ଆଉ ସପ୍ତାହେ ଜାଡ଼

Advertisment
୧୫ ଡିଗ୍ରି ତଳେ ରାଜ୍ୟର ୧୮ ସହର

Photo by :livemint.com

ଭୁବନେଶ୍ୱର : ଉପକୂଳରୁ ଉପାନ୍ତ ସବୁଠି ଖସୁଛି ପାରଦ। ତିନି ଦିନ ହେଲା ୧୩ଟି ସହରର ତାପମାତ୍ରା ଏକ ଅଙ୍କରେ ରହୁଥିବା ବେଳେ ଆଜି ୧୫ଟି ସହରର ପାରଦ ୧୦ ଡିଗ୍ରି ତଳକୁ ଖସି ଆସିଛି। ଗତକାଲି ଅପେକ୍ଷା ଆଜି ସବୁ ସହରର ତାପମାତ୍ରା ଗୋଟିଏରୁ ଦୁଇ ଡିଗ୍ରି ହ୍ରାସ ପାଇବା ସହ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳକୁ ଆସିଛି। ଅନ୍ୟପକ୍ଷରେ ଦାରିଙ୍ଗବାଡ଼ିର ତାପମାତ୍ରା ଗୋଟିଏ ଡିଗ୍ରି ବୃଦ୍ଧି ପାଇଥିବା ବେଳେ ଫୁଲବାଣୀରେ ସ୍ଥିତି ଅପରିବର୍ତିତ ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଶରତ ସାହୁଙ୍କ ପୂର୍ବାନୁମାନ କହୁଛି, ଚଳିତ ସପ୍ତାହରେ ବି ପ୍ରବଳ ଥଣ୍ଡା ଜାରି ରହିବ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶା ସ୍ଥିତିରେ ସେତେଟା ପରିବର୍ତନ ଆସିବ ନାହିଁ। ଉତ୍ତର ଭାରତରେ ଶୀତ ପ୍ରବାହ ପ୍ରବଳ ହେଉଥିବାରୁ ତାହାର ପ୍ରଭାବ ଓଡ଼ିଶାରେ ବି ପଡ଼ୁଛି। ଓଡ଼ିଶା ଥଣ୍ଡା ରହୁଛି ଓ ତା ସହିତ ଉତ୍ତର ଓ ପଶ୍ଚିମ ଭାରତରୁ ପବନ ଆସୁଥିବାରୁ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ଖସି ଯାଉଛି। ରାତି ସମୟରେ ତାପମାତ୍ରା ନିୟମିତ ଡିଗ୍ରିଠାରୁ ଦୁଇ ଡିଗ୍ର୍ରି ତଳେ ରହୁଛି। ସପ୍ତାହକ ପରେ ସ୍ଥିତିରେ କିଛିଟା ସୁଧାର ଆସିପାରେ। ତାପାମତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତେବେ ଆସନ୍ତାକାଲି ରାଜ୍ୟର କେତେକ ଅଞ୍ଚଳରେ ଘନ କୁହୁଡ଼ି ପରିସ୍ଥିତି ସୃଷ୍ଟି ହୋଇପାରେ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରି ରେକର୍ଡ ହୋଇଛି। ସୁନ୍ଦରଗଡ଼ରେ ୬, ଝାରସୁଗୁଡ଼ାରେ ୭.୭, କେନ୍ଦୁଝରଗଡ଼ରେ ୭.୯, ବାରିପଦା ଓ ଅନୁଗୁଳରେ ୮.୫, ହୀରାକୁଦରେ ୮.୬, ବଲାଙ୍ଗିର ଓ ଭବାନୀପାଟଣା ୯, କୋରାପୁଟ, ସମ୍ବଲପୁରରେ ୯.୧, ବାଲେଶ୍ୱର, ଢ଼େଙ୍କାନାଳ ଓ ସୋନପୁରରେ ତାପମାତ୍ରା ୯.୫ ଡିଗ୍ରି ରହିଥିଲା। କଟକ ଓ ତାଳଚେରରେ ତାପମାତ୍ରା ୧୦ ଡିଗ୍ରିକୁ ଖସି ଆସିଥିବା ବେଳେ ଚାନ୍ଦବାଲିରେ ୧୦.୮, ଟିଟିଲାଗଡ଼ରେ ୧୧, ଭୁବନେଶ୍ୱର ୧୧.୫, ପାରାଦ୍ୱୀପରେ ୧୩.୨, ପୁରୀରେ ୧୩.୬, ମାଲକାନଗିରିରେ ୧୩.୮ ଏବଂ ଗୋପାଳପୁରରେ ୧୪.୩ ଡିଗ୍ରି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe