ରେକର୍ଡ କଲା ଶୀତ : ଜାଡ଼ରେ ଓଡ଼ିଶା ବେହାଲ

କେନ୍ଦୁଝରରେ ତୁଷାରପାତ, ଦାରିଙ୍ଗିବାଡ଼ିରେ ୩ ଡିଗ୍ରି, ଥରୁଛି ଟୁଇନ୍‌ ସିଟି, ୧୦ ଡିଗ୍ରି ତଳେ ୧୮ ସହର

ରେକର୍ଡ କଲା ଶୀତ : ଜାଡ଼ରେ ଓଡ଼ିଶା ବେହାଲ

କେନ୍ଦୁଝରରେ ତୁଷାରପାତ

ଭୁବନେଶ୍ବର : ହାଡ଼ଭଙ୍ଗା ଜା‌ଡ଼ରେ ଥରୁଛି ସାରା ରାଜ୍ୟ। ଜାଡ଼ ମାଡ଼ରେ ଲୋକେ ଅସ୍ତବ୍ୟସ୍ତ ହୋଇପଡିେଲଣି। ଅପରାହ୍‌ଣରୁ କାଲୁଆ ପବନ ଥଣ୍ଡାର ଭୟାବହତା ସଂପର୍କରେ ସୂଚାଉଛି। ଆଉ ରାତି ଯେତିକି ବଢୁଛି, ଥଣ୍ଡା ବି ସେତିକି ବଢୁଛି। ସ୍ଥିତି ଏମିତି ଯେ ଅଳ୍ପ କେତୋଟି ସ୍ଥାନ ଛାଡ଼ିଦେଲେ ସମଗ୍ର ରାଜ୍ୟରେ ରାତିର ପାରଦ ୧୦ ଡିଗ୍ରି ତଳକୁ ଖସି ଆସିଲାଣି। ଦାରିଙ୍ଗିବାଡିରେ ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଫୁଲବାଣୀ, କେନ୍ଦୁଝର, ଅନୁଗୁଳ, ସୋନପୁର, କଳାହାଣ୍ଡି ସ୍ଥିତି ବି ଅସମ୍ଭାଳ। ଦାରିଙ୍ଗିବାଡି, କେନ୍ଦୁଝର ଜିଲ୍ଲାରେ ତୁଷାର ପାତ ହେଉଛି। ଡିସେମ୍ବର ମାସରେ ଏତେ ତାପମାତ୍ରା ଖସିବା ଏକ ରେକର୍ଡ। ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରି ଛୁଇଁଲାଣି। ୨୬ବର୍ଷର ରେକର୍ଡ ଭାଙ୍ଗିଥିବା ଦାବି କରାଯାଉଛି। କଟକରେ ବି ଗତକାଲି ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରି ରହିଥିଲା। ୩୧ ଓ ୧ ତାରିଖରେ ସମଗ୍ର ଓଡ଼ିଶା ପାଇଁ ହଳଦିଆ ରଙ୍ଗର ସତର୍କ ସୂଚନା ଅର୍ଥାତ୍ ପରିସ୍ଥିତି ଉପରେ ନଜର ରଖିବା ପାଇଁ କୁହାଯାଇଛି।

ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରୁଛି, ଆସନ୍ତାକାଲିଠାରୁ ୨ ତାରିଖ ପର୍ଯ୍ୟନ୍ତ ଭୀଷଣ ଶୀତ ଲହରି ଓଡ଼ିଶାକୁ ମା଼ଡ଼ି ଆସିବ। ଏହା ପରେ ସ୍ଥିତିରେ ସାମାନ୍ୟ ସୁଧୁରିପାରେ, ମାତ୍ର ୫ ତାରିଖ ଯାଏ ଥଣ୍ଡାରୁ ମୁକ୍ତି ପାଇବା ସମ୍ଭାବନା କ୍ଷୀଣ।

ରାଜ୍ୟର ମୋଟ ୧୮ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି। ଅର୍ଧାଧିକ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୪ରୁ ୮ ଡିଗ୍ରି ଭିତରେ। ଆଭ୍ୟନ୍ତରୀଣ ଓଡ଼ିଶାରେ ଅବସ୍ଥା ସାଂଘାତିକ ହେଲାଣି। ସୂର୍ଯ୍ୟଙ୍କ କିରଣ ବି କମି ଯାଇଛି। ସବୁ ଜିଲ୍ଲାରେ ଦିନର ତାପମାତ୍ରା ୨୬ ଡିଗ୍ରି ଭିତରେ ରହୁଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବରିଷ୍ଠ ପାଣିପାଗ ବି‌ଶେଷଜ୍ଞ ସୁଦର୍ଶନ ମିଶ୍ରଙ୍କ କହିବାନୁଯାୟୀ, ଚଳିତବର୍ଷ ପ୍ରଥମଥର ପାଇଁ ଏଭଳି ସ୍ଥିତି ହୋଇଛି। ଓଡ଼ିଶାରେ ଏଭଳି ସ୍ଥିତି ହେବାର ପ୍ରମୁଖ କାରଣ ହେଉଛି, ଡିସେମ୍ବର ୧୫ରୁ ଜାନୁଆରି ୧୫ ମଧ୍ୟରେ ସୂର୍ଯ୍ୟଙ୍କ କିରଣ ସିଧାସଳଖ ଆମ ପାଖକୁ ଆସୁଥାଏ। ହେଲେ ଏଥର ସେଭଳି ହୋଇନି। ଦିନରେ ସୂର୍ଯ୍ୟଙ୍କଠାରୁ ଯେତିକି କିରଣ ମିଳିବା କଥା, ତାହା ମିଳିପାରୁନି। ଉତ୍ତର ଭାରତରେ ବରଫପାତ ହେବା ଦ୍ବାରା ହିମାଚଳପ୍ରଦେଶ, ଶ୍ରୀନଗର, ଉତ୍ତରା‌ଖଣ୍ଡ ଆଦି ଅଞ୍ଚଳରୁ ପବନ ସିଧାସଳଖ ଓଡ଼ିଶା ଉପରେ ମାଡ଼ ହେଉଛି।

ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ରଫେସର ‌ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା କଥା ହେଉଛି, ସାରା ରାଜ୍ୟରେ ଶୀତର ଲହରୀ ଲାଗି ରହିଛି। ଆସନ୍ତା ୨ କିମ୍ବା ୩ ତାରିଖ ସୁଦ୍ଧା ଉପକୂଳବର୍ତୀ ଓ କେନ୍ଦ୍ରୀୟ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୩ରୁ୪ ଡିଗ୍ରି ବଢ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe