ପାଖେଇ ଆସିଲା ଲଘୁଚାପ

୨୪ ଘଣ୍ଟାରେ ୫ଟି ଜିଲ୍ଲାରେ ବର୍ଷା

ପାଖେଇ ଆସିଲା ଲଘୁଚାପ

ଭୁବନେଶ୍ୱର: ଗତକାଲି ଶ୍ରୀଲଙ୍କା ଉପକୂଳ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗରରେ ଥିବା ଲଘୁଚାପ ଆଜି ସ୍ପଷ୍ଟଚିହ୍ନିତ ହୋଇଛି। ଏହା ସହିତ ଓଡ଼ିଶା ଉପକୂଳକୁ ସାମାନ୍ୟ ପାଖେଇ ଆସିଛି। ବର୍ତମାନ ଏହା ଚେନ୍ନାଇ-ଦକ୍ଷିଣ ଆନ୍ଧ୍ର ଉପକୂଳର ମଛଲିପଟ୍ଟନମ୍‌ରେ ପହଞ୍ଚିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଆକାଶରେ ଛାଇ ହୋଇଯାଇଛି ଘନ ମେଘ। ଆସନ୍ତା ୨୪ ଘଣ୍ଟା ଭିତରେ ଦକ୍ଷିଣର ୫ଟି ଜିଲ୍ଲା ଏବଂ ଉତ୍ତରର କିଛି ସ୍ଥାନରେ ବର୍ଷା ହେବ। ପବନର ବେଗ ବଢ଼ୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର।
ପାଣିପାଗ କେନ୍ଦ୍ର ସୂତ୍ର କହୁଛି ଯେ ଆଜି ମଛଲିପଟ୍ଟନମ୍‌ ଉପକୂଳରେ ପହଞ୍ଚିଛି ଲଘୁଚାପ। ଏହା ସ୍ପଷ୍ଟଚିହ୍ନିତ(େଓ୍ଵଲ୍‌ମାର୍କଡ୍‌) ହୋଇସାରିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲା ଆକାଶରେ ଘନ ମେଘ ଖେଳିଯାଇଛି।

ଉପକୂଳରେ ଘଣ୍ଟାକୁ ୩୦ରୁ ୪୦ କି.ମି. ଏବଂ ସର୍ବାଧିକ ୫୦ କି.ମି. ବେଗରେ ପବନ ବହୁଛି। ଏଥିରୁ ବର୍ଷା ହେବାର ଆଭାସ ମିଳୁଛି। ବର୍ଷା ଦକ୍ଷିଣର ୫ଟି ଜିଲ୍ଲାରେ ସୀମିତ ରହିବନି। ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ଦକ୍ଷିଣ ଓଡ଼ିଶା ଉପକୂଳ ତଟବର୍ତୀ ଜିଲ୍ଲାଗୁଡ଼ିକ ସହିତ ପୁରୀ, ନୟାଗଡ଼, କନ୍ଧମାଳ ବି ବର୍ଷା ହେବାର ସମ୍ଭାବନା ରହିଛି। ଏପରି କି ଖୋର୍ଧାରେ ବାଦଲ ଭାସୁଥିବାରୁ ସୂଚନା ମିଳୁଥିବାରୁ ଦିନେ ଦୁଇଦିନ ଭିତରେ ଭୁବନେଶ୍ୱର ସହିତ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ବର୍ଷା ହୋଇପାରେ। ଦକ୍ଷିଣର ଅଳ୍ପ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ବର୍ଷା ୨/୩ ଦିନ ଯାଏ ଲାଗି ରହିବ। ଫଳରେ ଏହା ଧାନ ଏବଂ ଅନ୍ୟାନ୍ୟ ଫସଲ ପାଇଁ ହାନିକାରକ ହେବାର ଆଶଙ୍କା କରାଯାଉଛି।

ଆଜି ରାଜ୍ୟରେ ଅପରିବର୍ତିତ ରହିଛି ଥଣ୍ଡା। ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୨° ସେଲ୍‌ସିୟସ ରେକର୍ଡ ହୋଇଛି। ଫୁଲବାଣୀରେ ୧୫°, ହୀରାକୁଦରେ ୧୫.୧°, କୋରାପୁଟ, ବଲାଙ୍ଗୀର ଏବଂ ସୁନ୍ଦରଗଡ଼ରେ ୧୬°, ଝାରସୁଗୁଡ଼ାରେ ୧୬.୨°, ସମ୍ବଲପୁରରେ ୧୭.୧°, ଭବାନୀପାଟଣା, କେନ୍ଦୁଝରରେ ୧୭.୨°, ଅନୁଗୁଳରେ ୧୮°, ସୋନପୁରରେ ୧୮.୪°, ଟିଟିଲାଗଡ଼ରେ ୧୮.୫°, ବାଲେଶ୍ୱରରେ ୧୯°, ଭୁବନେଶ୍ୱରରେ ୧୯.୩°, କଟକ, ମାଲକାନଗିରିରେ ୧୯.୪°, ଢେଙ୍କାନାଳରେ ୧୯.୭° ରହିଛି। ସର୍ବୋଚ୍ଚ ତାପମାତ୍ରା ବି ଧୀରେ ଧୀରେ ଖସିବାକୁ ଲାଗିଲାଣି। ଆଜି ରାଜ୍ୟର ବାଲେଶ୍ୱର ସମେତ ୭ଟି ସ୍ଥାନର ସର୍ବୋଚ୍ଚ ତାପମାତ୍ରା ୨୦° ତଳେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe