ଟ୍ରକ ପଛରେ ପିଟିହେଲା ବୁଲେଟ; ସମିତି ସଭ୍ୟା ଗୁରୁତର, ଯୁବକ ମୃତ

Advertisment
ଦୁର୍ଘଟଣାରେ ବାଇକ୍‌ ଚାଳକ ମୃତ

Illustration Courtesy: The Hindu

ଧର୍ମଶାଳା : ଧର୍ମଶାଳା ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର ରଥିଆ ଛକ ନିକଟରେ ଗୁରୁବାର ଦିନ ପ୍ରାୟ ସାଢ଼େ ଗୋଟାଏରେ ଟ୍ରକ ପଛରେ ଏକ ବୁଲେଟ ପିଟିହେବାରୁ ନେଉଳପୁର ସମିତି ସଭ୍ୟା ନିରୁପମା ବାରିକ (୪୬) ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ବୁଲେଟ ଚାଳକ ତାଙ୍କ ପୁତୁରା ମୁକ୍ତିରଂଜନ ବାରିକ (୨୩)ଙ୍କ ମୃତ୍ୟୁ ହୋଇଛି। ନିରୁପମା କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ଜାରକାସ୍ଥିତ ଧର୍ମଶାଳା ବ୍ଲକ କାର୍ଯ୍ୟାଳୟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପୂର୍ବାହ୍ଣରେ ହେଉଥିବା ପଞ୍ଚାୟତ ପ୍ରତିନିଧିଙ୍କ ତାଲିମ୍ ଶିବିରରେ ନିରୁପମା ଯୋଗ ଦେଇଥିଲେ। କାମ ସାରି ପୁତୁରା ମୁକ୍ତିରଂଜନ (ପାଗୁଲ୍)ଙ୍କ ସହିତ ବୁଲେଟ୍ (ଓଡି୦୪ଏନ୍–୬୦୦୬) ପଛରେ ବସି ସେ ନେଉଳପୁରସ୍ଥିତ ନିଜ ଘରକୁ ଫେରୁଥିଲେ। ରଥିଆ ଛକ ନିକଟରେ ଏକ ଅଜଣା ଗାଡ଼ିକୁ ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ବୁଲେଟଟି ରାସ୍ତା ପାର୍ଶ୍ବରେ ଅଟକି ରହିଥିବା ଏକ ଟ୍ରକରେ ପିଟି ହୋଇଯାଇଥିଲା। ଫଳରେ ବୁଲେଟ ଆଗ ଟାୟାର ଫାଟି ଯାଇଥିଲା। ଉଭୟ ଗୁରୁତର ହୋଇଥିଲେ। ସେମାନଙ୍କୁ ଏକ ଆମ୍ବୁଲାନ୍ସରେ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ମୁକ୍ତିରଂଜନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ନିରୁପମାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଖବର ମିଳିଛି।

ପୁଲିସ ଦୁର୍ଘଟଣାଗ୍ରସ୍ତ ବୁଲେଟ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ସମିତି ସଭ୍ୟା ନିରୁପମା ବାରିକ ଚଣ୍ତିଖୋଲ ଆର୍‌ଟିଓ କାର୍ଯ୍ୟାଳୟର ମୁଖ୍ୟ କିରାଣି ଅଜୟ ବାରିକଙ୍କ ପତ୍ନୀ। ମୁକ୍ତିରଂଜନ ନେଉଳପୁର ଗ୍ରାମର ଭରତଚନ୍ଦ୍ର ବାରିକଙ୍କ ପୁଅ ବୋଲି ଜଣାପଡ଼ିଛି। ଦୁର୍ଘଟଣା ଖବରପାଇ ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଡାକ୍ତରଖାନାରେ ପହ‌ଞ୍ଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe