କନ୍ଧମାଳରେ ପହିଲି ଶୀତର ପରଶ, ସର୍ବନିମ୍ନ ପାରଦ ୧୩ ଡିଗ୍ରି, ଦାରିଙ୍ଗବାଡ଼ି ଚଳଚଞ୍ଚଳ, ପର୍ଯ୍ୟଟକଙ୍କୁ ଅପେକ୍ଷା

କନ୍ଧମାଳରେ ପହିଲି ଶୀତର ପରଶ, ସର୍ବନିମ୍ନ ପାରଦ ୧୩ ଡିଗ୍ରି, ଦାରିଙ୍ଗବାଡ଼ି ଚଳଚଞ୍ଚଳ, ପର୍ଯ୍ୟଟକଙ୍କୁ ଅପେକ୍ଷା

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଦୁଇ ତିନି ଦିନ ହେଲା ସକାଳ ସମୟରେ କୁହୁଡ଼ି ଲାଗି ରହିଥିବାବେଳେ ଆଜି ଛୁଇଁଛି ପହିଲି ଶୀତ। ପ୍ରକୋପ ଅଧିକ ନ ଥିଲେ ବି ସକାଳ ୭ଟା ପର୍ଯ୍ୟନ୍ତ ଅଳ୍ପ ଅଳ୍ପ ଶୀତ ଲାଗି ରହିଥିଲା। ଏଥିସହ ବେଶ୍ କୁହୁଡ଼ି ବି ପଡ଼ିଥିଲା। ୨/୩ ଦିନ ପୂର୍ବେ ଏଠାରେ ପାରଦ ୧୫ ଡିଗ୍ରି ପର୍ଯ୍ୟନ୍ତ ଖସିଥିବାବେଳେ ଆଜି ସର୍ବନିମ୍ନ ୧୩ ଡିଗ୍ରିରେ ପହଞ୍ଚିଛି। ଫୁଲବାଣୀ ସହରର ରାସ୍ତାରେ ପ୍ରାତଃଭ୍ରମଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ କିଏ ଟୋପି ଓ ଆଉ କେହି ଶୀତବସ୍ତ୍ର ପିନ୍ଧିଥିବା ଦେଖିବାକୁ ମିଳିଥିଲା।

ଆଉ ସପ୍ତାହେ ପରେ ତାପମାତ୍ରା ଆହୁରି କମିବାର ଅନୁମାନ କରାଯାଉଛି। ପ୍ରତିବର୍ଷ ଶୀତର ପ୍ରକୋପ ବଢ଼ିବାକୁ ଅପେକ୍ଷା କରିଥାନ୍ତି କନ୍ଧମାଳବାସୀ। କାରଣ ଦେଶ ବିଦେଶର ପର୍ଯ୍ୟଟକ ଶୀତର ମଜା ଉଠାଇବାକୁ ଏଠାକୁ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆକର୍ଷିତ କରି ଦି ପଇସା ରୋଜଗାର କରିବା ଲକ୍ଷ୍ୟରେ ଜିଲ୍ଲାର ସମସ୍ତ ହୋଟେଲ ଓ ଲଜ୍‌ ସବୁ ସଜେଇ ହେଲାଣି। ଏମିତିକି କେତେକ ‌ହୋଟେଲ ଓ ଲଜ୍ ଅଗ୍ରୀମ ବୁକିଂ ହୋଇ ସାରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଏବେଠୁ ଚଳଚଞ୍ଚଳ ହୋଇ ଉଠିଲାଣି। ଶୀତ ଦିନେ ଏଠାକୁ ପ୍ରାୟତଃ ବହୁ ପର୍ଯ୍ୟଟକ ଆସିଥାନ୍ତି। ଶୀତରୁ ମଜା ଉଠାଇବା ସହ ମନୋରମ ପରିବେଶ ଓ କଫି ବଗିଚା ପରିଦର୍ଶନ କରିଥାନ୍ତି। ଏଥିପାଇଁ ସମସ୍ତ ହୋଟେଲ୍ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ କନ୍ଧମାଳ ଜିଲ୍ଲାରେ ପହିଲି ଶୀତୁ୍ଆ ସ୍ପର୍ଶରେ ଗାଁରୁ ସହର ଜନଜୀବନ ପୁଲିକିତ ହୋଇଛି। ସହରାଞ୍ଚଳଠାରୁ ଗ୍ରାମାଞ୍ଚଳରେ ଅଧିକ ଶୀତ ଅନୁଭୂତ ହୋଇଛି। ପ୍ରତିଦିନ ଭଳି ଆଜି ଜା‌ଳେଣି କାଠ ଓ ଖଲିପତ୍ର ଧରି ଦୁର୍ଗମ ଓ ଅପହଞ୍ଚ ଗାଁରୁ ଆସୁଥିବା ପୁରୁଷ ଓ ମହିଳାଙ୍କୁ ସାଲ ଘୋଡ଼ାଇଥିବା ଓ ଶୀତବସ୍ତ୍ର ପିନ୍ଧିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe