ଭିଜିଲାନ୍‌ସ ଜାଲ୍‌ରେ କେରେଙ୍ଗ ମହାବିଦ୍ୟାଳୟର ଅଧ୍ୟକ୍ଷା

ଭିଜିଲାନ୍‌ସ ଜାଲ୍‌ରେ କେରେଙ୍ଗ ମହାବିଦ୍ୟାଳୟର ଅଧ୍ୟକ୍ଷା

ଖୋର୍ଦ୍ଧା: ନିଜ କଲେଜର ଆସିଷ୍ଟାଣ୍ଟ୍ ଲାଇବ୍ରେରିଆନଙ୍କ ଏରିୟର ବିଲ୍ କରି ଦେବା ପାଇଁ ୫୦ହଜାର ଟଙ୍କା ଲାଞ୍ଚ ନେବା ଖୋର୍ଦ୍ଧା ଜିଲ୍ଲା କେରେଙ୍ଗ ପଞ୍ଚାୟତ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଲାଞ୍ଚ ନେଲା ବେଳେ ଖୋର୍ଦ୍ଧା ଭିଜିଲାନ୍‌ସ ଟିମ୍‌ ଧରପଗଡ଼ କରି ଅଭିଯୁକ୍ତ ଅଧ୍ୟକ୍ଷା ବିଦ୍ୟୁତ୍‌ପ୍ରଭା ଜେନାଙ୍କୁ ଗିରଫ କରିଛି।

ଭିଜିଲାନ୍‌ସ ଡିଏସ୍‌ପି ବ୍ରଜକିଶୋର ସାହୁଙ୍କ ସୂଚନା ମୁତାବକ, କଲେଜର ଆସିଷ୍ଟାଣ୍ଟ୍‌ ଲାଇବ୍ରେରିଆନ ଧୀରଜ କୁମାର ବଡ଼ଜେନାଙ୍କର ୨୦୧୮ରୁ ୨୦୨୨ଯାଏ ପ୍ରାୟ ୮ଲକ୍ଷ ଏରିୟର ଟଙ୍କା ବାକି ଥିଲା। ୮ଲକ୍ଷର ବିଲ୍ କରି ଦେବା ପାଇଁ ଅଧ୍ୟକ୍ଷା ଶ୍ରୀମତୀ ଜେନା ତାଙ୍କୁ ୮୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ୮୦ହଜାର ନୁହେଁ, ବିଲ୍ କରି ଦେବା ପାଇଁ ୭୦ହଜାର ଟଙ୍କାରେ କଥା ଛିଣ୍ଡିଥିଲା।

ଏ ସମ୍ପର୍କରେ ଧୀରଜ ଭିଜିଲାନ୍‌ସର ଦ୍ବାରସ୍ଥ ହୋଇଥିଲେ। ଆଜି ଧୀରଜଙ୍କ ପତ୍ନୀ ପ୍ରୀତିରାଣୀ ବଡ଼ଜେନା ଅଧ୍ୟକ୍ଷା ଶ୍ରୀମତୀ ଜେନାଙ୍କର ଗୁରୁଜଙ୍ଗ ଦିୱାନୀସାହି ସ୍ଥିତ ବାସଭବନରେ ୫୦ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍‌ସ ଟିମ୍‌ ଧରପଗଡ଼ କରିଥିଲା। ଡିଏସ୍‌ପି ଶ୍ରୀ ସାହୁଙ୍କ ନେତୃତ୍ବରେ ହୋଇଥିବା ଏ ଚଢ଼ଉରେ ଭୁବନେଶ୍ବର ଟିମ୍‌ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe