ବିଧାନସଭାରେ ଶୀତଳଭଣ୍ଡାର, ଏମ୍‌ଏସ୍‌ପି ଚିନ୍ତା

Advertisment

୧୦୦୦ ଶୀତଳୀକରଣ ଗୃହ ନିର୍ମାଣ ହେବ: କୃଷି ମନ୍ତ୍ରୀ, ସମବାୟ ମନ୍ତ୍ରୀ-ବିରୋଧୀ ମୁହାଁମୁହିଁ

୧୦୦୦ ଶୀତଳୀକରଣ ଗୃହ ନିର୍ମାଣ ହେବ: କୃଷି ମନ୍ତ୍ରୀ, ସମବାୟ ମନ୍ତ୍ରୀ-ବିରୋଧୀ ମୁହାଁମୁହିଁ

ପୁଣି ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ବିଧାନସଭା ଅଧିବେଶନ

odishaassembly.nic.in

ଭୁବନେଶ୍ବର : ରାଜ୍ୟରେ ଅଧିକ ଶୀତଳ ଭଣ୍ଡାର ନିର୍ମାଣ ଓ ଚାଷୀଙ୍କୁ ଏମ୍‌ଏସ୍‌ପି ଅଧିକ ଦେବା ପ୍ରସଙ୍ଗକୁ ନେଇ ବୁଧବାର ଦିନ ବିଧାନସଭାର ପ୍ରଶ୍ନକାଳରେ ସରଗରମ ଆଲୋଚନା ହୋଇଥିଲା। ପ୍ରଥମେ ସୁରେଶ ରାଉତରାୟଙ୍କ ଶୀତଳ ଭଣ୍ଡାର ସମ୍ପର୍କିତ ମୂଳ ପ୍ରଶ୍ନରୁ ଆଲୋଚନା ‌ଆରମ୍ଭ ହୋଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତଳ ଭଣ୍ଡାର ନଥିବାରୁ ଚାଷୀ ତା’ର ଉତ୍ପାଦିତ ସାମଗ୍ରୀ ସଂରକ୍ଷିତ କରି ରଖିପାରୁନି ବୋଲି ଶ୍ରୀ ରାଉତରାୟ ଅଭିଯୋଗ କରିଥିଲେ। ଶାସକ ଦଳ ସଭ୍ୟ ବଦ୍ରି ପାତ୍ର ତାଙ୍କ ନିର୍ବାଚନମଣ୍ଡଳୀରେ ଶୀତଳ ଭଣ୍ଡାରର ଶୁଭ ଦିଆଯାଇ ବି ତାହାର ନିର୍ମାଣ ହେଉ ନଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ। ବାଧ୍ୟହୋଇ ଲୋକମାନେ ସେମାନଙ୍କ ଉତ୍ପାଦିତ ପନିପରିବା କମ୍ ଦରରେ ବିକୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ସନାତନ ବିଜୁଳି, ପ୍ରଣବ ବଳବନ୍ତରାୟ, ସୁବାସ ପାଣିଗ୍ରାହୀ, ସତ୍ୟନାରାୟଣ ପ୍ରଧାନ ଓ ନାଉରୀ ନାୟକ ପ୍ରମୁଖ ଅତିରିକ୍ତ ପ୍ରଶ୍ନ ପଚାରି ଶୀତଳ ଭଣ୍ଡାରର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ।

ଉତ୍ତରରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ, ରାଜ୍ୟରେ ଏବେ ୩୬ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଥିଲା ବେଳେ ୯୭ଟି ଅଚଳ ଅବସ୍ଥାରେ ଅଛି। ଅଚଳ ଅବସ୍ଥାରେ ଥିବା ଶୀତଳ ଭଣ୍ଡାରକୁ କାର୍ଯ୍ୟକ୍ଷମ କରିବାକୁ ବହୁ ଅର୍ଥ ଆବଶ୍ୟକ। ଏହା ଆଦୌ ଲାଭଦାୟକ ନୁହେଁ। ତେଣୁ ରାଜ୍ୟ ସରକାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଫୁଲ, ଫଳ ଓ ପନିପରିବାର ସଂରକ୍ଷଣ କରିବା ପାଇଁ ‘ଅମଳ ପରବର୍ତ୍ତୀ ପରିଚାଳନା ଓ ଉଦ୍ୟାନ କୃଷିର ଅମଳ ପରବର୍ତ୍ତୀ ବିପଣନରେ ସହାୟତା’ ଯୋଜନା ମାଧ୍ୟମରେ ଚଳିତବର୍ଷ ଠାରୁ ୧୦୦ କେଜି କ୍ଷମତା ବିଶିଷ୍ଟ ‘ସବ୍‌ଜି କୁଲର୍‌’ ପ୍ରତିଷ୍ଠା କରିବା ପାଇଁ ୭୦% ରିହାତି ଦେଉଛନ୍ତି। ପଞ୍ଚାୟତିରାଜ ବିଭାଗ, ମହିଳା ଏସ୍‌ଏଚ୍‌ଜି ଓ ଚାଷୀ ସଂଗଠନଗୁଡ଼ିକର ସହାୟତାରେ ଗ୍ରାମପଞ୍ଚାୟତସ୍ତରୀୟ ସୌରଚାଳିତ ଶୀତଳୀକରଣ ଗୃହ(ସୋଲାର୍‌ କୋଲ୍‌ଡ୍‌ ରୁମ୍‌) ନିର୍ମାଣ ପାଇଁ ଚଳିତ ବର୍ଷଠାରୁ ପଦକ୍ଷେପ ଗ୍ରହଣ କରାଯାଇଛି। ସରକାର ୧୦୦୦ଟି ଶୀତଳୀକରଣ ଗୃହ ସ୍ଥାପନ କରିବେ। ଏହା ବାଦ୍ ବେସରକାରୀ ସ୍ତରରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ନିମନ୍ତେ ଥିବା ପ୍ରୋତ୍ସାହନ ବ୍ୟବସ୍ଥା ସମ୍ପର୍କରେ ମନ୍ତ୍ରୀ ସୂଚନା ଦେଇଥିଲେ।

ଖରିଫରେ ଚାଷୀ ପଞ୍ଜୀକରଣ ସମ୍ପର୍କିତ ଭୂପିନ୍ଦର ସିଂହଙ୍କ ଏକ ମୂଳ ପ୍ରଶ୍ନ ଉପରେ ଆଲୋଚନା ବେଳେ ଧାନର ଏମ୍‌ଏସ୍‌ପି ପ୍ରସଙ୍ଗ ଉଠିଥିଲା। ତାରାପ୍ରସାଦ ବାହିନୀପତି, ଅଶୋକ ବଳ, ନିତ୍ୟାନନ୍ଦ ଗଣ୍ଡ, ପ୍ରଦୀପ ଦିଶାରୀ, ଲକ୍ଷ୍ମଣ ମୁଣ୍ଡା ଓ ସନ୍ତୋଷ ସିଂହ ସାଲୁଜା ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ। ବିଧାୟକମାନେ ଟୋକନ୍ ସମସ୍ୟା ଉଠାଇବା ସହ ଏମ୍‌ଏସ୍‌ପି ବୃଦ୍ଧି ପାଇଁ ମତ ଦେଇଥିଲେ। ଶ୍ରୀ ସାଲୁଜା କହିଥିଲେ, ୮ ବର୍ଷ ତଳେ ଏମ୍‌ଏସ୍‌ପି ୨୯୩୦ ଟଙ୍କା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏବେ ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚ ବଢ଼ିଥିବାରୁ ଏହି ଆକଳନ ଅଧିକ ହେବ। ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ ତାଙ୍କ ଉତ୍ତରରେ କେନ୍ଦ୍ରକୁ ଟାର୍ଗେଟ୍‌ କରିଥିଲେ। ସେ କହିଥିଲେ, ଚାଷୀଙ୍କ ବଳକା ଧାନ କିଣିବାକୁ ଏଫ୍‌ସିଆଇ ସହ ଚୁକ୍ତି ହୋଇଛି। କେନ୍ଦ୍ର ବଳକା ଚାଉଳ ଉଠାଉ ନାହିଁ। ରାଜ୍ୟ ସରକାର ବାରମ୍ବାର କହିବା‌ ସତ୍ତ୍ବେ କେନ୍ଦ୍ର ଶୁଣୁନି। କୋଭିଡ୍‌ ପ୍ରଭାବରୁ ଲୋକମାନେ ମୁକ୍ତ ହୋଇ ନଥିଲା ବେଳେ ୫ କେଜି ଚାଉଳ କାଟି ଦିଆଗଲା। ଏହାର ପରୋକ୍ଷ ପ୍ରଭାବ ଧାନ ସଂଗ୍ରହ ଉପରେ ମଧ୍ୟ ପଡ଼ିବ। ଏମ୍‌ଏସ୍‌ପି ବୃଦ୍ଧି ପାଇଁ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା। କିନ୍ତୁ ଗୃହ କମିଟିକୁ ‌ଭେଟିବା ପାଇଁ କେନ୍ଦ୍ର ସରକାର ସମୟ ଦେଲେନି।

ବିଜେପି ବିଧାୟକମାନେ ମନ୍ତ୍ରୀଙ୍କ ମନ୍ତବ୍ୟର ପ୍ରତିବାଦ କରିଥିଲେ। ଚାଷୀଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ବୋନସ୍‌ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ। ଜବାବରେ ମନ୍ତ୍ରୀ କହିଥିଲେ, କେନ୍ଦ୍ର ଦ୍ବାରା ସ୍ଥିରୀକୃତ ଏମ୍‌ଏସ୍‌ପି ଉପରେ ‌ବୋନସ୍ ଦେଲେ ଧାନ ସଂଗ୍ରହ କରାଯିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ତେଣୁ ଆମେ ବୋନସ୍ ଦେବୁ କେମିତି? ଆପଣମାନଙ୍କ ଦୋମୁହାଁ ନୀତି ଚଳିବ ନାହିଁ ବୋଲି ବିଜେପି ସଭ୍ୟମାନଙ୍କୁ ଇଙ୍ଗିତ କରି ମନ୍ତ୍ରୀ କହିଥିଲେ। ଏହାକୁ ନେଇ ଶାସକ ଓ ବିରୋଧୀ ସଭ୍ୟମାନେ ପରସ୍ପରକୁ ଆକ୍ଷେପ କରି ହୋହଲ୍ଲା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe