ସତ୍‌ସଙ୍ଗ ଦେଶର ବୃହତ୍‌ ଆଧ୍ୟାତ୍ମିକ ଆନ୍ଦୋଳନ: ମୁଖ୍ୟମନ୍ତ୍ରୀ

ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ୧୦୨ ତମ ଉତ୍କଳ ଆଗମନ ସ୍ମୃତି ଉତ୍ସବ

ସତ୍‌ସଙ୍ଗ ଦେଶର ବୃହତ୍‌ ଆଧ୍ୟାତ୍ମିକ ଆନ୍ଦୋଳନ: ମୁଖ୍ୟମନ୍ତ୍ରୀ

ପୁରୀ : ସତ୍‌ସଙ୍ଗ ଦେଶର ଏକ ବଡ଼ ଆଧ୍ୟାତ୍ମିକ, ସାମାଜିକ ଓ ସାଂସ୍କୃତିକ ଆନ୍ଦୋଳନରେ ପରିଣତ ହୋଇଛି। ଓଡ଼ିଶାରେ ଠାକୁର ଅନୁକୂଳଚନ୍ଦ୍ରଙ୍କ ଲକ୍ଷଲକ୍ଷ ଭକ୍ତ ସମାଜ ସେବାରେ ବ୍ରତୀ ହେବା ଖୁସିର ବିଷୟ। ଶ୍ରୀ ଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ୧୦୧ତମ ଉତ୍କଳ ତଥା ପୁରୀ ଆଗମନୀ ପୂର୍ତ୍ତି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଏଥିସହିତ, ଏକ ସୁନ୍ଦର ଓଡ଼ିଶା ଓ ଭାରତ ଗଢ଼ିବା ପାଇଁ ସମେସ୍ତ କାମ କରିବାକୁ ସେ ଆହ୍ବାନ ଦେଇଛନ୍ତି।

ତାଳବଣିଆ ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ପରିସରରେ ଏହି ବିଶାଳ ସତ୍‌ସଙ୍ଗ ସମାବେଶ ଆୟୋଜିତ ହୋଇଥିଲା। ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ କହିଥିଲେ, ନେତାଜୀ ସୁଭାଷ ବୋଷଙ୍କ ପିତା ଜାନକୀ ନାଥ ବୋଷ ଓ ମା’ ପ୍ରଭାବତୀ ଦେବୀଙ୍କ ଅନୁରୋଧରେ ପଶ୍ଚିମବଙ୍ଗରୁ ଭକ୍ତଙ୍କ ସହ ପୁରୀ ଆସିବାର ଏହି ସ୍ମରଣୀୟ ଦିବସରେ ସମସ୍ତେ ଏକ ହୋଇ ସୁନ୍ଦର ରାଜ୍ୟ ଓ ଦେଶ ଗଢ଼ିବାକୁ କାମ କରିବା।

ରାଗ କମାଅ, ରୋଗ କମିବ: ଜଷ୍ଟିସ ଦୀପକ ମିଶ୍ର

publive-image

ସୁପ୍ରିମକୋର୍ଟର ଅବସରପ୍ରାପ୍ତ ମୁଖ୍ୟବିଚାରପତି ଜଷ୍ଟିସ ଦୀପକ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ, ଠାକୁର ଅନୁକୂଳଚନ୍ଦ୍ର ସ୍ବୟଂ କହିଥ‌ିଲେ, ମୁଁ ତୁମ ପାଇଁ କିଛି କରୁନାହିଁ। ବରଂ ତୁମ ଭିତରେ ଥିବା ସୁପ୍ତସିଂହ, ଗୁଣ, ସେବା ମନୋଭାବ ଓ ସକାରାତ୍ମକ ଉର୍ଜାକୁ ଉଦ୍ରେକ କରୁଛି। ଯିଏ ଯେଉଁଠି ଥାଉ, ସମାଜ ସେବାର ଭାବନା ରଖିବା ଆବଶ୍ୟକ। କ୍ରୋଧ ମଣିଷର ସବୁଠୁ ବଡ଼ ଶତ୍ରୁ। ଏହା ମଣିଷର ବୁଦ୍ଧି ଭ୍ରଷ୍ଟ କରେ, ପତନାଭିମୁଖୀ କରେ। ହିଂସା, କ୍ରୋଧ ନରହିଲେ ଏବଂ ମନରେ ସତଚିନ୍ତନ ଜାତ ହେଲେ ମଣିଷ ଶରୀରରୁ ଶତକଡ଼ା ୭୫ ଭାଗ ରୋଗ କମିଯାଏ। ରାଗ କମାଅ, ରୋଗ କମିବ ବୋଲି ସେ କହିଥିଲେ। ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀପ୍ରସାଦ ମିଶ୍ର ଅନ୍ୟତମ ଅତିଥି ‌ଭାବେ ଯୋଗଦେଇ ମାନବବାଦୀ ଚେତନାକୁ ଫେରାଇ ଆଣିବାରେ ଠାକୁର ଅନୁକୂଳଚନ୍ଦ୍ରଙ୍କର ସକ୍ରିୟ ଯୋଗଦାନ ଥିଲା ବୋଲି କହିଥିଲେ।

ଶ୍ରୀଶ୍ରୀ ଅନୁକୂଳଚନ୍ଦ୍ରଙ୍କ ଉତ୍କଳ ଆଗମନ ସ୍ମୃତି ଉତ୍ସବର ଆବାହକ ଡ.ବିନାୟକ ମହାପାତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଉତ୍ସବ କମିଟିର ସଭାପତି ତଥା ଆୟକର ବିଭାଗର ପୂର୍ବତନ ମହାନିର୍ଦ୍ଦେଶକ ଡ.ନୃସିଂହ ପ୍ରସାଦ ତ୍ରିପାଠୀ ଓ ଅଖିଳ ଭାରତୀୟ ସତସଙ୍ଗର ପ୍ରଚାର ପ୍ରସାର ବିଭାଗ ଉପାଧ୍ୟକ୍ଷ ଯତୀନ୍ଦ୍ରନାଥ ମହାନ୍ତି ଅଭିଭାଷଣ ରଖିଥିଲେ। ଉତ୍ସବ କମିଟିର ସମ୍ପାଦକ ଡମ୍ବରୁଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe