ବାରିଭଟ୍ଟା ଗାଁରେ ପହଞ୍ଚିନି ମୌଳିକ ସୁବିଧା: ଆଜି ବି ଅନ୍ଧାରରେ ରହୁଛନ୍ତି ଲୋକେ

ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

ବାରିଭଟ୍ଟା ଗାଁରେ ପହଞ୍ଚିନି ମୌଳିକ ସୁବିଧା: ଆଜି ବି ଅନ୍ଧାରରେ ରହୁଛନ୍ତି ଲୋକେ

ରାୟଗଡା: ରାୟଗଡା ଜିଲ୍ଲାର ବହୁ ଗ୍ରାମକୁ ଆଜି ବି ସରକାରୀ ଯୋଜନା ଅପହଞ୍ଚ ହୋଇ ରହିଛି। ଏଥିସହ ଯେଉଁ ମୌଳିକ ସୁବିଧା ପହଞ୍ଚିବା କଥା ତାହା ମଧ୍ୟ ପହଞ୍ଚିପାରି ନାହିଁ, ଯାହାକୁ ନେଇ ବହୁ ସମୟରେ ଲୋକେ ଧାରଣା ଦେବା ସହ ଆନ୍ଦୋଳନାତ୍ମକ ପନ୍ଥାକୁ ଗ୍ରହଣ କରୁଛନ୍ତି। ଏହି କ୍ରମରେ ସାମିଲ ହୋଇଛି କଲ୍ୟାଣସିଂହପୁର ବ୍ଲକର ସିଙ୍ଗାରି ପଞ୍ଚାୟତର ବାରିଭଟ୍ଟା ଗ୍ରାମ। ଗ୍ରାମରେ ୨୫ରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି। କିନ୍ତୁ ଆଜି ବି ଏହି ଗ୍ରାମକୁ ପକ୍କା ରାସ୍ତା ନାହିଁ। ରାସ୍ତା ନଥିବାରୁ ଗାଁରେ ପାନୀୟ ଜଳର ସୁବିଧା ନାହିଁ କି ସ୍ବାସ୍ଥ୍ୟ ସେବା ମଧ୍ୟ ଲୋକେ ପାଇପାରୁନାହାନ୍ତି।

ସବୁଠାରୁ ବଳିଯାଇଛି ଲୋକେ ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ବିଜୁଳି ସେବାରୁ ବଞ୍ଚିତ ହୋଇଛନ୍ତି। ଲୋକେ ଅତି ଦୟନୀୟ ଜୀବନଯାପନ କରୁଛନ୍ତି। ରାତି ହେଲେ ଗାଁରେ ତାଟିକବାଟ ପଡ଼ିଯାଏ। ବିଦ୍ୟୁତ ସେବା ନଥିବାରୁ ପିଲାମାନେ ରାତିରେ ପାଠ ପଢାରୁ ବଞ୍ଚିତ ହେଉଛନ୍ତି। ଏପରିକି ଲୋକେ ଡିବିରି ଜାଳିବା ପାଇଁ କିରୋସିନି ମଧ୍ୟ ପାଇପାରୁନାହାନ୍ତି, ଯାହାଫଳରେ ଲୋକେ ଗାଁର ଗୋଟିଏ ସ୍ଥାନରେ କାଠ ଜାଳି ଆଲୋକ କରିଥାନ୍ତି। ବାରମ୍ବାର ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରୁଥିଲେ ମଧ୍ୟ କେହି ଶୁଣୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଜିଲ୍ଲାରେ ନୂତନ ଜିଲ୍ଲାପାଳ ଦାୟୀତ୍ବ ନେବା ପରେ ଗ୍ରାମବାସୀ ତାଂକ ଭରସାରେ ରାୟଗଡାରେ ପହଞ୍ଚି ନିଜର ଦୁଃଖ ବଖାଣିଥିଲେ। ଗାଁକୁ ରାସ୍ତା ନଥିବାରୁ ବର୍ଷା ଦିନେ କିପରି ହନ୍ତସନ୍ତ ହୁଅନ୍ତି ସେନେଇ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଗାଁକୁ ରାସ୍ତା, ମା’କୁ ସମ୍ମାନ ଦିଆଯାଉଥିବା ନେଇ ସରକାର ଡେଙ୍ଗୁରା ପିଟୁଥିବା ବେଳେ ଆମ ଗାଁକୁ କାହିଁକି ହତାଦର କରାଯାଉଛି ବୋଲି ପ୍ରଶ୍ନ କରିଥିଲେ। ସେହିପରି ଆଜି ପର୍ଯ୍ୟନ୍ତ ଆମେ ନଳକୂପର ବିଶୁଦ୍ଧ ପାଣି କଣ ଜାଣିନାହୁଁ ବୋଲି ଗ୍ରାମବାସୀ କହିଥିଲେ। ସେହିପରି ଲୋକେ ସ୍ବାସ୍ଥ୍ୟ ସେବା ନପାଇବାରୁ ବାଧ୍ୟ ହୋଇ ଗୁଣିଆ ଉପରେ ଭରସା କରୁଥିବା କହିଥିଲେ। ଫଳରେ ଲୋକଙ୍କର ଅକାଳରେ ମୃତ୍ୟୁ ହୋଇଥିବା କୁହାଯାଇଛି। ଏତେ ସବୁ ସମସ୍ୟା ଜିଲ୍ଲାପାଳ ଶୁଣିବା ପରେ ତୁରନ୍ତ ବିଭଗାୟୀ ଅଧିକାରୀଙ୍କୁ ଗାଁରେ ମୌଳିକ ସୁବିଧା ପହଞ୍ଚାଇବାକୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe