ଅସହ୍ୟ ହେଲା ସହପାଠୀ, ହଷ୍ଟେଲ ୱାର୍ଡେନ୍‌ଙ୍କ ରାଗିଂ! ୪ ମହଲା ହଷ୍ଟେଲ୍‌ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା

କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ବାପା-ମା’

ଅସହ୍ୟ ହେଲା ସହପାଠୀ, ହଷ୍ଟେଲ ୱାର୍ଡେନ୍‌ଙ୍କ ରାଗିଂ! ୪ ମହଲା ହଷ୍ଟେଲ୍‌ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା

ବାଲେଶ୍ବର: ବାଲେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ ନିକଟ‌ରେ ଥିବା ଏକ ଘରୋଇ ଯୁକ୍ତ ଦୁଇ ବିଜ୍ଞାନ ଆବାସିକ କଲେଜ ଛାତ୍ରୀଙ୍କର ଗତକାଲି ବିଳମ୍ବିତ ରାତିରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଛାତ୍ରୀଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବଣତାଳପଦା ଗ୍ରାମର ପ୍ରତାପଚନ୍ଦ୍ର ବେହେରାଙ୍କ ଝିଅ ସାବିତ୍ରୀ ବେହେରା (୧୭)। ସେ ଉକ୍ତ କଲେଜରେ +୨ ବିଜ୍ଞାନ ଶେଷବର୍ଷର ଛାତ୍ରୀ ଥିଲେ। ଗତକାଲି ରାତିରେ ସହପାଠୀ ଓ ହଷ୍ଟେଲ୍‌ ୱାର୍ଡେନ୍‌ଙ୍କଠାରୁ ରାଗିଂର ଶିକାର ହୋଇ ସାବିତ୍ରୀ ହଷ୍ଟେଲର ୪ ମହଲା ଛାତରୁ ଡେଇଁପଡ଼ି ଆତ୍ମହତ୍ୟା କରିଥିବା କୁହାଯାଉଛି। ଏ ନେଇ ମୃତକଙ୍କ ପରିବାର ପକ୍ଷରୁ ବାଲେଶ୍ବର ସଦର ଥାନାରେ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ହତ୍ୟା ଅଭିଯୋଗ କରାଯାଇଛି।

publive-image

ମୃତ ଛାତ୍ରୀଙ୍କ ମା’ ପଦ୍ମାବତୀ ବେହେରାଙ୍କ କହିବା ଅନୁଯାୟୀ, ଗତକାଲି ରାତି ୯ଟା ବେଳେ ସେ ତାଙ୍କ ଝିଅ ସହ କଥା ହୋଇଥିଲେ। ସେ ସମୟରେ ବେଶ ଖୁସି ମିଞ୍ଜାସ୍‌ରେ ଥିଲା ଝିଅ। ପରେ ରାତି ପ୍ରାୟ ସାଢ଼େ ୧୦ଟାରେ ତା’ ବାପାଙ୍କ ମୋବାଇଲ୍‌କୁ ଫୋନ୍‌ କରି ହଷ୍ଟେଲରେ ତା’ ସହ ରହୁଥିବା ଜଣେ ସହପାଠୀର ୨୦୦ ଟଙ୍କା ଚୋରି ହୋଇଥିବା ଓ ସେଠାରେ ରହୁଥିବା ଅନ୍ୟ ୩ ଜଣ ସାଙ୍ଗ, ହଷ୍ଟେଲ୍‌ ୱାର୍ଡେନ୍‌ ଅଯଥାରେ ତାଙ୍କୁ ଏଥିପାଇଁ ଦାୟୀ କରୁଥିବା କହିଥିଲା। ଚୋରି କରିନଥିଲେ ବି କାଲି ସକା‌ଳୁ ୨୦୦ ଟଙ୍କା ପଠାଇଲେ ସେ ତାଙ୍କୁ ଦେବ ବୋଲି କାନ୍ଦିକାନ୍ଦି ବାପାଙ୍କୁ କହିଥିଲା ଝିଅ। ବାପା ପ୍ରତାପଚନ୍ଦ୍ର ବି ଝିଅକୁ ବୁଝାସୁଝା କରିଥିଲେ। ଏହା ପରେ ରାତି ପ୍ରାୟ ଗୋଟାଏ ବେଳେ କଲେଜର ରମେଶ ସାର ନାମକ ଜଣେ ଶିକ୍ଷକ ପ୍ରତାପଚନ୍ଦ୍ରଙ୍କୁ ଫୋନ୍‌ କରି ତାଙ୍କ ଝିଅକୁ ବାଲେଶ୍ବର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ଦେଇଥିଲେ। ଏହାର କିଛି ସମୟ ପରେ ହଷ୍ଟେଲ ୱାର୍ଡେନ୍‌ ଫୋନ୍‌ କରି ତାଙ୍କ ଝିଅ ଠିକ୍‌ ଥିବା ଜଣାଇଥିଲେ।

ତେବେ ପରିବାର ଲୋକଙ୍କ ସନ୍ଦେହ ବଢ଼ିବାରୁ ଉକ୍ତ କଲେଜରେ ରହୁଥିବା ଅନ୍ୟ ସାଙ୍ଗମାନଙ୍କୁ ସେମାନେ ଯୋଗାଯୋଗ କରିଥିଲେ। ହେଲେ କେହି ଏ ବାବଦରେ ମୁହଁ ଖୋଲିନଥିଲେ। ହଷ୍ଟେଲର ୪ ମହଲା ଛାତରୁ ତଳକୁ ପଡ଼ିବା ପରେ ଗୁରୁତର ଅବସ୍ଥାରେ ସାବିତ୍ରୀଙ୍କୁ ପ୍ରଥମେ ବାଲେଶ୍ବର ଡାକ୍ତରଖାନା ଓ ପରେ କଟକ ବଡ଼ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଆଜି ଭୋରରୁ ଚିକିତ୍ସାଧୀନ ଅବସ୍ଥାରେ ଝିଅର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ବାପା-ମା’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe