ଶୀତ ବଢ଼ିବ

ରାତିରେ ପାରଦ ୨ରୁ ୩ଡିଗ୍ରି କମିବ

ଶୀତ ବଢ଼ିବ

Photo by : epochtimes.com

ଆଭ୍ୟନ୍ତରୀଣ ଓଡ଼ିଶାକୁ ଥରାଇବ, ୨୪ ତାରିଖରୁ ପୁଣି ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଏବେ ଲଘୁଚାପ ଦୁର୍ବଳ ହେବା ପରେ ହଠାତ୍‌ ଶୀତ ବଢ଼ିଯାଇଛି। ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ଭୀଷଣ ଥଣ୍ଡା ଅନୁଭୂତ ହେବ। ଏପରିକି ରାତିରେ ପାରଦ ସ୍ୱାଭାବିକ ଠାରୁ ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ କମିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଓଡ଼ିଶାରେ ଏବେ ଲଘୁଚାପର ପ୍ରଭାବ ନଥିବାରୁ ସୋମବାର ଠାରୁ ଆକାଶ ସଫା ରହିବ। ବାୟୁମଣ୍ଡଳରେ ଜଳୀୟ ବାଷ୍ପ ନଥିବାରୁ ଅଧିକ ଥଣ୍ଡା ଅନୁଭୂତ ହେବ। ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ରାତିର ତାପମାତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ କମିବାକୁ ଥିବାବେଳେ ଉପକୂଳ ଓଡ଼ିଶା ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପାରଦ ୨ଡିଗ୍ରି ପର୍ଯ୍ୟନ୍ତ କମିବ। ଏହି ସମୟରେ ସାରା ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨୦ଡିଗ୍ରି ତଳକୁ ରହିବାର ସମ୍ଭାବନା ଅଛି । ହେଲେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଅପରପକ୍ଷେ ଆସନ୍ତା ୨୧ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ଓ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। ଏହା ପ୍ରଭାବରେ ୨୩ତାରିଖରୁ ରାଜ୍ୟରେ ଆକାଶ ମେଘାଛନ୍ନ ରହିବ। ୨୪ ଓ ୨୫ତାରିଖ ବେଳକୁ ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ଅଛି। ତେବେ ଘୂର୍ଣ୍ଣିବଳୟର ରୂପରେଖ ଜଣାପଡ଼ି ନଥିବାରୁ ଏ ନେଇ ସଠିକ୍‌ ଆକଳନ କରିହେଉନି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଆଜି ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୬.୫ଡିଗ୍ରି ରେକର୍ଡ ହୋଇଥିବାବେଳେ ଦାରିଙ୍ଗିବାଡ଼ିରେ ୧୮ଡିଗ୍ରି, କେନ୍ଦୁଝରରେ ୧୮.୭, ହୀରାକୁଦରେ ୧୮.୪, କୋରାପୁଟରେ ୧୯.୫, ବାଲେଶ୍ୱରରେ ୧୮.୭, କଟକରେ ୨୧, ଭୁବନେଶ୍ୱରରେ ୨୨.୬ଡିଗ୍ରି ରେକର୍ଡ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe