ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ କଲେନି କଲେଜ: ଟଙ୍କା ଫେରସ୍ତ ମାଗିଲେ ସରକାର

ଉଚ୍ଚଶିକ୍ଷା ବିଭାଗ ଅଧୀନ ମହାବିଦ୍ୟାଳୟ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ଦେବାକୁ ୨୦୨୪-୨୫ ଶିକ୍ଷାବର୍ଷରେ ଅର୍ଥ ପ୍ରଦାନ କରାଯାଇଥିଲା। ଛାତ୍ରୀଙ୍କ ସଂଖ୍ୟା ଦୃଷ୍ଟିରୁ କେଉଁ କଲେଜକୁ ୭ହଜାର ତ ଆଉ କାହାକୁ ୫୦ ହଜାର ମିଳିଥିଲା।

higher educationxxv

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଧୀନ ମହାବିଦ୍ୟାଳୟ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ଦେବାକୁ ୨୦୨୪-୨୫ ଶିକ୍ଷାବର୍ଷରେ ଅର୍ଥ ପ୍ରଦାନ କରାଯାଇଥିଲା। ଛାତ୍ରୀଙ୍କ ସଂଖ୍ୟା ଦୃଷ୍ଟିରୁ କେଉଁ କଲେଜକୁ ୭ହଜାର ତ ଆଉ କାହାକୁ ୫୦ ହଜାର ମିଳିଥିଲା। ଏମିତି ବି କିଛି ମହାବିଦ୍ୟାଳୟ ରହିଥିଲା ଯେଉଁମାନଙ୍କୁ ୭୭ ହଜାର ଟଙ୍କା ଦିଆଯାଇଥିଲା। ବିଭାଗ ଦ୍ବାରା ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ ମାର୍ଚ୍ଚ ୧୫ ସୁଦ୍ଧା କଲେଜଗୁଡ଼ିକ ତାଲିମ କାର୍ଯ୍ୟକ୍ରମ କରିବେ ଏବଂ ଏପ୍ରିଲ ୧୫ ସୁଦ୍ଧା ବିନିଯୋଗ ପ୍ରମାଣପତ୍ର(ୟୁସି) ଦାଖଲ କରିବେ। ଇତିମଧ୍ୟରେ ଏପ୍ରିଲ ୧୫ ‌ଯାଇ ଅଗଷ୍ଟ ୧୫ ଛୁଇଁଲାଣି। ମାତ୍ର ରାଜ୍ୟର ୩୧୭ କଲେଜ ଏପର୍ଯ୍ୟନ୍ତ ୟୁସି ଦାଖଲ କରିପାରି ନାହାନ୍ତି। ଖର୍ଚ୍ଚର ହିସାବ ଦେଇ ନ ଥିବାରୁ ଉଚ୍ଚଶିକ୍ଷା‌ ବିଭାଗ ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଯେଉଁମାନେ ବିନିଯୋଗ ପ୍ରମାଣପତ୍ର ଦାଖଲ କରି ନାହାନ୍ତି ସେମାନେ ଅର୍ଥ ଫେରସ୍ତ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ୨୦୨୫ ଜାନୁଆରି ୧୬ରେ ବିଭାଗ ପକ୍ଷରୁ ଅନୁମୋଦନ ନିର୍ଦ୍ଦେଶ ଜାରି ହୋଇଥିଲା। ସାମ୍‌ସ ଆକାଉଣ୍ଟ ମାଧ୍ୟମରେ ମହାବିଦ୍ୟାଳୟଗୁଡ଼ିକ ପାଇଁ ଅର୍ଥ ରିଲିଜ୍‌ ହୋଇଥିଲା। ନିୟମ ଅନୁଯାୟୀ ତାଲିମ କାର୍ଯ୍ୟକ୍ରମ କରିବା ସହ ରିପୋର୍ଟ ଓ ୟୁସି ଦାଖଲ କରିବେ। ହେଲେ ଯେଉଁମାନେ ଏପର୍ଯ୍ୟନ୍ତ ରିପୋର୍ଟ କି ୟୁସି ଦାଖଲ କରିନାହାନ୍ତି ସେମାନେ କାର୍ଯ୍ୟକ୍ରମ କରି ନ ଥିବା ମନେ ହେଉଛି। ତେଣୁ ଦିଆଯାଇଥିବା ଅର୍ଥ ରାଜ୍ୟ ରାଜକୋଷକୁ ଫେରସ୍ତ ଦିଗରେ ପଦକ୍ଷେପ ନେବାକୁ ମହାବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି। ଏହି ତାଲିକାରେ ୨୯୭ଟି ଡିଗ୍ରି କଲେଜ ସମେତ ୪ଟି ସଂସ୍କୃତ କଲେଜ, ୮ଟି ସ୍ବୟଂଶାସିତ ମହାବିଦ୍ୟାଳୟ ଓ କିଛି ଜୁନିଅର କଲେଜ ମଧ୍ୟ ରହିଛନ୍ତି। ମେ’ ୧୨ ମଧ୍ୟରେ ୟୁସି ଦାଖଲ କରି ନ ଥିବା ସ୍ବୟଂଶାସିତ ମହାବିଦ୍ୟାଳୟଗୁଡ଼ିକ ମଧ୍ୟରେ ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ୭୪,୪୦୦ ଟଙ୍କା ରହିଥିବା ବେଳେ ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ୫୨,୩୦୦, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ୪୯,୭୦୦, ଶୈଳବାଳା ମହିଳା ମହାବିଦ୍ୟାଳୟର ୭୭,୩୦୦, ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ୪୦,୧୦୦, ଶଶିଭୂଷଣ ରଥ ସରକାରୀ ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟର ୬୧,୬୦୦, ବିଜେବି ‌ସ୍ବୟଂଶାସିତ ମହାବିଦ୍ୟାଳୟର ୫୯,୫୦୦, କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର ୬୪,୮୦୦ ଟଙ୍କା ୟୁସି ଦାଖଲ ହୋଇ ନ ଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି କୁହାଯାଇଛି। ଯଦି ହିସାବ ଦେଖାଯାଏ ତେବେ ୩୧୭ଟି ମହାବିଦ୍ୟାଳୟକୁ ମିଶାଇଲେ ୫୦ ଲକ୍ଷରୁ ଅଧିକ ଟଙ୍କାର ୟୁସି ବାକି ରହିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe