ଭେଡ଼ାବାହାଲ ୟୁଏମପିପି ବିସ୍ଥାପିତ ଆଶ୍ବସ୍ତ; ଜିଲ୍ଲାପାଳଙ୍କ ଅନୁମତି, ଗାଁକୁ ଯିବ ସରକାରୀ ଯୋଜନା

Advertisment
ଭେଡ଼ାବାହାଲ ୟୁଏମପିପି ବିସ୍ଥାପିତ ଆଶ୍ବସ୍ତ; ଜିଲ୍ଲାପାଳଙ୍କ ଅନୁମତି, ଗାଁକୁ ଯିବ ସରକାରୀ ଯୋଜନା

ସୁନ୍ଦରଗଡ଼: ୩୦ ହଜାର କୋଟି ବ୍ୟୟ ଅଟକଳରେ ନିର୍ମାଣ ଅପେକ୍ଷାରେ ଥିବା ଭେଡ଼ାବାହାଲ ୪ ହଜାର ମେଗାୱାଟ ବିଶିଷ୍ଟ ତାପଜ ବିଦ୍ୟୁତ ପ୍ରକଳ୍ପ (ୟୁଏମପିପି) ପାଇଁ ଏକ ପ୍ରକାର ଅଭିଶପ୍ତ ଜୀବନ ଜିଉଁଥିବା ବିସ୍ଥାପିତଙ୍କ ପାଇଁ ଆଶ୍ବସ୍ତିକର ଖବର। ୮ ବର୍ଷ ଧରି ଜମି ଅଧିଗ୍ରହଣକୁ ନେଇ କଟକଣା ମଧ୍ୟରେ ଥିବା ଗାଁକୁ ସମସ୍ତ ପ୍ରକାର ସରକାରୀ ଯୋଜନା ପହଞ୍ଚିବ। ବିସ୍ଥାପିତମାନେ ବାରମ୍ବାର ଦୁଃଖ ଜଣାଇବା ପରେ ଜିଲ୍ଲାପାଳ ଏଥିପାଇଁ ଅନୁମତି ଦେଇଛନ୍ତି। ୟୁଏମପିପି ପ୍ରକଳ୍ପ ପାଇଁ ରହିଥିବା କଟକଣା ଯୋଗୁଁ ବିସ୍ଥାପିତ ଗାଁ କୋପସିଂହା, ଲଙ୍କାହୁଡ଼ା, ରୂପିଡିହିରେ କୌଣସି ଉନ୍ନୟନ କାର୍ଯ୍ୟ ହୋଇପାରୁ ନଥିଲା। ପ୍ରକଳ୍ପ ପାଇଁ ଏସବୁ ଗାଁର ୩ ହଜାର ପରିବାରର ୧୫ ହଜାର ଲୋକଙ୍କ ଜମି, ଘର ଡିହ ଅଧିଗ୍ରହଣ କରି ନିଆଯାଇଛି। ଏଥିପାଇଁ ଜମିର କ୍ଷତିପୂରଣ ମିଳି ସାରିଛି। କିନ୍ତୁ ଏଯାଏ ପ୍ରକଳ୍ପ କାମ ଆରମ୍ଭ ହୋଇପାରି ନଥିବା ବେଳେ ଆଗକୁ କେବେ ହେବ ତା’ର କୌଣସି ଠିକଠିକଣା ନାହିଁ।

ଏସ୍ଥିତିରେ ବିସ୍ଥାପିତ ପୁନର୍ବାସ, ଥଇଥାନ ସୁବିଧା ତ ପାଇ ନାହାନ୍ତି, ଜମି ଓ ଘର ଡିହ କମ୍ପାନି ନାମରେ ଚାଲି ଯାଇଥିବାରୁ ୮ ବର୍ଷ ହେଲା ଫସଲ ବୀମା, ମରୁଡ଼ି ସହାୟତାରୁ ମଧ୍ୟ ବଞ୍ଚିତ ହୋଇ ରହିଛନ୍ତି। ଏପରିକି ଗାଁରେ ସରକାରୀ ଯୋଜନା ଓ ଉନ୍ନୟନ ପ୍ରକଳ୍ପ କାମ ମଧ୍ୟ ହୋଇପାରି ନାହିଁ। ଗାଁ ରାସ୍ତା, ନଳକୂପ, ପୋଖରୀ, ବିଦ୍ୟାଳୟ, ଅଙ୍ଗନବାଡ଼ି ଗୃହ ନିର୍ମାଣ, ମରାମତି ନହୋଇ ସେମିତି ପଡ଼ି ରହିଥିବା ବେଳେ ବିସ୍ଥାପିତମାନେ ଏ କୂଳର ନା ସେ କୂଳର ହୋଇ ଦୁର୍ବିସହ ଜୀବନ ଜିଇଁ ଚାଲିଛନ୍ତି। ଏହିକ୍ରମରେ ଗତ ୨୦୧୯ରୁ ଯୁବନେତା ରାଣାପ୍ରତାପ ସିଂଙ୍କ ନେତୃତ୍ବରେ ଗାଁ ଲୋକେ ବହୁବାର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇ ଦୁଃଖ ଜଣାଇଥିଲେ। ବିଶେଷ କରି ଲଙ୍କାହୁଡ଼ା ପଞ୍ଚାୟତର ବିଭିନ୍ନ ଗାଁରେ ନୂଆ ଅଙ୍ଗନବାଡ଼ି ଗୃହ, କୋପସିଂହା ଠାରୁ ଲଙ୍କାହୁଡ଼ା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ପକ୍କା ରାସ୍ତା ସଂଯୋଗ, ଭସ୍ମା ଆବୁଡ଼ିଆ ପଡ଼ାରେ ବିଦ୍ୟୁତ ସଂଯୋଗ, ପିତାବଲିଆ ପଡ଼ାରେ ନୂଆ ଟ୍ରାନ୍ସଫର୍ମର ସ୍ଥାପନ, କୋପସିଂହା, ଲଙ୍କାହୁଡ଼ା ଓ ରୂପିଡିହିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ପ୍ରଦାନ ପାଇଁ ଦାବି କରିଥିଲେ। କିନ୍ତୁ କଟକଣା ପାଇଁ ସେ ସବୁ କାମ ହୋଇ ପାରି ନଥିବା ବେଳେ ସୋମବାର ରାଣାପ୍ରତାପ ଜିଲ୍ଲା ପ୍ରଶାସନର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ ଭେଟି ଦାବିଗୁଡ଼ିକୁ ଦୋହରାଇ ପଦକ୍ଷେପ ନେବାକୁ ଗୁହାରି କରିଥିଲେ।

publive-image

ଏହା ପରେ ଜିଲ୍ଲାପାଳ ଶ୍ରୀ କଲ୍ୟାଣ ସେ ସବୁ ଗାଁରେ ଆବଶ୍ୟକ ମୁତାବକ ଉନ୍ନୟନ କାମ କରିବା ପାଇଁ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ୭ ଦିନ ମଧ୍ୟରେ ଅଙ୍ଗନବାଡ଼ି ଗୃହ ନିର୍ମାଣ ପାଇଁ ଜମି ଚିହ୍ନଟ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ବିଦ୍ୟୁତ ସଂଯୋଗ ଓ ନୂଆ ଟ୍ରାନ୍ସଫର୍ମର ସ୍ଥାପନ ପାଇଁ ବିଭାଗକୁ ତୁରନ୍ତ ଟେଣ୍ଡର ଡାକିବାକୁ କହିଥିଲେ। ଏହା ସହ ପକ୍କା ରାସ୍ତା ପାଇଁ ବିଭାଗୀୟ ଅଧିକାରୀଙ୍କୁ ସର୍ଭେ କରି ଶୀଘ୍ର ବ୍ୟୟ ଅଟକଳ ପ୍ରସ୍ତୁତ କରିବା ଓ ୩ ବିସ୍ଥାପିତ ଗାଁର ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ସୁନ୍ଦରଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବିସ୍ଥାପିତ ଗାଁର ଲୋକେ ଅଭିଶାପରୁ ମୁକୁଳିବ ବୋଲି ଆଶା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe