ମାସେ ପରେ ବି କାର୍ଯ୍ୟାନୁଷ୍ଠାନ ହେଲାନି, ଜୀବନ ହାରିଲେ ଦୁଷ୍କର୍ମ ପୀଡ଼ିତା ଅଧ୍ୟାପିକା

ଆତ୍ମହତ୍ୟା ପରେ ପୁଲିସ ତନାଘନା, ଅଭିଯୁକ୍ତ ଓ ଦୁଇ ସହଯୋଗୀ ଗିରଫ, ଏସ୍‌ଆଇ ନିଲମ୍ବିତ, ଆଇଆଇସିଙ୍କୁ ବଦଳି

ଦୁଷ୍କର୍ମ ପୀଡ଼ିତା ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା : ଯାଜପୁରରୁ ଆଉ ୨ ଅଭିଯୁକ୍ତ ଗିରଫ

ପୀଡ଼ିତା (ଫାଇଲ୍‌ ଫଟୋ)

ରାଇରଙ୍ଗପୁର/ବାରିପଦା : ମାସକ ତଳେ ହୋଇଥିଲେ ଦୁଷ୍କର୍ମର ଶିକାର। ଥାନାକୁ ଯାଇ ନ୍ୟାୟ ଭିକ୍ଷା କରିଥିଲେ। ପୁଲିସ କେବଳ ମାମଲାଟିଏ ରୁଜୁ କରି ଚୁପ୍‌ଚାପ୍ ବସିଗଲା। କିଛି କାର୍ଯ୍ୟାନୁଷ୍ଠାନ ନ ହେବା ଦେଖି ପୀଡ଼ିତାଙ୍କୁ ହତ୍ୟା ଧମକ ଦେଲା ଅଭିଯୁକ୍ତ। ଏମିତିକି ଦୁଷ୍କର୍ମ ଘଟଣାର ଫଟୋ ଭାଇରାଲ୍‌ କରିବାକୁ ବି ଦେଲା ଧମକ। ଶେଷରେ ଲୋକଲଜ୍ଜା ଓ ସାମାଜିକ ଅପବାଦ ସହି ନ ପାରି ପୀଡ଼ିତା ଜୀବନ ହାରିଦେଲେ। ସବୁଠୁ ବଡ଼ କଥା ହେଉଛି, କାଲି ପର୍ଯ୍ୟନ୍ତ ଏହି ଘଟଣାରେ ଚୁପ୍ ଥିବା ପୁଲିସ ଆଜି ହଠାତ୍‌ ଚେଇଁ ଉଠିଛି। ପୀଡ଼ିତାଙ୍କ ମୃତ୍ୟୁ ପରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ହଠାତ ସାମ୍ବାଦିକ ସମ୍ମିଳନୀ ଡାକି ୨ ଜଣ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି। ଦୁଷ୍କର୍ମକାରୀ ସୌମ୍ୟରଞ୍ଜନ ସାହୁଙ୍କ ସହିତ ଅନ୍ୟ ୨ ଜଣଙ୍କୁ ଆଜି ଗିରଫ କରାଯାଇଛି ବୋଲି କହିଛନ୍ତି। ଦୋଷ ଛଡ଼ାଇବାକୁ ଯାଇ ପୁଲିସ ଯେତେ ସଫେଇ ଦେଲେ ବି ଏହି ଘଟଣାରେ ପୁଲିସର ଅବହେଳା ଜଳଜଳ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ପ୍ରାଣ ହାରିଥିବା ପୀଡ଼ିତା ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ପଦାର୍ଥବିଜ୍ଞାନ ବିଭାଗର ଅଧ୍ୟାପିକା। ସେ ଚୁକ୍ତିଭିତ୍ତିକ ଅଧ୍ୟାପିକା ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ଘର ଝାରପୋଖରିଆ ଥାନା ଅଞ୍ଚଳରେ। ଗତକାଲି ରାତି ପ୍ରାୟ ୮ଟା ବେଳେ ମହାବିଦ୍ୟାଳୟ ଛାତ୍ରୀନିବାସ ରୁମ ନମ୍ବର ୮ରୁ ତାଙ୍କର ଝୁଲନ୍ତା ଶବ ଉଦ୍ଧାର କରାଯାଇଥିଲା।

publive-image image source--indiatoday

ସୂଚନା ମୁତାବକ, ରାତ୍ରିଭୋଜନ ପାଇଁ ହଷ୍ଟେଲ ମାଟ୍ରନ୍‌ ତାଙ୍କୁ ଖାଇବା ପାଇଁ ଡାକିଥିଲେ। ହେଲେ ସେ କବାଟ ନ ଖୋଲିବାରୁ କେତେକ ଛାତ୍ରୀ ଓ ମାଟ୍ରନ୍ କବାଟ ଭାଙ୍ଗି ଭିତରେ ଅଧ୍ୟାପିକାଙ୍କୁ ଫ୍ୟାନ୍‌ରେ ଝୁଲୁଥିବା ଦେଖିଥିଲେ। ଘଟଣାସ୍ଥଳରେ‌ ରାଇରଙ୍ଗପୁର ଟାଉନ ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ସେପଟେ ଅଧ୍ୟାପିକାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମାସକ ତଳେ ସଂପୃକ୍ତ ଅଧ୍ୟାପିକା କେନ୍ଦୁଝରରେ ରହୁଥିବା ତାଙ୍କର ଜଣେ ସଂପର୍କୀୟ ଭାଉଜଙ୍କ ଘରକୁ ବୁଲି ଯାଇଥିଲେ। ସେଠାରେ ରହଣି କାଳରେ ଅଭିଯୁକ୍ତ ସୌମ୍ୟରଞ୍ଜନ ତାଙ୍କୁ ଦୁଷ୍କର୍ମ କରିଥିଲା। ଏ ସଂପର୍କରେ କାହାକୁ କହି‌ଲେ ଜୀବନରୁ ମାରିଦେବାକୁ ଅଧ୍ୟାପିକାଙ୍କୁ ଧମକ ଦେଇଥିଲା ଅଭିଯୁକ୍ତ। କିନ୍ତୁ ସେଠାରୁ ଫେରିବା ପରେ ଅଧ୍ୟାପିକା ଜଣକ ଝାରପୋଖରିଆ ଥାନାରେ ଏତଲା (କେସ୍‌ ନଂ ୧୨୫/୧୯) ଦେଇଥିଲେ। ଗୋଟିଏ ମାସ ଅପେକ୍ଷା ସତ୍ତ୍ବେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଯେଉଁଥିପାଇଁ ଅଧ୍ୟାପିକାଜଣକ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ସାମାଜିକ ଲାଞ୍ଛନା ତଥା ମାନସିକ ଦୁଶ୍ଚିନ୍ତାରେ ପୀଡ଼ିତା ଅଧ୍ୟାପିକା ଆତ୍ମହତ୍ୟା ପଥକୁ ବାଛି ନେଇଥିଲେ।

publive-image ମୁଖ୍ୟ ଅଭିଯୁକ୍ତ

ମୃତ୍ୟୁ ପୂର୍ବରୁ ପୀଡ଼ିତା ଏକ ସୁଇସାଇଡ୍‌ ନୋଟ୍‌ ଛାଡିଯାଇଥିବା ଆଲୋଚିତ ହେଉଥିଲେ ମଧ୍ୟ ପୁଲିସ ଏହାକୁ ଅସ୍ବୀକାର କରିଛି। ଅନ୍ୟପକ୍ଷରେ ପୀଡ଼ିତା ଆତ୍ମହତ୍ୟା କରିଥିବା ଜଣାପଡ଼ିବା ପରେ ଆଜି ଜିଲ୍ଲା ପୁଲିସରେ ହଲଚଲ ଦେଖିବାକୁ ମିଳିଥିଲା। ଅଭିଯୁକ୍ତ କେନ୍ଦୁଝର ଅଞ୍ଚଳର ସୌମ୍ୟରଞ୍ଜନ ସାହୁ (୨୮)କୁ ପୁଲିସ ଆଜି ଯାଜପୁର ଜିଲ୍ଲାର ଧାନମଣ୍ଡଳ ରେଳ ଷ୍ଟେସନ ନିକଟରୁ ଗିରଫ କରିଥିବା ବେଳେ ପୀଡ଼ିତାଙ୍କ ସଂପର୍କୀୟ ଭାଇ ଦେବବ୍ରତ ମଣ୍ଡଳ ଓ ସୁଜିତ ମଣ୍ଡଳଙ୍କୁ ଗିରଫ କରିଛି। ଦାୟିତ୍ବରେ ଅବହେଳା ପାଇଁ ଝାରପୋଖରିଆ ଥାନା ଏସ୍‌ଆଇ ତଥା ଏହି ମାମଲାର ତଦନ୍ତକାରୀ ଅଧିକାରୀ ପି.କେ. ସ୍ବାଇଁଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଥାନା ଆଇଆଇସିଙ୍କୁ ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟକୁ ବଦଳି କରାଯାଇଛି। ମୃତକଙ୍କ ପିତାଙ୍କ ଅଭିଯୋଗକ୍ରମେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିବା ମୟୂରଭଞ୍ଜ ଏସ୍‌ପି ସ୍ମିତ୍‌ ପି. ପରମାର୍ ସୂଚନା ଦେଇଛନ୍ତି।

ଏସ୍‌ପିଙ୍କ ସୂଚନା ମୁତାବକ, ଏହି ଘଟଣାରେ ସଂପୃକ୍ତ ପୀଡ଼ିତାଙ୍କ ସମ୍ପର୍କୀୟା ଭାଉଜ ମିନିମୟୀ ସାହୁଙ୍କ ସମେତ ରତିକାନ୍ତ ସାହୁ ଏବଂ ଶୈଳବାଳା ସାହୁଙ୍କୁ ଗିରଫ ପାଇଁ ଚେଷ୍ଟା ଜାରି ରହିଛି। ମାଜିଷ୍ଟ୍ରେଟ୍‌ ତଥା ଅତିରିକ୍ତ ତହସିଲଦାର ଏମ୍‌ ଏମ୍‌ ପାତ୍ରଙ୍କ ଉପସ୍ଥିତିରେ ଆଜି ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି। ସେପଟେ ଭୁବନେଶ୍ବର ସତ୍ୟନଗରରେ ଥିବା ଅଭିଯୁକ୍ତର ଭଉଣୀ ଘର ସହିତ ବିଭିନ୍ନ ସମ୍ପର୍କୀୟଙ୍କ ଘରେ ମଧ୍ୟ ପୁଲିସ ଚଢ଼ଉ କରିଛି। ପୀଡ଼ିତାଙ୍କ ରୁମ୍‌ରୁ ପୁଲିସ କିଛି କାଗଜପତ୍ର ଜବତ କରିଥିବାବେଳେ ମୃତକଙ୍କ ମୋବାଇଲକୁ ପୁଲିସ୍‌ ଆଇଟି ବିଶେଷଜ୍ଞଙ୍କୁ ହସ୍ତାନ୍ତର କରିଛି। ମୋବାଇଲ୍‌ କଲ୍‌ ଡିଟେଲ୍‌ ଯାଞ୍ଚ ପରେ ପୀଡ଼ିତା ଶେଷ କଲ୍‌ କାହାକୁ କରିଥିଲେ, ତାଙ୍କୁ ଧମକଚମକ କିଏ ଦେଇଥିଲା ସେ ସଂପର୍କରେ ସ୍ପଷ୍ଟ ହେବ ବୋଲି ଏସ୍‌ପି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe