Times of India
ବାଲିଅନ୍ତା:ବାଳକାଟି ବଜାର ସାପ୍ତାହିକ ହାଟ ନିକଟରେ ଆଜି ରାତି ସାଢ଼େ ୯ଟା ସମୟରେ ଦୁଇ ନିଶାଡ଼ିଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଛି। ପନିକି ଓ ଠେଙ୍ଗାମାଡ଼ରେ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ବୟ ହେଲେ ନିକଟସ୍ଥ ବଡ଼ ଭୋଇ ସାହିର ସତ୍ୟ ନାରାୟଣ ଭୋଇ (୩୨) ଓ ଉକ୍ତ ସାହିରେ ରହୁଥିବା ବିଜୟ ମାରାଣ୍ଡି (୩୪) । ଉଭୟ ସତ୍ୟ ନାରାୟଣ ଓ ବିଜୟଙ୍କ ଦେହରେ ଗଭୀର ଆଘାତ ଲାଗିଛି। ହାଟ ଭିତରୁ ଦୂହେଁ ଗଣ୍ଡଗୋଳ କରି ମୁଖ୍ୟ ରାସ୍ତା ଆଡ଼କୁ ଗୋଡ଼ା ଗୋଡ଼ି ହୋଇ ମାଡ଼ି ଆସିଥିଲେ।
ବିଚ ରାସ୍ତାରେ ଜଣେ ମାଛ ଦୋକାନରୁ ପନିକି ଆଣି ଅନ୍ୟ ଜଣଙ୍କୁ ମୁଣ୍ଡକୁ ଆକ୍ରମଣ କରିଥିଲା। ସେହିପରି ଅନ୍ୟ ନିଶାଡ଼ି ଜଣଙ୍କ ଠେଙ୍ଗାରେ ଆକ୍ରମଣ କରିଥିଲା। ଫଳରେ ଉଭୟ ସତ୍ୟ ନାରାୟଣ ଓ ବିଜୟ ରକ୍ତାକ୍ତ ହୋଇପଡ଼ିଥିଲେ। କିଛି ସମୟ ଧରି ବାଳକାଟି ବଜାରରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ହେଲେ ବାଳକାଟି ପିସିଆର ଗାଡ଼ି ପହଞ୍ଚିବାରେ ବିଳମ୍ବ ନେଇ ଉତ୍ତେଜନା ଦେଖା ଦେଇଥିଲା। ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ିମଟର ଦୀର୍ଘ ସମୟ ଧରି ଅଟକି ରହିଥିଲା। ପୁଲିସ ସତ୍ୟ ନାରାୟଣ ଓ ବିଜୟକୁ ହସ୍ପିଟାଲକୁ ନେବା ପରେ ଯାତାୟତ ସ୍ବାଭାବିକ ହୋଇଥିଲା।
ସୂଚନା ଅନୁସାରେ ସତ୍ୟ ନାରାୟଣ ଓ ବିଜୟ ଦୁହେଁ ନିଶାଡ଼ି । ବାଳକାଟି ସାପ୍ତାହିକ ହାଟ ପିଣ୍ଡିରେ ବସି ଗଞ୍ଜେଇ ଟାଣିଥିଲେ। ନଶାରେ ଚୂର ହେବା ପରେ କୌଣସି କଥାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ପରେ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ବଜାର ଆଡ଼କୁ ଦୌଡ଼ା ଦୌଡ଼ି ହୋଇ ଆସିବା ପରେ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଥିଲା। ହାଟ ସମ୍ମୁଖ ରାସ୍ତାରେ ମାରପିଟ ହେବା ଯୋଗୁ ରାସ୍ତା ଜାମ ହୋଇପଡ଼ିଥିଲା।
Follow Us