ବିଧାୟକଙ୍କୁ ଦୁର୍ବ୍ୟବହାର, ତଦନ୍ତ ପାଇଁ ୪ ଜଣିଆ କମିଟି

Advertisment
ବିଧାୟକଙ୍କୁ ଦୁର୍ବ୍ୟବହାର, ତଦନ୍ତ ପାଇଁ ୪ ଜଣିଆ କମିଟି

Facebook

ଭୁବନେଶ୍ବର : ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କୁ କଳିଙ୍ଗ ହସ୍ପିଟାଲ କର୍ତୃପକ୍ଷ ଦୁର୍ବ୍ୟବହାର କରିବା ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ଏହି ଘଟଣାର ତଦନ୍ତ ଲାଗି ୪ ଜଣିଆ କମିଟି ଗଠନ କରାଯିବା ସହିତ ଏକ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ବିଭାଗୀୟ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି।

ଝୁମ୍ପୁରା ବ୍ଲକ୍ ନାରଦପୁର ଗ୍ରାମର ବାସୁଦେବ ବାରିକଙ୍କ ପୁଅ ସଚିନ କଳିଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଶନିବାର ଭୋରରେ ତାଙ୍କର ମୃତ୍ୟୁ ହୋଇଥିଲା। ଚିକିତ୍ସା ବାବଦରେ ଅର୍ଥ ପଇଠ ହୋଇଥିଲେ ହେଁ ହସ୍ପିଟାଲ କର୍ତୃପକ୍ଷ ଅଧିକ ଅର୍ଥ ଦାବି କରି ମୃତଦେହକୁ ଛାଡ଼ି ନ ଥିଲେ। ଏହି ଘଟଣା ସଂକ୍ରାନ୍ତରେ ବାସୁଦେବ ବିଧାୟକ ଶ୍ରୀ ମାଝୀଙ୍କୁ ଜଣାଇବା ପରେ ସେ କଳିଙ୍ଗ ହସ୍ପିଟାଲ ଡିଜିଏମ୍‌ଙ୍କ ସହିତ ଆଲୋଚନା କରି ସଂପୃକ୍ତ ପରିବାରକୁ ମୃତଦେହ ଫେରାଇଦେବାକୁ ନିବେଦନ କରିଥିଲେ।

ମାତ୍ର ଡିଜିଏମ୍‌ ଓ ଆକାଉଣ୍ଟସ୍ କର୍ମଚାରୀମାନେ ବିଧାୟକଙ୍କୁ ଦୁର୍ବ୍ୟବହାର କରିବା ସହିତ ଟଙ୍କା ନ ଦେଲେ ମୃତଦେହ ଛାଡ଼ିବେ ନାହିଁ ବୋଲି ରୋକଠୋକ୍ ମନା କରିଦେଇଥିଲେ। ହସ୍ପିଟାଲ କର୍ତୃପକ୍ଷଙ୍କଠାରୁ ଅପମାନିତ ହେବା ପରେ ବିଧାୟକ ଶ୍ରୀ ମାଝୀ ଆଜି ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ଏହାର ତଦନ୍ତ ନିର୍ଦେଶ ଦେବା ସହ ୪ଜଣିଆ କମିଟି ଗଠନ ଲାଗି ନିର୍ଦେଶ ଦେଇଛନ୍ତି। ନିର୍ଦେଶ ପାଇବା ପରେ ସଚିବ ତୁରନ୍ତ ଏକ କମିଟି ଗଠନ କରିଛନ୍ତି। ଏହି କମିଟିରେ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଜି. ପୁନମ୍ ତାପସ କୁମାର କମିଟିର ଅଧ୍ୟକ୍ଷ ରହିଥିବା ବେଳେ ଯୁଗ୍ମ ସଚିବ ଶୁଭାନନ୍ଦ ମହାପାତ୍ର, ଉପସଚିବ ରଜେ‌ଶ ଅଗ୍ରୱାଲ ଓ ଯସ୍ମିନ୍ ପଟ୍ଟନାୟକ ସଦସ୍ୟ ରହିଛନ୍ତି। ଏକ ସପ୍ତାହ ଭିତରେ କମିଟି ରିପୋର୍ଟ ଦେବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe