ନୂଆପଡ଼ାରେ ଖରିଫ ଧାନ ସଂଗ୍ରହ ଆରମ୍ଭ, ଚୋରା ଚାଲାଣ ରୋକିବ ସ୍ବତନ୍ତ୍ର ଟିମ୍‌

Advertisment
ନୂଆପଡ଼ାରେ ଖରିଫ ଧାନ ସଂଗ୍ରହ ଆରମ୍ଭ, ଚୋରା ଚାଲାଣ ରୋକିବ ସ୍ବତନ୍ତ୍ର ଟିମ୍‌

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖରିଆରରୋଡ ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) ପ୍ରାଙ୍ଗଣରେ ଖରିଫ ଧାନ ସଂଗ୍ରହ ବୁଧବାର ଆରମ୍ଭ ହୋଇଛି। ଆର୍‌ଏମ୍‌ସି ସମ୍ପାଦକ ବିବେକାନନ୍ଦ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲାପାଳ ହେମକାନ୍ତ ସାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ସିଏସ୍‌ଓ ପି. ପ୍ରଭାକର ପାତ୍ରୋ, ଏଆର୍‌ସିଏସ୍‌ ଉମାଶଙ୍କର ଦାସ, ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦେଶକ ମନୋଜ ସାହୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ବୁଧବାର ଧାନ ସଂଗ୍ରହ ପ୍ରଥମ ଦିନରେ ଚାଷୀମାନେ ଟୋକନ ଧରି ମଣ୍ତିକୁ ଧାନ ବିକ୍ରି ପାଇଁ ଆଣିଥିଲେ। ହେଲେ ବସ୍ତାଏ ଧାନ ବି ସଂଗ୍ରହ ହୋଇ ପାରି ନାହିଁ। ମଣ୍ତିକୁ ମିଲର୍ସ ଟେଗ୍ କରିନଥିବାରୁ ଧାନ ସଂଗ୍ରହ ହୋଇନଥିବା ବିଭାଗୀୟ ଅଧିକାରୀ କହିଛନ୍ତି। ଏଭଳି ଧାନ ସଂଗ୍ରହ ପ୍ରଥମ ଦିନରୁ ଅବ୍ୟବସ୍ଥା ଦେଖାଦେଇଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ବୁଧବାର ଜିଲ୍ଲାର ସମସ୍ତ ଧାନମଣ୍ତି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଏହି ଅବସରରେ ଜିଲ୍ଲାପାଳ କହିଛନ୍ତି ଯେ, ଆର୍‌ଏମ୍‌ସି ପକ୍ଷରୁ ସମସ୍ତ ମଣ୍ତିରେ ଆବଶ୍ୟକ ସୁବିଧା ଯୋଗାଇ ଦିଆଯାଇଛି। ସରକାରୀ ନିୟମ ମୁତାବକ ଧାନ ସଂଗ୍ରହ ହେବ। ଜିଲ୍ଲାରେ ୨୬ଟି ପେକ୍ସ ଅଧୀନରେ ୭୩ଟି ମଣ୍ତି ଖୋଲିବାକୁ ଯୋଜନା ରହିଛି। ଜିଲ୍ଲାର ସମସ୍ତ ଧାନ ସଂଗ୍ରହ କେନ୍ଦ୍ରର ଭିତ୍ତିଭୂମି ବିକାଶ ପାଇଁ ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେଇଛି। ଟେଣ୍ତର ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ଜିଲ୍ଲାରେ ବହୁ ଆଦର୍ଶ ମଣ୍ତି ନିର୍ମାଣ କରିବାକୁ ଯୋଜନା କରାଯାଇଛି। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ସମସ୍ତ ଧାନ ସଂଗ୍ରହ କେନ୍ଦ୍ର ନିର୍ମାଣ କାମ ସମ୍ପୂର୍ଣ୍ଣ କରିବାକୁ ଯୋଜନା ହୋଇଛି। ମିଲର୍‌ମାନେ ଠିକ ସମୟରେ ଚାଷୀଙ୍କ ଧାନ ଉଠାଇବାକୁ ନିର୍ଦେଶ ଦିଆଯାଇଛି। କୌଣସି ଚାଷୀଙ୍କ ଟୋକନ ବାତିଲ ନହେବା ପାଇଁ ଧ୍ୟାନ ଦିଆଯାଉଛି।

ସାରାବଙ୍ଗ ନିକଟ ପୋଲ ବର୍ଷାରେ ଧୋଇଯାଇଥିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ମରାମତି ହୋଇଛି। ଏହି ରାସ୍ତାକୁ ଭାରୀ ଯାନ ଯାତାୟତଯୋଗ୍ୟ କରିବା ପାଇଁ ସଦର ବିଡିଓଙ୍କୁ ନିର୍ଦେଶ ଦିଆଯାଇଛି। ବୁଧବାରଠାରୁ ଚାଷୀଙ୍କୁ ଟୋକନ ମିଳିବା ଆରମ୍ଭ ହୋଇଛି। ୩୦ ଦିନ ଭିତରେ ଚାଷୀ ମଣ୍ତିରେ ଧାନ ବିକ୍ରି କରି ପାରିବେ। ସରକାରୀ ଭାବେ ୭ ଦିନରେ ଥରେ ଚାଷୀଙ୍କୁ ସ୍ମରଣ କରାଇବା ପାଇଁ ସୂଚନା ଦିଆଯିବ। ସବୁ ସମସ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି। ତହସିଲଦାରମାନେ ମିଲ୍‌ର ସ୍ଥିତି ଯାଞ୍ଚ କରିଛନ୍ତି ଓ ସବୁ ଠିକ୍‌ଠାକ୍‌ ଅଛି। ପଡ଼ୋଶୀ ଛତିଶଗଡ଼ ରାଜ୍ୟକୁ ଧାନ ଚାଲାଣ ରୋକିବା ପାଇଁ ତହସିଲଦାରଙ୍କ ନେତୃତ୍ବରେ ଆଇଆଇସି, କୃଷି ଅଧିକାରୀ, ପେକ୍ସ କର୍ମଚାରୀଙ୍କୁ ନେଇ ସ୍ବତନ୍ତ୍ର ସ୍ବାଡ୍‌ ଗଠିତ ହୋଇଛି। ଚାଷୀ, ମିଲର୍ସ, ପେକ୍ସ, ଆର୍‌ଏମ୍‌ସି ଓ ଯୋଗାଣ ବିଭାଗର ମିଳିତ ସହଯୋଗରେ ଧାନ ସଂଗ୍ରହ ସଫଳ ହେବ ବୋଲି ଜିଲ୍ଲାପାଳ ଚାଷୀ ଓ ପ୍ରଶାସନିକ ଅଧିକାରୀ, କର୍ମଚାରୀଙ୍କୁ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe