକଣା ପାଇଁ ଜିଲ୍ଲାର କଫି ବାହାରକୁ ରପ୍ତାନି ହୋଇ ପାରୁନି। ଅମଳ ଶେଷ ହୋଇଥିବା ବେଳେ ଏହାକୁ ବିକି ନ ପାରି ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। କିଛି ଛୋଟ ଚାଷୀ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏପରିକି ଅଧା ଦରରେ କଫି ମଞ୍ଜି ଦଲାଲଙ୍କୁ ବିକୁଛନ୍ତି।

କଫି ଚାଷ ପାଇଁ କୋରାପୁଟର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଏଠାକାର ଥଣ୍ଡା ଜଳବାୟୁରେ କଫି ଚାଷ ଭଲ ହୋଇଥାଏ। ଜିଲ୍ଲାର ସେମିଳିଗୁଡା, ନନ୍ଦପୁର, ପଟାଙ୍ଗୀ, ଦଶମନ୍ତପୁର, କୋରାପୁଟ, ଲମତାପୁଟ ଓ ଲକ୍ଷ୍ମୀପୁର ଆଦି ବ୍ଲକରେ ଏବେ ପାଖାପାଖି ୩ ହଜାର ହେକ୍ଟର ଜମିରେ କଫି ଚାଷ କରାଯାଉଛି। ସରକାରୀ ଓ ଘରୋଇ ମିଶାଇ ଜିଲ୍ଲାରେ ଏବେ ୩୧୬୧ଜଣ ଚାଷୀ ରହିଛନ୍ତି। ଏମିତିରେ କୋରାପୁଟରୁ ଏବେ ବର୍ଷକୁ ପ୍ରାୟ ୫୫୦ ଟନ କଫି ମଞ୍ଜି ଉତ୍ପାଦନ କରାଯାଉଛି। ଗତ ଫେବ୍ରୁଆରି ଓ ମାର୍ଚ୍ଚ ମାସରେ କଫି ଅମଳ ହେବ‌ା ପରେ ବିକ୍ରି ପ୍ରକ୍ରିୟା ଆରମ୍ଭ ‌ହୋଇ ଯା‌ଇଥିଲା। ହେଲେ ଏହି ସମୟରେ କରୋନା ପାଇଁ ସାରା ଦେଶରେ ଘୋଷଣା ହେଲା ଲକ୍‌ଡାଉନ୍‌। ଫଳରେ ଆଉ କଫି ବିକ୍ରି ହୋଇ ପାରିଲାନି। ତେଣୁ ଜିଲ୍ଲାରେ ଏବେ ପାଖାପାଖି ୫୫୦ ଟନ୍‌ କଫି ବିକ୍ରି ନ ହୋଇ ପଡ଼ିରହିଛି। କୋରାପୁଟରୁ ଏହି କଫି ମଞ୍ଜି ସାଧାରଣତଃ ଆନ୍ଧ୍ର ଓ କର୍ଣ୍ଣାଟକ ଯାଇଥା‌ଏ। ସେଠାରେ କିନ୍ତୁ ସମସ୍ତ ପ୍ରକ୍ରିୟାକରଣ ୟୁନିଟ ବନ୍ଦ ରହିଥିବାରୁ ସେମାନେ କଫି ନେବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ତେଣୁ ଜିଲ୍ଲାର କଫି ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବର୍ଷକର ପରିଶ୍ରମ ପରେ ଏବେ ଅମଳ ସମୟକୁ କରୋନା ଚଡ଼କ ସେମାନଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି। ବଡ଼ ବଡ଼ ଚାଷୀ ୧୫-୨୦ ଲକ୍ଷ ଟଙ୍କାର କଫି ମଞ୍ଜି ପାଖରେ ରଖି ବସିଛନ୍ତି। ଅପରପକ୍ଷରେ ଛୋଟ ଚାଷୀମାନେ ଆଉ ବେଶୀ ଦିନ ଅପେକ୍ଷା କରି ନ ପାରି କମ୍‌ ଦରରେ କଫି ମଞ୍ଜି ବିକ୍ରିକରି ଦେଉଛନ୍ତି। ଲକ୍‌ଡାଉନ୍‌ କଟକଣା କେବେ ଉଠିବ ତାହା ଜଣା ପଡୁ ନ ଥିବାରୁ ସେମାନେ ପାଖାପାଖି ଅଧା ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି କଫି ମଞ୍ଜି।

ଏବେ ଅଶୋଧିତ କଫି ମଞ୍ଜିର ଦର କିଲୋଗ୍ରାମ ପ୍ରତି ପ୍ରାୟ ୨ଶହ ଟଙ୍କା ରହିଥିଲେ ମଧ୍ୟ ସେମାନେ ୮୦ରୁ ୧୦୦ ଟଙ୍କା ଭିତରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏହାର ଫାଇଦା ନେଇ ପାଡୁଆ, ଚାଟୁଆ ଓ ଆନ୍ଧ୍ରର କିଛି ଦଲାଲ ଗାଁ ଗଣ୍ଡାରୁ ଚାଷୀଙ୍କ ପାଖରୁ ଏହି ମଞ୍ଜି ସଂଗ୍ରହ କରୁଛନ୍ତି। ବଡ଼ ଚାଷୀ ଓ କଫି ବ୍ୟବସାୟୀମାନେ ପ୍ରକ୍ରିୟାକରଣ ୟୁନିଟ୍ ‌କେବେ ସ୍ବାଭାବିକ ହେବ ତାକୁ ଅପେକ୍ଷା କରି ରହିଛନ୍ତି। ଅମଳ କରି ଟଙ୍କା ନ ପାଇବାରୁ ‌ଏବେ କଫି ଚାଷୀଙ୍କ ଚିନ୍ତା ବଢ଼ି ଯାଇଛି। ଚାଷ ପାଇଁ ସେମାନେ କରିଥିବା ଖର୍ଚ୍ଚକୁ ଭରଣା କରି ପାରୁ ନାହାନ୍ତି। ପୁଣି ଆସନ୍ତାବର୍ଷ ପାଇଁ ଚାଷ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବାରୁ ବହୁ ଟଙ୍କା ଖର୍ଚ୍ଚ ବି ହେଉଛି। ଏପଟେ ଅମଳ ହୋଇଥିବା କଫି ମଞ୍ଜି ରଖିବାରେ ବି ସମସ୍ୟା ହେଲାଣି। ଏ ନେଇ କଫି ଚାଷୀ ସୁଜୟ ପ୍ରଧାନ କୁହନ୍ତି, ବର୍ଷ ସାରା ପରିଶ୍ରମ ପରେ ମାର୍ଚ୍ଚରେ କଫି ଅମଳ ହୋଇଥିଲା। ଏହାକୁ ବିକ୍ରି କରିବା ପାଇଁ ବାଙ୍ଗାଲୁରୁର ପ୍ରକ୍ରିୟାକରଣ ୟୁନିଟ ସହ କଥାବାର୍ତ୍ତା ସରିଥିଲା। ହେଲେ କରୋନା ସବୁ ବିଗାଡ଼ିଦେଲା। କଫି ଅମଳ ହୋଇ ପଡ଼ିଛି, ଏପଟେ ଆସନ୍ତା ବର୍ଷ ପାଇଁ ଚାଷ କାମ ଆରମ୍ଭ ହୋଇଗଲାଣି। ଆର୍ଥିକ କ୍ଷତି ଭିତରେ ଏବେ କ'ଣ କରିବୁ ତାକୁ ନେଇ ଚିନ୍ତାରେ ପଡ଼ିଯାଇଥିବା ସେ କହିଛନ୍ତି।

କେବଳ ସେ ଏକା ନୁହନ୍ତି, କୋରାପୁଟ ଜିଲ୍ଲାର ଅଧିକାଂଶ କଫି ଚାଷୀଙ୍କ ସମାନ ଅବସ୍ଥା। ଗତ ଅକ୍ଟୋବରରେ ଆଦିବାସୀ ଉନ୍ନୟନ ସମବାୟ ନିଗମ(ଟିଡିସିସି) ଓ ଜିଲ୍ଲା ପ୍ରଶାସନ ଉଦ୍ୟମରେ କୋରାପୁଟରେ ଏକ କଫି ପ୍ରକ୍ରିୟାକରଣ ୟୁନିଟ୍ ବସିଥିଲା। ଏଠାରୁ କୋରାପୁଟ କଫି ନାମରେ ଏକ ବ୍ରାଣ୍ଡ୍‌ ତିଆରି କରି ଆରମ୍ଭ ହୋଇଥିଲା ବିକ୍ରି। ସ୍ବଳ୍ପ ସମୟ ମଧ୍ୟରେ କୋରାପୁଟ କଫି ଦେଶ ବିଦେଶରେ ବେଶ୍ ନାଁ କରିଥିଲା। ଏଥର କଫି ଅମଳ ହେଲା ପରେ ଅଧିକ ପରିମାଣର କଫି ସଂଗ୍ରହ କରିବାକୁ ଟିଡିସିସି ଲକ୍ଷ୍ୟ ରଖିଥିଲା। କରୋନା କଟକଣା ପାଇଁ ଏଥି‌‌ରେ ବି ସମସ୍ୟା ସୃଷ୍ଟି ହୋଇଛି। ଟିଡିସିସିର ଶାଖା ପରିଚାଳକ ଗଙ୍ଗାଧର ମହାନ୍ତିଙ୍କ କହିବାନୁଯାୟୀ, ଏଥର ୫ ଶହ କୁଇଣ୍ଟାଲ କଫି ମଞ୍ଜି ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। କରୋନା କଟକଣା ପାଇଁ ମାତ୍ର ୨ଶହ କୁଇଣ୍ଟାଲ କଫି ମଞ୍ଜି ସଂଗ୍ରହ ହୋଇଛି। କଟକଣା କୋହଳ ହେବା ପରେ ଆଉ କିଛି କଫି ମଞ୍ଜି ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି। ଅପରପକ୍ଷରେ କରୋନା କଫି ବ୍ୟବସାୟୀଙ୍କୁ ଭୀଷଣ କ୍ଷତି ପହଞ୍ଚାଇଥିବା ସେ କହିଛନ୍ତି। କୋରାପୁଟ ସ୍ଥିତ କଫି ବୋର୍ଡର ବରିଷ୍ଠ ସଂପର୍କ ଅଧିକାରୀ ଅଜିତ କୁମାର ରାଉତଙ୍କ କହିବାନୁଯାୟୀ, କୋରାପୁଟ ଜିଲ୍ଲାରୁ ବର୍ଷକୁ ପାଖାପାଖି ୫୫୦ ମେଟ୍ରିକ ଟନ୍ କଫି ମଞ୍ଜି ଉତ୍ପାଦିତ ହୋଇଥାଏ। ମୁଖ୍ୟତଃ ଏଠାରୁ କଫି ମଞ୍ଜି ଆନ୍ଧ୍ର ଓ କର୍ଣ୍ଣାଟକ ଯାଏ. କିନ୍ତୁ ଏଥର କରୋନା କଟକଣା ପାଇଁ ଏହା ବାହାରକୁ ଯାଇ ପାରୁ ନ ଥିବାରୁ ଚାଷୀମାନେ କ୍ଷତି ସହୁଛନ୍ତି। ଲକ୍‌ଡାଉନ୍‌କୁ ଅପେକ୍ଷା ନକରି କିଛି ଚାଷୀ କମ୍ ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି। ବଡ଼ ଚାଷୀମାନେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର କଫି ମଞ୍ଜି ଅମଳ କରି ବିକ୍ରି କରି ପାରି ନ ଥିବାରୁ ସେମାନେ ବି କ୍ଷତି ସହୁଥିବା ‌ଶ୍ରୀ ରାଉତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe